ନିଖୋଜ ଶିଶୁ ଉଦ୍ଧାର, ସାଇବର୍‌ ଅପରାଧ ନିୟନ୍ତ୍ରଣକୁ ଗୁରୁତ୍ବ: ପୁଲିସ ଡିଜି

ଦୁଇ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ପୁଲିସ ଡିଜି ଅଭୟ

ବ୍ରହ୍ମପୁର: ଓଡ଼ିଶା ପୁଲିସ ଡିଜି ଅଭୟ ଆଜି ବ୍ରହ୍ମପୁର ଗସ୍ତରେ ଆସିଛନ୍ତି। ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟରେ ଡିଜି ଅଭୟ ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ଜିଲ୍ଲାର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ। ଏହି ଅବସରରେ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ଓ ସାଇବର୍‌ ଅପରାଧ ରୋକିବାକୁ ଡିଜି ଅଭୟ ଗୁରୁତ୍ବାରୋପ କରିଥିଲେ। ସେହିପରି ପ୍ରତ୍ୟେକ ଥାନାର କର୍ମଚାରୀ କିପରି ସାଇବର୍‌ ଅପରାଧ ନିୟନ୍ତ୍ରଣ ଉପରେ ପ୍ରଶିକ୍ଷଣ ନେଇ ପାରିବେ ସେ ଦିଗରେ ଡିଜି ପରାମର୍ଶ ଦେଇଥିବା ଡିଆଇଜି ସତ୍ୟବ୍ରତ ଭୋଇ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

ପୁଲିସ ଡିଜି ଅଭୟ ଅପରାହ୍ଣରେ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଗତବର୍ଷ ଉଭୟ ପୁଲିସ ଜିଲ୍ଲାର ଅପରାଧ ରେକର୍ଡ ଓ ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ଡିଜି ପଚାରି ବୁଝିଥିଲେ। ଆଗାମୀ ଦିନରେ ସାରା ରାଜ୍ୟରେ ନିଖୋଜ ଶିଶୁ ଉଦ୍ଧାର ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏଣୁ ଏହି ଅଭିଯାନକୁ ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ଜିଲ୍ଲାରେ କିପରି ତ୍ବରାନ୍ବିତ କରାଯିବ ସେ ନେଇ ଡିଜି ନିର୍ଦ୍ଦେଶ ଦେଇଥିଲେ। ଗତ ୨୦୧୨ରୁ ଆଜି ପର୍ଯ୍ୟନ୍ତ ଉଭୟ ପୁଲିସ ଜିଲ୍ଲାରେ ଯେତିକି ଶିଶୁ ନିଖୋଜ ହୋଇଛନ୍ତି ସେଥିରୁ ୯୦ପ୍ରତିଶତ ଶିଶୁଙ୍କୁ ଉଦ୍ଧାର କରାଯାଇ ସାରିଛି। ଆଉ ବଳକା ରହିଥିବା ୧୦ପ୍ରତିଶତ ଶିଶୁଙ୍କୁ କିପରି ଖୋଜି ବାହାର କରାଯିବ ସେଥିପାଇଁ ଷ୍ଟ୍ରାଟେଜି ତିଆରି କରାଯିବ ବୋଲି ଡିଆଇଜି କହିଥିଲେ। ସେହିପରି ପ୍ରତ୍ୟେକ ଥାନାରେ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ଉପରେ ଗୁରୁତ୍ବ ଦିଆଯାଇଥିଲା। ସିସିଟିଏନ୍‌ଏସ୍‌ ପାର୍ଟୋଲ୍‌ରେ ଜନସାଧାରଣ ଯେପରି ସମସ୍ତ ପ୍ରକାର ସୁବିଧା ପାଇବେ ଓ ତାହା ଯେଭଳି ଲୋକଙ୍କୁ ଶତପ୍ରତିଶତ ସେବା ଯୋଗାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା।

ଦିନକୁ ଦିନ ରାଜ୍ୟରେ ସାଇବର୍‌ ଅପରାଧ ବଢ଼ୁଛି। ବ୍ରହ୍ମପୁରରେ ମଧ୍ୟ ବିଭିନ୍ନ ସମୟରେ ସାଇବର୍‌ ଠକେଇ ଘଟଣା ନଜରକୁ ଆସୁଛି। ଏଣୁ ଏହାକୁ କିପରି ନିୟନ୍ତ୍ରଣ କରାଯିବ ସେ ଦିଗରେ ଡିଜି ଅଧିକ ଫୋକସ୍‌ କରିଥିଲେ। ସେହିପରି ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ରହିଥିବା ଅନ୍ୟ ବିଭିନ୍ନ ସମସ୍ୟା ଯେମିତିକି ଆନୁଷଙ୍ଗିକ ବ୍ୟବସ୍ଥା ଓ ମାନବ ସମ୍ବଳ ଉପରେ ମଧ୍ୟ ଆଲୋଚନା କରି ତା’ର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର, ଗଞ୍ଜାମ ଏସ୍‌.ପି. ବ୍ରିଜେଶ ରୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର