ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ଆଗ‌େର ଭାରତ : ‘ନିର୍ଭୟ’ର ସଫଳ ପରୀକ୍ଷଣ

ବାଲେଶ୍ବର : ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସବ୍‌ସୋନିକ କ୍ରୁଜ୍‌ ମିଜାଇଲ ‘ନିର୍ଭୟ’ର ସଫଳ ପରୀକ୍ଷଣ କରାଯାଇଛି। ଏହି ମିଜାଇଲ ଦ୍ବାରା ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହୋଇଛି। କୌଣସି ପ୍ରକାର ଲକ୍ଷ୍ୟଚ୍ୟୁତ ନ ହୋଇ ଶତ୍ରୁପକ୍ଷକୁ ଆକ୍ରମଣ କରିବାର କ୍ଷମତା ଏହି ମିଜାଇଲ‌େର ରହିଥିବା ଜଣାପଡ଼ିଛି।

ବାଲେଶ୍ବର ଚାନ୍ଦିପୁର ସ୍ଥିତ ଆଇଟିଆରର ୩ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଆଜି ପୂର୍ବାହ୍ନ ୧୧ଟା ୪୦ ମିନିଟ୍‌ ସମୟରେ ଏହାର ପରୀକ୍ଷଣ କରାଯାଇଥିଲା। ସୂଚନାନୁସାରେ ‘ନିର୍ଭୟ’ ମିଜାଇଲ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ହୋଇଛି। ଡିଆରଡିଓର ବୈଜ୍ଞାନିକମାନେ ଏହାର ଡିଜାଇନ୍‌ ମଧ୍ୟ ଏହିଠାରେ ପ୍ରସ୍ତୁତ କରିଥିଲେ। ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଏହାର ମାରକ କ୍ଷମତା ରହିଛି। ଅନ୍ୟ ମିଜାଇଲ ଅପେକ୍ଷା ଖୁବ୍‌ କମ୍‌ ଉଚ୍ଚତା(୨୦ ମିଟର)ରେ ଯାଇ ଶତ୍ରୁ ପକ୍ଷକୁ ଆକ୍ରମଣ କରିପାରିବ। ୨୦୧୪ରେ ଏହାର ପ୍ରଥମ ପରୀକ୍ଷା ହୋଇଥିବା ବେଳେ ପରେ ପରେ ୨୦୧୬ ଓ ୨୦୧୭ ମସିହାରେ ମଧ୍ୟ ସଫଳ ପରୀକ୍ଷା କରାଯାଇଥିଲା।

ତେବେ ଏହା ୬ଷ୍ଠ ତମ ପରୀକ୍ଷଣ ଥିଲା। ତେବେ ଆଇଟିଆରର ନିର୍ଦେଶକ ଡ. ବିନୟ କୁମାର ଦାସ ‘ନିର୍ଭୟ’ର ସଫଳ ପରୀକ୍ଷାକୁ ନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହା ଭାରତର ସୁବଠୁ ଚ୍ୟାଲେଞ୍ଜିଂ ମିଜାଇଲ ଥିଲା। ଏତେଗୁଡ଼ାଏ ଟେକ୍ନୋ‌ଲୋଜିକୁ ଏକାଠି କରି ଖୁବ୍‌ କମ୍‌ ସମୟ ମଧ୍ୟରେ ସଫଳ ଭାବେ ପ୍ରସ୍ତୁତ ହୋଇଥିବା ‘ନିର୍ଭୟ’ ଏବେ ସମଗ୍ର ବିଶ୍ବରେ ଏହା ପ୍ରଥମ ମିଜାଇଲ ବୋଲି ଡ. ଦାସ କହିଥିଲେ।

ସମ୍ବନ୍ଧିତ ଖବର