ବଡ଼ମ୍ବାସ୍ଥିତ ଭଟ୍ଟାରିକା ପୀଠ ନିକଟ ମହାନଦୀରେ ଶୁକ୍ରବାର ଡଙ୍ଗା ବୁଡ଼ିରେ ନିଖୋଜ ଇଞ୍ଜିନିୟରଙ୍କ ମୃତଦେହ ମହାନଦୀରୁ ଉଦ୍ଧାର

ବଡ଼ମ୍ବା : ବଡ଼ମ୍ବାସ୍ଥିତ ଭଟ୍ଟାରିକା ପୀଠ ନିକଟ ମହାନଦୀରେ ଶୁକ୍ରବାର ଡଙ୍ଗା ବୁଡ଼ିରେ ନିଖୋଜ ଇଞ୍ଜିନିୟରଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ବଡ଼ମ୍ବା ଦମକଳବାହିନୀ ଓ ଢେଙ୍କାନାଳ ଓଡ୍ରାଫ୍‌ ଟିମ୍‌ ମିଳିତ ଉଦ୍ୟମ ପରେ ପୂର୍ବାହ୍ନରେ ନଦୀରୁ ଶବ ଉଦ୍ଧାର କରାଯାଇଥିଲା। ମୃତ ଇଞ୍ଜିନିୟରଜଣକ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ସୁନୀଲ କୁମାର ସାହୁ ବୋଲି ଜଣାପଡ଼ିଛି। ସେସୁ ସହବନ୍ଧିତ ଏନ୍‌ଜେନ୍‌ କମ୍ପାନି ଅଧୀନ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବିଦ୍ୟୁତ୍‌ ବିଭାଗରେ ସେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ଶବ ଉଦ୍ଧାର ପରେ ଭଟ୍ଟାରିକା ପୀଠରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ପ୍ରକାଶ ଯେ ଶୁକ୍ରବାର ଏନ୍‌ଜେନ୍‌ ଗ୍ଲୋବାଲ୍‌ ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌ର ଏକ ପର୍ଯ୍ୟଟକ ଦଳ ଜଗତସିଂହପୁରରୁ ବସ୍‌ ଯୋଗେ ଭଟ୍ଟାରିକା ପୀଠକୁ ଆସିଥିଲେ। ପିକ୍‌ନିକ୍‌ ପ୍ରସ୍ତୁତି ଚାଲିଥିବା ବେଳେ ସେମାନଙ୍କ ମଧ୍ୟରୁ ଇଂଜିନିୟର ସୁନୀଲ କୁମାର ସାହୁ, ଅଞ୍ଜନ ନାୟକ ଓ ନବକିଶୋର ମହାନ୍ତି ମହାନଦୀ କୂଳରେ ରଖା ଯାଇଥିବା ଛୋଟ ଡଙ୍ଗା ନେଇ ନୌବିହାର କରିବାକୁ ଯାଇଥିଲେ। ଏହି ସମୟରେ ସେମାନେ ସେଲ୍‌ଫି ନେଉଥିବା ବେଳେ ଅକସ୍ମାତ ଡଙ୍ଗାଟି ବୁଡ଼ି ଯାଇଥିଲା। ସେମାନଙ୍କ ଚିତ୍କାର ଶୁଣି ନିକଟରେ ଥିବା ଶଶାଙ୍ଗ ଗ୍ରାମର ତିନିଜଣ ସାହସୀ ଯୁବକ ସନାତନ ବେହେରା, ସରୋଜ ବେହେରା ଓ ଅଜୟ ସେଠୀ ପାଣି ଭିତରକୁ ଡେଇଁ ଅଞ୍ଜନ ଓ ନବକିଶୋରଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସୁନୀଲଙ୍କ ସନ୍ଧାନ ମିଳି ନ ଥିଲା। ଶନିବାର ସକାଳୁ ଢେଙ୍କାନାଳ ଓଡ୍ରାଫ ଟିମ୍ ଓ ବଡ଼ମ୍ବା ଅଗ୍ନିଶମ ବିଭାଗ ମିଳିତ ଭାବେ ନିଖୋଜ ଯୁବକଙ୍କ ତଲାସୀ ଆରମ୍ଭ କରିଥିଲେ। ପୂର୍ବାହ୍ନ ପ୍ରାୟ ୯ଟାରେ ଅଗ୍ନିଶମ ବିଭାଗ ସୁନୀଲଙ୍କ ମୃତଦେହ ଉଦ୍ଧାର କରିଥିଲେ। ବଡ଼ମ୍ବା ଥାନା ପୁଲିସ୍‌ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି।

ଅପରପକ୍ଷରେ ଶନିବାର ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ମୃତ ସୁନୀଲଙ୍କ ପରିବାରକୁ ସାନ୍ତ୍ବନା ଦେଇଥିଲେ। ସେହିପରି ଦୁଇଜଣଙ୍କୁ ଉଦ୍ଧାର କରିଥିବା ତିନି ସାହସୀ ଯୁବକଙ୍କୁ ବିଧାୟକ ଶ୍ରୀ ମିଶ୍ର ଧନ୍ୟବାଦ ଜଣାଇବା ସହ ପୁରସ୍କୃତ କରିଥିଲେ। ପରେ ବିଧାୟକ ଭଟ୍ଟାରିକା ପୀଠରେ ପ୍ରସ୍ତାବିତ ଫାଣ୍ଡି ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପୁଲିସ୍‌ ବିଭାଗ ଉଚ୍ଚକର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏହାଛଡ଼ା ପୀଠ ନିକଟ ମହାନଦୀ କୂଳରେ ସତର୍କ ସୂଚନା ଫଳକ ନିର୍ମାଣ, ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ଡଙ୍ଗା ଓ ଲାଇଫ୍‌ ଜ୍ୟାକେଟ୍‌ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ କମିଟି ଓ ପଞ୍ଚାୟତ ପ୍ରତିନିଧିଙ୍କ ସହ ବିଧାୟକ ଶ୍ରୀ ମିଶ୍ର ଆଲୋଚନା କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର