ନିଖୋଜ ଜଜ୍‌ଙ୍କ ପୁଅ ହାୱଡା ଷ୍ଟେସନରୁ ଉଦ୍ଧାର

ଭୁବନେଶ୍ୱର : ଗତ ୧୮ ତାରିଖରେ ଭୁବନେଶ୍ବରରୁ ନିଖୋଜ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଲକ୍ଷ୍ମୀନାରାୟଣ ରାୟ ବାହାଦୁରଙ୍କ ପୁଅ ରୁଦ୍ର ନାରାୟଣ ରାୟ ବାହାଦୁର ହାୱଡା ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି। ଲକ୍ଷ୍ମୀସାଗର ଥାନାର ଏକ ସ୍ବତନ୍ତ୍ର ପୁଲିସ ଦଳ ତାଙ୍କୁ ସେଠାରୁ ଉଦ୍ଧାର କରିବା ସହ ଭୁବନେଶ୍ବର ଆଣି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ପରିବାର ସହ ମନୋମାଳିନ୍ୟ ଯୋଗୁ ସେ ଘର ଛାଡ଼ି ଚାଲି ଯାଇଥିଲେ ବୋଲି ଜଣାପଡ଼ିଛି।

ମାଜିଷ୍ଟ୍ରେଟ୍‌ ଶ୍ରୀ ରାୟବାହାଦୁର ସୁନ୍ଦରଗଡ଼ରେ ରହୁଥିବା ବେଳେ ପରିବାରବର୍ଗ ଝାରପଡ଼ାରେ ରହନ୍ତି। ଯୁକ୍ତ ଦୁଇ ପାସ୍‌ କରିବା ପରେ ରୁଦ୍ର ସତ୍ୟନଗରସ୍ଥିତ ସାମଲ କୋଚିଂ ସେଣ୍ଟରରେ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଗତ ଶୁକ୍ରବାର କୋଚିଂ ସେଣ୍ଟର ଯିବା ପରେ ସେ ଆଉ ଫେରି ନଥିଲେ। ସେ ସ୍କୁଟରକୁ ବୁଦ୍ଧନଗରରେ ରଖି କରି କୋଲକାତା ଚାଲି ଯାଇଥିଲେ। ସେଠାରେ ଟଙ୍କା ସରିଯିବା ପରେ ଘରକୁ ଏକ ଟେଲିଫୋନ ବୁଥ୍‌ରୁ ଫୋନ୍‌ କରିଥିଲେ। ବୁଥ୍‌କୁ ଠାବ କରାଯିବା ପରେ ହାୱଡା ରେଳ ଷ୍ଟେସନର ଆରପିଏଫ୍‌କୁ ଖବର ଦିଆଯାଇଥିଲା। ତାଙ୍କୁ ଆରପିଏଫ୍‌ ଉଦ୍ଧାର କରିବା ପରେ ପୁଲିସର ଏକ ଦଳ ହାୱଡ଼ା ଯାଇଥିଲା। ପରେ ବୁଦ୍ଧନଗରରୁ ତାଙ୍କ ସ୍କୁଟର ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର