ରାଜନଗର: ଭିତରକନିକାର ଘଞ୍ଚ ଜଙ୍ଗଲରେ ୬ଦିନ ଧରି ବାଟବଣା ହୋଇ ନିଖୋଜ ଥିବା ମା’-ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଜି ସକାଳୁ ବନ ବିଭାଗର ୧୦ଟି ଟିମ୍ରେ ପ୍ରାୟ ୧୦୦ଜଣ ଖୋଜାଖୋଜି କରି ମା’ ଓ ପୁଅଙ୍କୁ ଉଦ୍ଧାର କରିଛନ୍ତି। ଗାଁ ଠାରୁ ପ୍ରାୟ ୨୦ କିମି ଦୂର ଉକ୍ତ ସ୍ଥାନରୁ ଦୁଇଜଣଙ୍କୁ ଉଦ୍ଧାର ପରେ ବୋଟ୍ ଯୋଗେ କୂଳକୁ ଅଣାଯାଇଛି। ଜଙ୍ଗଲରେ ୫ଦିନ ଧରି କିଛି ଖାଇ ନ ଥିବାରୁ ଦୁଇଜଣଙ୍କୁ ଚିକିତ୍ସା ପାଇଁ ଗୁପ୍ତି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଉଦ୍ଧାରରେ ସାମିଲ ହୋଇଥିଲେ ୧୦୦ଜଣ
ଘଞ୍ଚ ଜଙ୍ଗଲରେ ଠାବ କଲା ବନ ବିଭାଗ
ରାଜନଗର ଥାନା ଅନ୍ତର୍ଗତ ଗୁପ୍ତି ପଞ୍ଚାୟତ ଦେବେନ୍ଦ୍ରନାରାୟଣପୁର ଗାଁର ଦିଲ୍ଲୀପ ମୀର୍ଦ୍ଧାଙ୍କ ପତ୍ନୀ ଅଞ୍ଜନା ମୀର୍ଦ୍ଧା ଓ ତାଙ୍କ ପୁଅ ରତିକାନ୍ତ ମୀର୍ଦ୍ଧାଙ୍କ ସହ ସେହି ଗାଁର ଅହଲ୍ୟା ମଣ୍ଡଳ ଓ ତାଙ୍କ ପୁଅ ବୁଧବାର ଭିତରକନିକା ଜାତୀୟ ଉଦ୍ୟାନକୁ କଙ୍କଡ଼ା ଧରିବାକୁ ଯାଇଥିଲେ। ମାତ୍ର ଜଙ୍ଗଲରେ ବାଟବଣା ହୋଇଯାଇଥିଲେ ଅଞ୍ଜନା ଓ ରତିକାନ୍ତ। ସେମାନଙ୍କୁ ନ ପାଇ ଗୁରୁବାର ଅହଲ୍ୟା ଓ ତାଙ୍କ ପୁଅ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇଥିଲେ। ଶନିବାର ୨୦ଜଣ ବନ କର୍ମଚାରୀ ଜଙ୍ଗଲରେ ଖୋଜାଖୋଜି କରିଥିଲେ ସୁଫଳ ମିଳି ନ ଥିଲା। ଆଜି ସକାଳୁ ବନ ବିଭାଗର ୪୦ଜଣ କର୍ମଚାରୀ ଓ ୬୦ଜଣ ସ୍ଥାନୀୟ ଲୋକ ୪ଟି ବୋଟ୍ ଓ ୬ଟି ଡଙ୍ଗାରେ ତଲାସୀ ଆରମ୍ଭ କରିଥିଲେ। ଦିନ ପ୍ରାୟ ୩ଟାରେ ମାଙ୍କୁଆ ନାଳ ନିକଟରେ ବୋଟ୍ ଶବ୍ଦ ଶୁଣି ମା’-ପୁଅ ଡାକ ପକାଇଥିଲେ। ଫଳରେ କର୍ମଚାରୀମାନେ ଜଙ୍ଗଲ ଭିତରକୁ ଯାଇ ଏକ ବୁଦା ନିକଟରୁ ମା’-ପୁଅଙ୍କୁ ଉଦ୍ଧାର କରିଥିଲେ। ଉପବାସରେ ଥିବାରୁ ଉଭୟ ଠିକ୍ ଭାବେ କଥା କହିପାରୁ ନାହାନ୍ତି।