ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ଆଜି ଠାରୁ ବିଜେପିର ଜନ ଜାଗରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛି। ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ତମାମ ଜନ ଜାଗରଣ କାର୍ଯ୍ୟକ୍ରମ କରିବାକୁ ଦଳ ଅଣ୍ଟା ଭିଡ଼ିଛି। ଏହି ଜନ ଜାଗରଣ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ପ୍ରଥମ ଦିନରେ ବିଭିନ୍ନ ଜିଲ୍ଲା ଓ ସବ୍‌ଡିଭିଜନ୍‌ରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ୧୨ ତାରିଖରେ ସପ୍ତାହ ବ୍ୟାପୀ ରାଜ୍ୟର ସବୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏତଲା ଦିଆଯିବ। ଏହା ସହ ରାଜ୍ୟ ସାରା ଥିବା ଜଗନ୍ନାଥ ମନ୍ଦିରମାନଙ୍କରେ ସମୂହ ଦୀପ ଦାନ କରାଯିବ।

ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସମୀର ମହାନ୍ତି କହିଲେ, ଗତ କିଛି ଦିନ ତଳେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିଯାଇଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ବଡ଼ ଠାକୁରଙ୍କ ଧନ ସମ୍ପତ୍ତି ଚୋରି କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ତେଣୁ ଏହା ଫୌଜଦାରୀ ଅପରାଧ। ରାଜ୍ୟ ସରକାର ଏହି ମାମଲାରେ ଠୋସ୍‌ ଆଇନଗତ ପଦକ୍ଷେପ ନେବା ପରିବର୍ତ୍ତେ ଘଟଣାରୁ ଦୃଷ୍ଟି ହଟାଇବା ପାଇଁ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୁଣି ରତ୍ନଭଣ୍ଡାର ଯାଞ୍ଚ୍‌ ଦିନ ରତ୍ନଭଣ୍ଡାରର ଭିତର ଗୃହରେ ଟର୍ଚ୍ଚ ପକାଇ ଦେଖିଥିବା କମିଟିର ସଦସ୍ୟମାନେ ସିନ୍ଦୁକଗୁଡ଼ିକରେ ଚାବି ପଡ଼ି ନ ଥିବା କହିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ତେଣୁ ରତ୍ନଭଣ୍ଡାରରୁ ଲୁଟ୍‌ ହୋଇ ନ ଥିବା ନେଇ କିଏ ନିଶ୍ଚିତ କରିବ? ରାଜ୍ୟ ସରକାର ନିଜ ଅପାରଗତାକୁ ଲୁଚାଇବା ପାଇଁ ନିଜ ଦାୟିତ୍ୱ ପାଳନ ନ କରି ଗଜପତି ମହାରାଜଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ନିନ୍ଦନୀୟ। କେବଳ ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗ ନୁହେଁ, ମହାପ୍ରଭୁଙ୍କ ନବ କଳେବର ସମୟରେ ବ୍ରହ୍ମ ବିଭ୍ରାଟ ଚରମ ବିଶୃଙ୍ଖଳାର ରୂପ ନେଇଥିଲା। ନିକଟ ଅତୀତରେ ମହାପ୍ରସାଦରେ ବିଭ୍ରାଟ ନେଇ ମହାପ୍ରଭୁଙ୍କୁ ଉପବାସରେ ରହିବାକୁ ପଡ଼ିଥିଲା। ରାଜ୍ୟ ସରକାରଙ୍କ ଏପରି ଚରମ ଅବହେଳା ବିରୋଧରେ ବିଜେପି ଆନ୍ଦୋଳନ ଜାରି ରଖିବ।

ସମ୍ବନ୍ଧିତ ଖବର