ପରିବାରର ତିନି ନାବାଳିକାଙ୍କ ସହ ୪ ଝିଅ ନିଖୋଜ

ଜଗତସିଂହପୁର ସଦର : ଶୁକ୍ରବାର ରାତିରେ ନାଟକୀୟ ଢଙ୍ଗରେ ଗୋଟିଏ ପରିବାରର ୪ ଜଣ ଝିଅ ନିଖୋଜ ହୋଇଯାଇଛନ୍ତି । ଏ ସମ୍ପର୍କରେ ଝିଅମାନଙ୍କ ମା’ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ।

ତେବେ, ସେମାନେ କେଉଁଆଡ଼େ ଗଲେ ଓ କିଏ ସେମାନଙ୍କୁ ନେଲା ସେ ସଂପର୍କରେ କୌଣସି ଖବର ମିଳିପାରି ନାହିଁ। ଅଭିଯୋଗ ମୁତାବକ, ରଘୁନାଥପୁର ଅଞ୍ଚଳର ଅର୍ଚନା (ଛଦ୍ମନାମ)ଙ୍କର ଦେହ ଖରାପ ହୋଇଥିବାରୁ ସେ ନିଜର ୩ ଝିଅଙ୍କ ସହିତ ବାପଘର ଜଗତସିଂହପୁର ଥାନା ଅନ୍ତର୍ଗତ ଖେରତ ଗ୍ରାମକୁ ଆସିଥିଲେ। ଖେରତରେ ସେମାନେ ସମସ୍ତେ ଗତକାଲି ରାତିରେ ନିଜ ସମ୍ପର୍କୀୟଙ୍କ ଘରେ ଖାଇ ଶୋଇଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ତଳ ଘରେ ଶୋଇଥିବା ବେଳେ ତିନି ଝିଅଙ୍କ ସମେତ ସେମାନଙ୍କ ସାନ ମାମୁଁଙ୍କ ଜଣେ ଝିଅ ଉପର ଘରେ ଶୋଇଥିଲେ। ଭୋର ପ୍ରାୟ ସାଢ଼େ ୫ଟା ବେଳେ ପରିବାର ଲୋକେ ଉଠି ଦେଖିଲା ବେଳକୁ ଏହି ୪ ଭଉଣୀ ଘରେ ନଥିଲେ। ଏଭଳି ଢଙ୍ଗରେ ୪ ଜଣ ଝିଅ କେଉଁଆଡ଼େ ନିଖୋଜ ହୋଇଯାଇଥିବାରୁ ଘରଲୋକେ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କର କୌଣସି ସନ୍ଧାନ ନ ମିଳିବାରୁ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ନିଖୋଜ ଝିଅ ମଧ୍ୟରେ ୩ ଜଣ ନାବାଳିକା ଅଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଥିଲେ ହେଁ ବାଳିକାମାନଙ୍କର କୌଣସି ସନ୍ଧାନ ମିଳି ପାରିନାହିଁ।

ସମ୍ବନ୍ଧିତ ଖବର