ଢେଙ୍କାନାଳ: ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ସାକ୍ଷାତ କରି ଅଭିଯୋଗ ଜଣାଇବା ଲାଗି ଯାଉଥିବା ଯାଜପୁର ଅଞ୍ଚଳର ନିଖୋଜ ଝିଅ ପିହୁର ମା’ ସମେତ ଅନ୍ୟାନ୍ୟ ହତ୍ୟାକାଣ୍ଡ ଆଦିର ୭ ପୀଡ଼ିତ ପରିବାରର ୧୩ ଜଣ ସଦସ୍ୟଙ୍କୁ ଢେଙ୍କାନାଳ ପୁଲିସ ଅଧା ବାଟରୁ ଉଠାଇ ନେଇଥିଲା। ସେମାନଙ୍କୁ ଗୋବିନ୍ଦପୁର ଫାଣ୍ଡିଠାରେ ଅଟକ ରଖାଯାଇଥିବା ବେଳେ ଅପରାହ୍ଣ ସାଢ଼େ ଗୋଟାଏ ସମୟରେ ଛାଡ଼ି ଦିଆଯାଇଛି।
ପ୍ରଧାନମନ୍ତ୍ରୀ ଆଜି ସମ୍ବଲପୁର ଗସ୍ତରେ ଆସିଥିଲେ। ୨୦୨୦ ମସିହାରୁ ନିଖୋଜ ୨ବର୍ଷର ଶିଶୁ ପିହୁର ମା’ ମୋନାଲିସା ନାୟକ ନିଜର ଏକମାତ୍ର ସାନ ପୁଅକୁ ଧରି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଘଟଣାର ସିବିଆଇ ତଦନ୍ତ ଲାଗି ଦାବି ଜଣାଇବାକୁ ଅନ୍ୟ ପୀଡ଼ିତ ପରିବାରଙ୍କ ସହ ଗାଡ଼ିରେ ଯାଉଥିଲେ। ସେମାନଙ୍କ ମଧ୍ୟରେ ଜଗତସିଂହପୁର କୁଜଙ୍ଗାର ସୁବ୍ରତ ଦାସଙ୍କ ଭାଇ ଅମୃତ ଦାସ ହତ୍ୟାକାଣ୍ଡ, ମହାଙ୍ଗାର ଦିଲ୍ଲୀପ କୁମାର ସାହୁଙ୍କ ଭାଇ ଦୀପ୍ତିକାନ୍ତ ସାହୁଙ୍କ ହତ୍ୟାକାଣ୍ଡ, ଗୋପାଳପୁର କ୍ଷେତ୍ରବାସୀ ସାହୁଙ୍କ ୧୬ ବର୍ଷର ପୁଅ ଯୋଗେଶ୍ୱର ସାହୁଙ୍କ ହତ୍ୟାକାଣ୍ଡ ଆଦି ଅନ୍ୟାନ୍ୟ କେତେକ ଘଟଣାରେ ପୀଡ଼ିତ ପରିବାର ସେହି ଗାଡ଼ିରେ ଯାଉଥିଲେ। ଦୁଇଟି ଗାଡ଼ିରେ ୭ ପୀଡ଼ିତ ପରିବାରର ସମୁଦାୟ ୧୩ ଜଣ ସଦସ୍ୟ ଯାଉଥିବା ପିହୁଙ୍କ ମା’ ମୋନାଲିସା କହିଛନ୍ତି।। ଗୋବିନ୍ଦପୁର ଫାଣ୍ଡି ପୁଲିସ ଭୋର ୪ଟାରେ ଅଟକାଇଥିଲା। ପୁଲିସ ସେମାନଙ୍କୁ ଏଠାକାର ଏସ୍ପିଙ୍କୁ ପ୍ରଥମେ ଭେଟିବା ପରେ ଯିବା ଲାଗି କହି ଗାଡ଼ି ଦୁଇଟିକୁ ନେଇ ଆସି ଗୋବିନ୍ଦପୁର ଫାଣ୍ଡିରେ ଅଟକ ରଖିଥିଲା।
ଯାଜପୁର ଜିଲ୍ଲାର ମୋନାଲିସା ନାୟକ କୁହନ୍ତି ଯେ ମୋର ୨ ବର୍ଷର ଝିଅ ପିହୁ ଅପହରଣ ହେବାର ୪ ବର୍ଷ ବିତିଗଲାଣି। ଆମ କଥା କେହି ଶୁଣିଲେନି। ବର୍ଷବର୍ଷ ଧରି ବିଭିନ୍ନ ଅଞ୍ଚଳର ଏଭଳି ପ୍ରାୟ ୫୦ ପୀଡ଼ିତ ପରିବାର ନ୍ୟାୟ ପାଇଁ ସଂଘର୍ଷ କରୁଛୁ। ପ୍ରଧାନମନ୍ତ୍ରୀ ସମ୍ବଲପୁର ଆସୁଥିବା ଜାଣିବା ପରେ ଆମେ ୭ ପୀଡ଼ିତ ପରିବାରର ସଦସ୍ୟମାନେ ମୋଦୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିବାକୁ ସମ୍ବଲପୁର ଯାଉଥିଲୁ। ଏ ସଂପର୍କରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭବାନୀ ଶଙ୍କର ଉଦ୍ଘାତାଙ୍କୁ ପଚାରିବାରୁ ସେ କହିଥିଲେ, ୭ଟି ପରିବାର ନୁହେଁ, ଗୋଟିଏ ଗାଡ଼ିରେ ୨ଜଣ ମହିଳା ଏବଂ ୬ ଜଣ ପୁରୁଷ ଥିଲେ। ସେମାନଙ୍କୁ ଦିନ ୧ଟା ୪୫ ମିନିଟରେ ଛାଡ଼ି ଦିଆଯାଇଛି।