ଅନୁଗୁଳ ଜିଲ୍ଲାରେ ନିଖୋଜ ମାମଲା ଉଦ୍‌ବେଗଜନକ: ୮୦୦ରୁ ଅଧିକ ମଣିଷ ଗଲେ କୁଆଡ଼େ?

ପୁରୁଷଙ୍କ ଅପେକ୍ଷା ଯୁବତୀ/ମହିଳା ବେଶି ଗାଏବ, ୨୦୨୧ରେ ମାମଲା ହୋଇଛି ଦୁଇ ଗୁଣ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ମଣିଷ ନିଖୋଜ ମାମଲା ଉଦ୍‌ବେଗଜନକ। ୨୦୧୭ମସିହାରୁ ଏ ସଂଖ୍ୟା ୫ଗୁଣ ବଢ଼ିଛି। ଗଲା ୫ବର୍ଷର ଅନୁଗୁଳ ଜିଲ୍ଲା ପୁଲିସର ତଥ୍ୟ ଏହା ବୟାନ କରୁଛି। ସବୁଠାରୁ ଚିନ୍ତାର ବିଷୟ ହେଲା, ନାବାଳକ, ନାବାଳିକା ଏବଂ ପୁରୁଷଙ୍କ ଅପେକ୍ଷା ଏଠି ଯୁବତୀ ଓ ମହିଳା ନିଖୋଜଙ୍କ ସଂଖ୍ୟା ଢେର୍ ଅଧିକ। ଖୋଜାଖୋଜି କଲା ପରେ ବି ପୁଲିସ ସେମାନଙ୍କ ପତ୍ତା ପାଇ ପାରିନାହିଁ। ୨୦୧୭ରୁ ୨୦୨୨ ମସିହା ମଧ୍ୟରେ ଏମିତି ୮୬୬ଟି ମାମଲାର ସନ୍ଧାନ ମିଳି ନଥିବା ବେଳେ ଜିଲ୍ଲାରୁ ଏତେ ସଂଖ୍ୟକ ମଣିଷ ଗଲେ କୁଆଡ଼େ? ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ସ୍ବାଭାବିକ ପ୍ରଶ୍ନ ଉଙ୍କି ମାରିଛି।

ପାଞ୍ଚବର୍ଷ ତଳେ ମଣିଷ ନିଖୋଜ ମାମଲା ଏତେ ଭୟଙ୍କର ନ ଥିଲା। ତଥ୍ୟ କହୁଛି, ୨୦୧୭ମସିହାରେ ଅନୁଗୁଳ ଜିଲ୍ଲାରେ ୧୭ ଜଣ ଝିଅ ନିଖୋଜ ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ସେଥିରୁ ପୁଲିସ ୧୬ ଜଣଙ୍କ ପତ୍ତା ପାଇଥିଲା। ଜଣେ ଝିଅଙ୍କର ଏବେ ବି ସନ୍ଧାନ ପୁଲିସ ପାଖରେ ନାହିଁ। ସେହିପରି, ନିଖୋଜ ପୁଅ ସଂଖ୍ୟା ୧୦ ହୋଇଥିବା ବେଳେ ୯ଜଣଙ୍କୁ ଠାବ କରାଯାଇଛି। ଜଣେ ଏବେ ବି ନିଖୋଜ ଅଛନ୍ତି। କିନ୍ତୁ, ମହିଳାଙ୍କ ସଂଖ୍ୟା ପୁଅ ଏବଂ ଝିଅ ସଂଖ୍ୟାର ପ୍ରାୟ ୧୦ଗୁଣ ଅଧିକ ଥିଲା। ୨୦୧୭ ମସିହାରେ ମୋଟ୍ ୧୪୯ଜଣ ମହିଳା ନିଖୋଜ ଥିଲେ। ସେଥିରୁ ୧୦୫ଜଣଙ୍କୁ ଯଦିଓ ପୁଲିସ ଠାବ କରିଥିଲା। କିନ୍ତୁ, ଏବେ ବି ୪୪ଜଣଙ୍କର ପତ୍ତା ନାହିଁ।

ସେହିପରି ୪୭ଜଣ ପୁରୁଷଙ୍କ ମଧ୍ୟରୁ ୨୫ଜଣ ଠାବ ହୋଇଥିବା ବେଳେ ୨୨ଜଣଙ୍କର ଠିକଣା ପୁଲିସ ପାଇ ପାରିନାହିଁ। ମୋଟ୍ ଉପରେ ହିସାବ କଲେ ୨୦୧୭ମସିହାରେ ୬୮ ଜଣଙ୍କ ଠିକଣା କାହା ପାଖରେ ନାହିଁ। ତା’ ପରବର୍ଷ ନିଖୋଜଙ୍କ ସଂଖ୍ୟା ୧୪୬କୁ ବୃଦ୍ଧି ପାଇଛି। ୨୦୧୮ମସିହାରେ ୫ଜଣ ଝିଅ, ୩ଜଣ ପୁଅ, ୧୦୪ଜଣ ମହିଳା ନିଖୋଜ ହୋଇଥିବା ବେଳେ ୩୪ଜଣ ପୁରୁଷଙ୍କ ପତ୍ତା ନାହିଁ। ୨୦୧୯ମସିହାରେ ଏ ସଂଖ୍ୟା ୧୮୯କୁ ଯାଇଥିଲା। ଦୁଇ ଜଣ ଝିଅ, ଜଣେ ପୁଅ, ୧୩୧ଜଣ ମହିଳା ଏବଂ ୫୫ ଜଣ ପୁରୁଷ ନିଖୋଜ ଅଛନ୍ତି। ସେହିପରି ୨୦୨୦ରେ ୧୫୫ଜଣଙ୍କର ପତ୍ତା ନ ଥିବାବେଳେ ୨୦୨୧ରେ ଏ ସଂଖ୍ୟା ଦୁଇ ଗୁଣିତ ହୋଇଛି। ମୋଟ୍ ୩୦୮ଜଣଙ୍କର ପତ୍ତା ଏଯାବତ୍ ମିଳି ପାରି ନଥିବା ପୁଲିସ ତଥ୍ୟ ସୂଚାଇ ଦେଉଛି।

Medical Dialogues

ଏତେ ସଂଖ୍ୟାରେ ମଣିଷ ଗଲେ କୁଆଡ଼େ? ପୁଅ ଓ ଝିଅ ନିଖୋଜ ମାମଲାରେ ପୁଲିସ ତତ୍ପରତା ଦେଖାଇ ପ୍ରାୟ ୯୦ ପ୍ରତିଶତ ମାମଲାରେ ସଫଳ ହୋଇଥିବା ବେଳେ ମହିଳା ଏବଂ ପୁରୁଷଙ୍କୁ ଠାବ କରିବାରେ ପୁଲିସ ସଫଳ ହୋଇ ପାରି ନଥିବା କୁହାଯାଉଛି। ପୁରୁଷଙ୍କ ଅପେକ୍ଷା ଏଠି ମହିଳା ନିଖୋଜଙ୍କ ସଂଖ୍ୟା ଢେର୍ ଅଧିକ। ଏହା ପଛରେ କୌଣସି ମଣିଷ ଚାଲାଣ ଅପରାଧୀଙ୍କ ସମ୍ପୃକ୍ତି ନାହିଁ ତ? ତାହାକୁ ନେଇ ସନ୍ଦେହ ବଢ଼ିଛି।

ସମ୍ବନ୍ଧିତ ଖବର