ଝରିଗାଁ: ଆଜିକୁ ଚାରି ବର୍ଷ ତଳେ ୱେଷ୍ଟ ବେଙ୍ଗଲ ରାଜ୍ୟ ଆଳିପୁରଦୁଆର ଜିଲ୍ଲା କାଳଚିନି ବ୍ଲକ ଛୁଆପାରା ଗ୍ରାମର ୯ ନମ୍ବର ଲାଇନର ୬୦ ବର୍ଷୀୟ ବୃଦ୍ଧ ଶଙ୍କର ଓରାଉ ଜମ୍ମୁକାଶ୍ମୀରରେ କୌଣସି କାରଣ ଯୋଗୁଁ ରାସ୍ତା ଭଟକି ଯାଇଥିଲେ।ବୋଧେ କାହାରି ସହଯୋଗ ନପାଇ ଚାପରେ ମାନସିକ ରୋଗୀ ହୋଇଯାଇଥିଲେ।ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା।ଏପରିକି ପରିବାର ଲୋକ ବୃଦ୍ଧ ଜଣକ ମୃତ ନା ଜୀବିତ ବି ଜାଣିବା ସମ୍ଭବ ହୋଇ ପାରିନଥିଲା।ଶେଷରେ ବୃଦ୍ଧଙ୍କ ଖୋଜ ଖବର ନମିଳିବା ଯୋଗୁଁ ସ୍ତ୍ରୀ ଆଶା ଛାତି ଦେଇ ବିଧବା ହୋଇଯାଇଥିବା ନେଇ ସୂଚନା ମିଳିଛି।

Advertisment

ଇତି ମଧ୍ୟରେ ଗତ ୨୧ ତାରିଖ ଦିନ ଜମ୍ମୁକାଶ୍ମୀରରୁ ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ବିଷମପୁରିଆ ସାହି ଗ୍ରାମକୁ ବୃଦ୍ଧ ଚାଲି ଆସିଥିଲେ। ଗ୍ରାମବାସୀ ଅଜଣା ବୃଦ୍ଧଙ୍କୁ ଦେଖି ଝରିଗାଁ ଥାନାରେ ଖବର ଦେଇଥିଲେ।ଖବର ପାଇ ଝରିଗାଁ ଥାନା ଅଧିକାରୀ ତପନ କୁମାର ପତି ତୁରନ୍ତ ଏକ ଟିମ ପଠାଇ ବୃଦ୍ଧଙ୍କୁ ଥାନାକୁ ଆଣିଥିଲେ।ଥାନାକୁ ଆଣିବା ପରେ ଗୃହରକ୍ଷୀ ଆବାସ ଅଲ୍ଲୀ ବୃଦ୍ଧଙ୍କ ଯତ୍ନ ନେବା ସହ ପରିଚୟ ସଂଗ୍ରହ କରିଥିଲେ।ପରେ ୟୁ-ଟ୍ୟୁବ ମାଧ୍ୟମରେ ସୋର୍ଚ୍ଚ କରି ସେଠାକାର ପୋଲିସ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।ପରେ ସେଠାକାର ପୋଲିସ ପରିବାର ଲୋକଙ୍କ ସହ ଝରିଗାଁ ପୋଲିସ ସହ ଫୋନରେ ଯୋଗାଯୋଗ କରାଇଥିଲେ।ଏପରିକି ଭିଡିଓ କଲ ମାଧ୍ୟମରେ ବୃଦ୍ଧଙ୍କୁ ପରିବାର ଲୋକଙ୍କ ସହ ଯୋଗାଯୋଗ ଯୋଗାଯାଗ କରିଥିଲେ।ପରିବାର ଲୋକ ବୃଦ୍ଧଙ୍କୁ ଚିହ୍ନିବା ପରେ ଭାବବିହୁଲ ହୋଇ ଯାଇଥିଲେ।ସ୍ତ୍ରୀ ୪ ବର୍ଷ ପରେ ସ୍ୱାମୀଙ୍କୁ ଦେଖି ଆଖିରୁ ଲୁହ ଆସିଯାଇଥିଲା।ସ୍ୱାମୀ ଜୀବିତ ଥିବା ଜାଣି ବିଧବାରୁ ସାଧବା ହୋଇ ଶଙ୍ଖା ସିନ୍ଦୁର ପିନ୍ଦିଥିବା ସୂଚନା ମିଳିଛି।ଗତ ରବିବାର ଦିନ ବୃଦ୍ଧଙ୍କୁ ନେବା ପାଇଁ ସମ୍ପର୍କୀୟ ମାନେ ଝରିଗାଁ ଥାନା ଆସିଥିଲେ।ଝରିଗାଁ ଥାନା ଅଧିକାରୀ ତପନ କୁମାର ପତି, ମହେଶ ପଟ୍ଟନାୟକ ଏବଂ ଆବାସ ଅଲ୍ଲୀ ପ୍ରମୁଖ ନିଜ ଗାଡ଼ିରେ ସମସ୍ତଙ୍କୁ ଉମରକୋଟ ନେଇ ସେଠାରୁ ରାୟପୁର ଗାଡ଼ିରେ ବସାଇ ଥିଲେ।ଝରିଗାଁ ଥାନା ଅଧିକାରୀ ସମସ୍ତଙ୍କ ଗାଡି ଭଡା ଦେବା ସହ ବାଟ ଖର୍ଚ୍ଚ ମଧ୍ୟ ଦେଇଥିଲେ।ବୃଦ୍ଧ ଜଣକ ଘରେ ପହଁଚିବା ପର୍ଯ୍ୟନ୍ତ ନଜର ରଖିଥିଲେ।

ଅନ୍ୟପକ୍ଷେ ଆଜି ବୃଦ୍ଧ ଜଣକ ନିଜ ଘରକୁ ଫେରି ଥିବା ବେଳେ ପରିବାର ଲୋକଙ୍କ ମଧ୍ୟରେ ଖୁସିରେ ଆଖିରୁ ଲୁହ ଆସିଯାଇଥିଲା।ବୃଦ୍ଧଙ୍କ ଗ୍ରାମରେ ଗ୍ରାମବାସୀ ଅପେକ୍ଷା କରିଥିବା ବେଳେ ବହୁ ଆଡମ୍ବର ସହ ସ୍ୱାଗତ କରିଥିଲେ।୪ ବର୍ଷ ପରେ ନିଖଜ ବୃଦ୍ଧଙ୍କୁ ପାଇ ପରିବାର ତଥା ସମ୍ପର୍କୀୟ ମାନେ ଝରିଗାଁ ପୋଲିସ ପ୍ରଶାସନ ବିଶେଷ କରି ଥାନା ଅଧିକାରୀ ଶ୍ରୀ ପତି ଏବଂ ଗୃହରକ୍ଷୀ ଶ୍ରୀ ଅଲ୍ଲୀଙ୍କୁ କୃତଜ୍ଞତା ଜଣାଇ ଥିଲେ।ଝରିଗାଁ ପୋଲିସର ଏହିଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରିଥିବା ବେଳେ ଅନ୍ୟ ପୋଲିସ କର୍ମଚାରୀ ମାନଙ୍କ ପାଇଁ ଏହା ପ୍ରେରଣା ଦେବ ବୋଲି ସାଧାରଣରେ ଆଲୋଚନା ହେଉଛି।