ଗୋପ/ଭୁବନେଶ୍ବର: ପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ସାଇଣ୍ଟିଫିକ୍ ଟିମ୍‌କୁ ହଜି ଯାଇଥିବା ଧର୍ମେନ୍ଦ୍ରଙ୍କ ମୋବାଇଲ୍‌ ଫୋନ୍‌ ମିଳିଛି। ସାଇଣ୍ଟିଫିକ୍ ଟିମ୍‌ର ମୁଖ୍ୟ ସୁଶ୍ରୀ ସୋବିୟାନା ଏହି ସୂଚନା ଦେଇଛନ୍ତି। ଦିନ ତମାମର ତଦନ୍ତ ପରେ କମିସନରେଟ୍ ପୁଲିସ ସନ୍ଧ୍ୟାରେ ସନ୍ଧାନୀ କୁକୁର ସାହାଯ୍ୟରେ ହଜିଯାଇଥିବା ମୋବାଇଲକୁ ଉଦ୍ଧାର କରିଛି। ପୁଲିସ ଦୁଇ ମୋବାଇଲକୁ ସାଇନଟିଫିକ୍‌କୁ ହସ୍ତାନ୍ତର କରିଛି। ଏହାକୁ ସାଇବର ପୁଲିସ ସାହାଯ୍ୟରେ ଅନ୍‌ଲକ୍ କରାଯାଇ ଧର୍ମେନ୍ଦ୍ର ଉଲ୍ଲେଖ କରିଥିବା ଭିଡିଓ ବାହାର କରାଯିବ ବୋଲି ଆଶା କରାଯାଉଛି। ଉକ୍ତ ଭିଡ଼ିଓ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ରହସ୍ୟ ଖୁଲସା କରିବ ବୋଲି ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ କରିଥିବା ଫେସବୁକ୍ ପୋଷ୍ଟରୁ ସୂଚନା ମିଳୁଛି। ପୂର୍ବରୁ ଧର୍ମେନ୍ଦ୍ର ଆତ୍ମହତ୍ୟା କରିଥିବା ସ୍ଥଳରୁ ବିଡାଏ ପାଞ୍ଚ ଶହ ଟଙ୍କା ମିଳିଥିଲା। ଏହି ଅର୍ଥର ପରିମାଣ ୩୬ ହଜାର ଟଙ୍କା ଥିଲା।

Advertisment

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର କୁମାର ସାହୁଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଥିଲା। ଭୁବନେଶ୍ୱରର ଶିଶୁପାଳଗଡ଼ରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିଲେ। ଘର ପୋର୍ଟିକୋରେ ସେ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଏହାପରେ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଏଣେ ମୃତ୍ୟୁ ପୂର୍ବରୁ  ଧର୍ମେନ୍ଦ୍ର ସାହୁ ସୋସିଆଲ ମିଡିଆରେ କରିଥିବା ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। “ମୋ ଫୋନ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ ବୋଲି ସେ ଏହି ସୋସିଆଲ ମିଡିଆରେ ସୂଚନା ଦେଇଥିବା ଜଣାଯାଇଛି। ତାଙ୍କ ପରିବାରରେ ରାଜନୈତିକ କାରଣରୁ ସମସ୍ୟା ଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କର ପରୋକ୍ଷ ସଂପର୍କ ରହିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।