ଦୁଇବର୍ଷ ପରେ ଘରକୁ ଫେରିଲେ ନିଖୋଜ ପାଚିକା, ରାଲି ପାଇଁ ଦିଲ୍ଲୀକୁ ଯାଇ ଫେରିନଥିଲେ

କେନ୍ଦୁଝର/ମଇଦାନକେଲ : ନୂଆଦିଲ୍ଲୀରେ ରାଲି କରିବାକୁ ଯାଇ ନିଖୋଜ ହୋଇଯାଇଥିବା କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ମଇଦାନକେଲ ଗ୍ରାମର ପାଚିକା ଗୌରୀ ମହାନ୍ତ ଦୁଇବର୍ଷ ପରେ ଗତକାଲି ଘରକୁ ଫେରିଛନ୍ତି। ଗୌରୀଙ୍କୁ ପାଇ ତାଙ୍କ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇଯାଇଛନ୍ତି।

୨୦୧୭ ମସିହା ନଭେମ୍ବର ୭ ତାରିଖରେ ସିଟୁ ନେତୃତ୍ବରେ ଦିଲ୍ଲୀରେ ପାଚିକା ସଂଘର ଏକ ରାଲି ଆୟୋଜନ କରାଯାଇଥିଲା। ସଦର ବ୍ଲକରୁ ୩୦ ଜଣ ପାଚିକା ଶ୍ରମିକ ନେତା ଅନନ୍ତ ମହାନ୍ତଙ୍କ ନେତୃତ୍ବରେ ଦିଲ୍ଲୀ ଯାଇଥିଲେ। ରାଲି ପରେ ସମସ୍ତ ପାଚିକା ଏକ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସେଠାରେ ଗୌରୀ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳି ନଥିଲା। ଟ୍ରେନ ଛାଡ଼ିବା ସମୟ ହୋଇଯାଉଥିବା ବେଳେ ଗୌରୀଙ୍କ ଭଉଣୀ କୁନ୍ତଳା ତାଙ୍କୁ ଛାଡ଼ିଯିବାକୁ ରାଜି ହୋଇ ନଥିଲେ। ହେଲେ ତାଙ୍କୁ ବୁଝାସୁଝା କରାଯାଇ ଟ୍ରେନ୍‌ରେ ବସାଯାଇଥିଲା। ସେବେଠାରୁ ଗୌରୀ ଦିଲ୍ଲୀରେ ରହିଯାଇଥିଲେ।

ଏନେଇ ଗୌରୀଙ୍କ ପରିବାର ସଦର ଥାନା ଓ ଦିଲ୍ଲୀର କାଲକାଜି ଥାନାରେ ଅଭିଯୋଗ କରିଥିଲେ। ହେଲେ କିଛି ସୁଫଳ ମିଳି ନଥିଲା। ଗୌରୀ ଦିଲ୍ଲୀରେ ଏଣେତେଣେ ବୁଲୁଥିବା ‌ବେଳେ ‘ଦି ଆର୍ଥ ସେଭିୟର୍ସ ଫାଉଣ୍ଡେସନ୍’ ତାଙ୍କୁ ଉଦ୍ଧାର କରିଥିଲା। ହେଲେ ଅନୁଷ୍ଠାନର କର୍ମକର୍ତ୍ତା ଗୌରୀଙ୍କ କଥା ବୁଝି ପାରୁ ନଥିଲେ। ଗୌରୀ ମଧ୍ୟ ଓଡ଼ିଆ ବ୍ୟତୀତ ଅନ୍ୟ କୌଣସି ଭାଷା କହିପାରୁ ନଥିଲେ। ଦୀର୍ଘ ଦିନ ଧରି ଗୌରୀ ସେଠାରେ ରହିଥିଲେ। କିଛିଦିନ ତଳେ ଜଣେ ଓଡ଼ିଆ ଝିଅ ଉକ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ଚାକିରି କରିବା ପରେ ସେ ଗୌରୀଙ୍କ ସହ କଥାବାର୍ତ୍ତା କରି ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍‌ କରିଥିଲେ। ସୋସିଆଲ ମିଡିଆରୁ ପରିବାର ‌ଲୋକେ ଗୌରୀଙ୍କ ସମ୍ପର୍କରେ ଜାଣିବା ପରେ ୧୦ ତାରିଖରେ ଦିଲ୍ଲୀ ଯାଇ ତାଙ୍କୁ ଘରକୁ ଫେରାଇ ଆଣିଛନ୍ତି।

ସମ୍ବନ୍ଧିତ ଖବର