ନିଖୋଜ ୨ ଛାତ୍ର ବାଙ୍ଗାଲୁରୁରୁ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଧୋଡ୍ରା ସରକାରୀ ଆଶ୍ରମ ବିଦ୍ୟାଳୟର ୨ ନିଖୋଜ ଛାତ୍ର ବାଙ୍ଗାଲୁରୁରୁ ଉଦ୍ଧାର ହୋଇଛନ୍ତି। ପ୍ରଧାନ ଶିକ୍ଷକ ମାଗିରାମ ବାରିକଙ୍କ ହସ୍ତକ୍ଷେପ ପରେ ବାଙ୍ଗାଲୁରୁରେ ରହୁଥିବା ପବିତ୍ର ପନକାଙ୍କ ସହାୟତାରେ ଘରକୁ ଫେରିଛନ୍ତି ୨ ଛାତ୍ର। ଧୋଡ୍ରା ଆଶ୍ରମ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ହଳଦିଗୁଡାର ଭଗବାନ ଓ ୭ମ ଶ୍ରେଣୀରେ ପଢ଼ୁଥିବା ଡଙ୍ଗରୀଗୁଡାର ପର୍ଶୁ ଗତ ୪ ତାରିଖରୁ ଘରୁ ବିଦ୍ୟାଳୟକୁ ଯିବା ପାଇଁ କହି ନିଖୋଜ ହୋଇଥିଲେ। ଉଭୟ ଛାତ୍ର ସ୍କୁଲକୁ ଫେରିନଥିବା ନେଇ ପ୍ରଧାନ ଶିକ୍ଷକ ଅଭିଭାବକଙ୍କ ସହ ଯୋଗାଯୋଗ କରିଥିଲେ। ପରିବାର ଓ ସ୍କୁଲ ପକ୍ଷରୁ ବହୁ ସ୍ଥାନରେ ଖୋଜାଖୋଜି କରିବା ପରେ ବି ସେମାନଙ୍କ ପତ୍ତା ମିଳିନଥିଲା।

ଗତ ୧୫ ଦିନ ପୂର୍ବେ ଉକ୍ତ ଶିଶୁମାନେ ତାଙ୍କ ସହପାଠୀ ମନୋଜଙ୍କ ଘରକୁ ଏକ ଫୋନ ଆସିଥିଲା। ତେବେ ଉଭୟ ଶିଶୁର ଭାଇମାନେ ହାଇଦ୍ରାବାଦରେ ରହୁଥିବାରୁ ସେଠାକୁ ଯୋଗାଯୋଗ କରାଯାଇଥିଲା। ପର୍ଶୁର ଭାଇ ସେମାନେ ବାଙ୍ଗାଲୁରୁ ଯାଇଛନ୍ତି ବୋଲି କହିବା ସହ ବାଙ୍ଗାଲୁରୁର ଜଣେ ବ୍ୟକ୍ତିଙ୍କ ମୋବାଇଲ ନଂ ଦେଇଥିଲେ। ଉକ୍ତ ନଂ ରେ ଯୋଗାଯୋଗ ପରେ ୨ ଜଣ ଶିଶୁ ଉମରକୋଟ ବ୍ଲକର ବେହେଡା ଗାଁର ପିଲା ମାନଙ୍କ ସହିତ କାମ କରୁଛନ୍ତି ବୋଲି ଜଣାପଡିଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାରିକ ବାଙ୍ଗାଲୁରୁରେ ରହୁଥିବା ଡାବୁଗାଁ ବ୍ଳକର ପବିତ୍ର ପନକାଙ୍କୁ ଉଦ୍ଧାର କରି ପଠାଇବାକୁ ଅନୁରୋଧ କରିଥିଲେ। ପବିତ୍ର ଖୋଜାଖୋଜି ପରେ ଜାଣିବାକୁ ପାଇଲେ ଯେ ବାଙ୍ଗାଲୁରୁର ଜଣେ ଠିକାଦାର ଏମାନଙ୍କୁ କାମରେ ଲଗାଇଛି। ତେବେ ଠିକାଦାର ଏହି ୨ ଶିଶୁଙ୍କୁ ଛାଡିବା ପାଇଁ ୪ ହଜାର ଟଙ୍କା ମାଗିଥିଲେ। ପରେ ପବିତ୍ର ଠିକାଦାର ମାଗିଥିବା ଟଙ୍କା ଦେଇ ଉକ୍ତ ୨ ଶିଶୁଙ୍କୁ ଉଦ୍ଧାର କରି ଜଣେ ଯୁବକର ସହାୟତାରେ ନବରଙ୍ଗପୁରକୁ ପଠାଇଥିଲେ। ଉଦ୍ଧାର ୨ ଶିଶୁଙ୍କୁ କାମ ଯୋଗାଇଦେବା ପାଇଁ ଜଣେ ଠିକାଦାର ବାଙ୍ଗାଲୁରୁ ନେଇଥିବା ନେଇ ସନ୍ଦେହ ହେଉଛି। ଉଦ୍ଧାର ୨ ଶିଶୁଙ୍କ ସହ ଯୋଗାଯୋଗ କଲେ ପ୍ରଶାସନ ଘଟଣାର ସତ୍ୟାସତ୍ୟ ପାଇପାରିବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର