ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁରଠାରେ ଅବସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଆଜି ଅପରାହ୍ନରେ ୩ଟା ୫୫ ମିନିଟ୍‌ ସମୟରେ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର‌ ଏମ୍‌-ଆର୍‌ସାମ୍‌ର ସଫଳ ପରୀକ୍ଷା ହୋଇଛି। ପରୀକ୍ଷା ସମୟରେ ଖଞ୍ଜା ଯାଇଥିବା ରାଡାରରୁ ମିଳିଥିବା ତଥ୍ୟକୁ ନେଇ ପ୍ରତିରକ୍ଷା ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି। ପୂର୍ବରୁ ଏହି କ୍ଷେପଣାସ୍ତ୍ରକୁ ବହୁବାର ପରୀକ୍ଷା କରାଯାଇଥିଲେ ମଧ୍ୟ ବିଭିନ୍ନ ସମୟରେ ଲକ୍ଷ୍ୟଭେଦ କ୍ଷମତା, ଦିଗ ଓ ବେଗକୁ ନେଇ ବିକାଶ କରାଯାଇଛି। ପୂର୍ବରୁ ଇସ୍ରାଇଲର ମିଳିତ ଉଦ୍ୟମରେ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ କରାଯାଇଥିଲା।

Advertisment

ଉଲ୍ଲେଖଯୋଗ୍ୟ, ଚଳିତ ଥର ଏମ୍‌ଆର୍‌ସାମ୍‌ରେ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଏଥିରେ ବ୍ୟବହାର କରାଯାଇଥିବା ଇଞ୍ଜିନ୍‌ ସହିତ ସ୍ବତନ୍ତ୍ର ଭାବେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ କେତେକ ଯନ୍ତ୍ରାଂଶ ମଧ୍ୟ ଖଞ୍ଜାଯାଇଛି। ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କ୍ଷମତା ରଖିଥିବା ଏମ୍‌ଆର୍‌ସାମ୍‌ ମାଧ୍ୟମରେ ଯୁଦ୍ଧ ଯାହାଜ, ହେଲିକେପ୍ଟର, ନୌଯାହାଜ, ବାଲାଷ୍ଟିକ୍‌ ମିସାଇଲ୍‌କୁ ଟାର୍ଗେଟ୍‌ କରାଯାଇ ପାରିବ। ଏହାର ଓଜନ ୨୭୫ କିଲୋଗ୍ରାମ ଥିବା ବେଳେ ଲମ୍ବ ସାଢ଼େ ୪ ମିଟର। ଏଥିରେ ୬୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରିହେବ। ପୂର୍ବରୁ ଏମ୍‌ଆର୍‌ସାମ୍‌ର ଲକ୍ଷ୍ୟଭେଦ କ୍ଷମତା ୭୦ କିଲୋମିଟର ଥିବା ବେଳେ, ଚଳିତ ପରୀକ୍ଷାରେ ଏହାକୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

publive-image

ଅନ୍ୟପଟେ ଏହି ପରୀକ୍ଷା ପାଇଁ ଲଞ୍ଚପ୍ୟାଡ୍‌ର ଅଢ଼େଇ କିଲୋମିଟର ପରିଧି ମଧ୍ୟରେ ଥିବା ତୁଣ୍ଡରା, କୁସୁମୁଳି, ଜୟଦେବକସବା ପାହି, ଖଡ଼ୁପାହି ଗାଁରୁ ପ୍ରାୟ ୩ ହଜାର ୫ ଶହ ଲୋକ ଓ ଚିଙ୍ଗୁଡ଼ି ଘେରିରୁ ପ୍ରାୟ ୨୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତରିତ ଲୋକଙ୍କୁ ସ୍ଥାନୀୟ ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ୍‌ ଘରେ ଥିବା ଅସ୍ଥାୟୀ ଶିବିରରେ ରଖାଯାଇଛି। ଏଥିରେ ପ୍ରଭାବିତ ଗ୍ରାମବାସୀଙ୍କୁ ପ୍ରତିରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁକମ୍ପା ପ୍ରଦାନ କରାଯାଇଛି।