ନିଖୋଜ ବୃଦ୍ଧଙ୍କୁ ଉଦ୍ଧାର, ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୁଲିସ

ଝରିଗାଁ: ନବରଙ୍ଗପୁର ଜିଲ୍ଳା ଝରିଗାଁ ପୁଲିସ ଏକ ମାନସିକ ବିକୃତ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ। ପରିବାର ଲୋକଙ୍କ ଠିକଣା ବାହାର କରିବା ସହ ପରିବାର ଲୋକଙ୍କୁ ଯୋଗାଯୋଗ କରି ଆଜି ହସ୍ତାନ୍ତର କରିଛନ୍ତି। ତେବେ ଝରିଗାଁ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ଆବାସ ଅଲ୍ଲୀଙ୍କ ପ୍ରଚେଷ୍ଟାରେ ଆଜି ଏହା ସମ୍ଭବ ହୋଇ ପାରିଛି।

ସୂଚନା ପ୍ରକରେ ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ବିଷମପୁରିଆ ସାହିରେ ଗତ ୨୧ ତାରିଖ ଦିନ ଜଣେ ମାନସିକ ବିକୃତ ବୃଦ୍ଧ ଜଣକ ଗ୍ରାମରେ ଚଳାବୁଲା କରୁଥିବା ଗ୍ରାମବାସୀ ଦେଖିଥିଲେ। ପରେ ଲୋକର ପରିଚୟ ଜାଣିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବୃଦ୍ଧ ଜଣକ ମାନସିକ ବିକୃତ ଥିବା ଯୋଗୁଁ ସଠିକ ପରିଚୟ ଦେଇ ପାରିନଥିଲେ। ଶେଷରେ ଗ୍ରାମବାସୀ ଝରିଗାଁ ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଝରିଗାଁ ପୁଲିସ ବୃଦ୍ଧଙ୍କୁ ବିଷମପୁରିଆ ସାହି ଗ୍ରାମ ଯାଇ ଉଦ୍ଧାର କରି ଝରିଗାଁ ଥାନାରେ ରଖିଥିଲେ। ଝରିଗାଁ ଥାନାର ଗୃହରକ୍ଷୀ ଆବାସ ଅଲ୍ଲୀ ପ୍ରଥମେ ବୃଦ୍ଧଙ୍କୁ ଗାଧେଇବା ପାଇଁ ସମସ୍ତ ବ୍ୟବସ୍ଥା କରିବା ସହ ସଫା ପୋଷାକ ପିନ୍ଧିବା ପାଇଁ ଦେଇ ଥିଲେ।ପରେ ବୃଦ୍ଧଙ୍କ ସହ ଦିନକ ମଧ୍ୟରେ ବହୁ ବାର ହିନ୍ଦୀ ଭାଷାରେ କଥାବାର୍ତ୍ତା ହୋଇଥିଲେ। କିଛି ଦିନ ପର୍ଯ୍ୟନ୍ତ ବୃଦ୍ଧଙ୍କ ସହ ନିଜର ଲୋକ ଭଳି କଥାବାର୍ତ୍ତା ହେବା ପରେ ବୃଦ୍ଧ ଜଣକ ନିଜର ପରିଚୟ ବହୁ କଷ୍ଟରେ ୱେଷ୍ଟ ବେଙ୍ଗଲ ରାଜ୍ୟ ଆଳିପୁରଦୁଆର ଜିଲ୍ଲା କଲାଚିନି ବ୍ଲକ ଛୁଆପାରା ଗ୍ରାମର ୯ ନମ୍ବର ଲାଇନରେ ରହୁଥିବା କହିଥିଲେ। ପରେ ଗୃହରକ୍ଷୀ ଆବାସ ଅଲ୍ଲୀ ଦୁଇ ରାତି ୟୁଟୁବରେ ସୋର୍ଚ୍ଚ କରିଥିଲେ। କିନ୍ତୁ କିଛି ପାଇ ନଥିଲେ।

ଶେଷରେ କଲାଚିନି ବ୍ଲକ ନିୟୁଜ ସୋର୍ଚ୍ଚ କରିବା ପରେ ଆମ୍ବୁଲାନ୍ସରେ ଏକ ଫୋନ ନମ୍ବର ଲେଖା ଥିବା ଦେଖି ଫୋନ କରିଥିଲେ। ଦୀର୍ଘ ସମୟ ଧରି ଫୋନ କରିବା ପରେ ଆମ୍ବୁଲାନ୍ସ ଚାଳକ ଫୋନ ଉଠାଇ ଥିଲେ। ପରେ ଆବାସ ଅଲ୍ଲୀ ଘଟଣା ସମ୍ପର୍କରେ କହିବା ସହ କଲାଚିନି ପୁଲିସ ସହ ଯୋଗାଯୋଗ କରେଇବା ପାଇଁ ଅନୁରୋଧ କରିଥିଲେ। ଦୁଇ ଘଣ୍ଟା ପରେ ଆମ୍ବୁଲାନ୍ସ ଚାଳକ କଲାଚିନି ପୋଲିସ ସହ ଯୋଗାଯୋଗ କରାଇଥିଲେ। ପରେ କଲାଚିନି ପୋଲିସ ତଦନ୍ତ କରି ବୃଦ୍ଧ ବ୍ୟକ୍ତି ଜଣକ ଠିକଣା ପାଇ ଚାରି ବର୍ଷ ଧରି ନିଖଜ ଥିବା ସୂଚନା ଦେଇଥିଲେ। ପରେ ଆବାସ ଅଲ୍ଲୀ ପରିବାର ଲୋକ ମାନଙ୍କୁ ଭିଡିଓ କଳରେ ବୃଦ୍ଧଙ୍କୁ ପରିବାର ଲୋକଙ୍କୁ ଦେଖାଇଥିଲେ। ପରିବାର ଲୋକ ବୃଦ୍ଧଙ୍କୁ ଚିହ୍ନିବା ସହ ବୃଦ୍ଧ ମଧ୍ୟ ପରିବାର ଲୋକଙ୍କୁ ଦେଖି ଖୁସିରେ ଆଖିରୁ ଲୁହ ଝରୀ ଆସିଥିଲା। ଶେଷରେ ବୃଦ୍ଧଙ୍କ ଝିଅ ଜ୍ବାଇଁ ବିଜୟ ମାହାଳି ଓ ପୁତୁରା ରିତେଶ ଲହାର ଝରିଗାଁ ଥାନା ଆସି ବୃଦ୍ଧଙ୍କୁ ନେଇଥିଲେ।ଆବାସ ଅଲ୍ଲୀ ସମସ୍ତଙ୍କୁ ଉମରକୋଟ ନେଇ ସେଠାରୁ ରାୟପୁର ବସରେ ବସାଇ ଝରିଗାଁ ଫେରି ଆସିଥିଲେ।

ସମ୍ବନ୍ଧିତ ଖବର