ପାରାଚ୍ୟୁଟ୍‌ ଡ୍ରପିଙ୍ଗ ପ୍ରଶିକ୍ଷଣ ବେଳେ ଅଘଟଣ : ବାୟୁସେନା ଯବାନଙ୍କ ମୃତ୍ୟୁ

୨୦ ଘଣ୍ଟା ପରେ ମୃତଦେହ ଉଦ୍ଧାର

ଚୌଦ୍ୱାର-ଗୁରୁଡିଝାଟିଆ : ଚୌଦ୍ୱାର ଚାରବାଟିଆସ୍ଥିତ ବିମାନ ଉଡାଣ ଗବେଷଣା କେନ୍ଦ୍ର (ଏଆର୍‌ସି) ଅଧୀନରେ ପାରାଚ୍ୟୁଟ୍‌ ଡ୍ରପିଙ୍ଗ୍‌ ପ୍ରଶିକ୍ଷଣ ଚାଲିଥିବା ବେଳେ ନିଖୋଜ ହୋଇଯାଇଥିବା ଜଣେ ବାୟୁସେନା ଯବାନଙ୍କ ମୃତଦେବ ଗଭୀର ପାଣି ମଧ୍ୟରୁ ଉଦ୍ଧାର କରାଯାଇଛି । ମୃତ ଯବାନ ହେଉଛନ୍ତି କର୍ଣ୍ଣାଟକ ରାଜ୍ୟ ମହିଶୁରର ସୋନମ ତେଇସିଂଙ୍କ ପୁତ୍ର ତାସି ତାୱା।

ପୁଲିସଠାରୁ ମିଳିଥିବା ସୂଚନା ଅନୁସାରେ, ଚାରବାଟିଆସ୍ଥିତ ଏଆର୍‌ସିରେ ବାୟୁସେନାର ବିଭିନ୍ନ କ୍ୟାମ୍ପରୁ ଯବାନମାନେ ଆସି ପାରାଚ୍ୟୁଟ୍‌ ଡ୍ରପିଙ୍ଗର କୌଶଳ ପ୍ରଶିକ୍ଷଣ ନେଇଥାନ୍ତି । ଶନିବାର ରାତିରେ ମଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ଷେଣ୍ଢପଡିଆରେ ନିୟମିତ ପାରାଚ୍ୟୁଟ୍‌ ଡ୍ରପିଙ୍ଗ୍‌ ପ୍ରସ୍ତୁତି ଚାଲିଥିଲା । ବାୟୁସେନାର ହେଲିକାପ୍ଟରରେ ୫ଜଣ ଯବାନ ପାରାଚ୍ୟୁଟ୍‌ ସହ ଚୌଦ୍ୱାର ଥାନା କରଞ୍ଜି ପଞ୍ଚାୟତରେ ଥିବା ହରିପୁର ଜଳପ୍ରକଳ୍ପ ଡ୍ୟାମ ନିକଟରୁ ଜମ୍ପ୍‌ କରିଥିଲେ। ପରେ ସେମାନେ ନିଖୋଜ ହୋଇଯାଇଥିଲେ ।

ରାତିସାରା ବାୟୁସେନା ଓ ଏଆରସି ପକ୍ଷରୁ ସେମାନଙ୍କ ଖୋଜାଖୋଜି କରାଯାଇଥିଲେ ମଧ୍ୟ କାହାରି ସଂଧାନ ମିଳି ନଥିଲା। ପରେ ଆଜି ସକାଳେ ୪ ଜଣ ଯବାନଙ୍କୁ ଜଙ୍ଗଲର ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାସିଙ୍କ ଖୋଜ ଖବର ମିଳି ନଥିଲା । ତେବେ ହରିପୁର ଡ୍ୟାମ୍ପ ଜଳାଶ୍ରୟରୁ ତାସି ବ୍ୟବହାର କରିଥିବା ପାରାଚ୍ୟୁଟ୍‌ ଓ ହେଲ୍‌ମେଟ ମିଳିବା ପରେ ସେ ସେଠାରେ ବୁଡିଯାଇଥିବା ସଂଦେହ କରି ତଲାସି କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ତଲାସି କାର୍ଯ୍ୟରେ ଏନ୍‌ଡିଆର୍‌ଏଫ, ଓଡ୍ରାଫ, ବାୟୁସେନା, ସ୍ଥଳସେନା, ଓଡିଶା ଅଗ୍ନିଶମ, ଏଆରସି, ଆଇଏନଏସ୍‌ ଚିଲିକାର ଯବାନମାନେ ସାମିଲ ହୋଇଥିଲେ ।

ଗଭୀର ଜଳ ମଧ୍ୟରୁ ଅକ୍ସିଜେନ ବହନ କରି ବୁଡାଳିମାନେ ପ୍ରବେଶ କରି ଖୋଜାଖୋଜି କରିବା ପରେ ତାସିଙ୍କ ମୃତଦେହ ଦୀର୍ଘ ୨୦ ଘଣ୍ଟା ପରେ ଉଦ୍ଧାର ହୋଇଥିଲା। ତାସିଙ୍କ ଶରୀରରେ ମଧ୍ୟ ଅନ୍ୟ ଏକ ପାରାଚ୍ୟୁଟ୍‌ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ହେଲିକାପ୍ଟରରୁ ଜମ୍ପିଂ ବେଳେ ଆକାଶ ଛତାଟି ଖୋଲି ନଥିବାରୁ ତାସି ଗଭୀର ଜଳ ମଧ୍ୟକୁ ଖସିପଡି କାଦୁଅ ମଧ୍ୟରେ ଫସି ମୃତ୍ୟୁବରଣ କରିଥିବା ଆଶଙ୍କା ପ୍ରକାଶ କରାଯାଉଛି।

ଶନିବାର ରାତିରୁ ଦୁର୍ଘଟଣା ଘଟିବା ପରଠାରୁ ମୃତଦେହ ଉଦ୍ଧାର ହେବା ମଧ୍ୟରେ ବ୍ୟବଧାନ ଥିଲା ୨୦ଘଣ୍ଟା । ଏହି ସମୟ ମଧ୍ୟରେ ଇଣ୍ଡୋ-ତିବଭିଆନ ବର୍ଡର ପୁଲିସ ପକ୍ଷରୁ ୩୦ କିଲୋମିଟର ବ୍ୟାପୀ ଅଞ୍ଚଳକୁ ଘେରାଉ କରି ରଖିଥିଲେ । ମୃତଦେହ ଉଦ୍ଧାର ହେବା ପରେ ଏଆରସିର ସହକାରୀ ନିର୍ଦ୍ଦେଶକ ଏଚ.ପି. ସାହୁ ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି । ଚୌଦ୍ୱାର ପୁଲିସ ମୃତଦେହକୁ ଜବତ୍‌ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡମେଡିକାଲକୁ ପଠାଇଛନ୍ତି ।

ସମ୍ବନ୍ଧିତ ଖବର