ବାମରା: ଗୋବିନ୍ଦପୁର ଥାନା ରଙ୍ଗିଆଟିକିରା ପଞ୍ଚାୟତ ଚାରିଚୁଆଁରୁ ପୁଲିସ ବାମରା ନିକଟ ସାଧପଡ଼ା ଗାଁର ରାତୁ ପିଙ୍ଗ(୪୩)ଙ୍କ ଗଳିତ ଶବ ଶୁକ୍ରବାର ସକାଳେ ଉଦ୍ଧାର କରିଛି। ସେ ଗତ ୭ ତାରିଖରୁ ନିଖୋଜ ଥିଲେ।
ଅଭିଯୋଗ ଅନୁସାରେ, ରେଙ୍ଗାଲି ନିକଟ ପିତାପାଲି ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ପାଠ ପଢ଼ୁଥିବା ନିଜ ପୁଅ କ୍ରିଷ୍ଣା ପିଙ୍ଗ(୧୩)ଙ୍କୁ ଭେଟିବା ପାଇଁ ରାତୁ ଗତ ୭ ତାରିଖ ସକାଳ ପ୍ରାୟ ୯ ଟାରେ ଘରୁ ସାଇକଲରେ ବାହାରିଥିଲେ। ବାମରା ରେଳ ଷ୍ଟେସନରୁ ସେ ଟ୍ରେନ୍ରେ ଝାରସୁଗୁଡା ଦେଇ ପୁଅ ପାଖକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ସେ ନିଜ ସ୍ତ୍ରୀ ମଞ୍ଜୁଲତାଙ୍କ ସହିତ କୁଆଡ଼େ ୨/୩ ଥର ଫୋନରେ କଥାବାର୍ତ୍ତା କରିଥିଲେ। ତେବେ ସଂଧ୍ୟା ପ୍ରାୟ ୭.୩୦ ଟା ପରେ ରାତୁଙ୍କ ମୋବାଇଲ ଫୋନ ସୁଇଚ୍ ଅଫ୍ ହୋଇଯାଇଥିଲା। କାଳେ କୌଣସି ଅସୁବିଧା ବଶତଃ ରାତୁ କେଉଁଆଡ଼େ ଅଟକି ରହିଥିବେ ବୋଲି ଘର ଲୋକେ ଭାବି ଚୁପ ରହିଥିଲେ। ଏହାର ୨ ଦିନ ପରେ ବି ତାଙ୍କ ଖବର ନ ମିଳିବାରୁ ୯ ତାରିଖ ଦିନ ସ୍ତ୍ରୀ ମଞ୍ଜୁଲତା ଝାରସୁଗୁଡା ଜିଆର୍ପି ଥାନାରେ ତାଙ୍କ ସ୍ବାମୀ ନିଖୋଜ ବିଷୟରେ ଲିଖିତ ଅଭିଯୋଗ କରିଥିଲେ।
ତେବେ ଶୁକ୍ରବାର ସକାଳେ ଚାରିଚୁଆଁ ଗାଁ ନିକଟ ରାସ୍ତା କଡ଼ ଧାନ କ୍ଷେତ ପାଖରେ ଜଣେ ବ୍ୟକ୍ତିଙ୍କ ଶବ ପଡ଼ିଥିବା ଖବର ପ୍ରଘଟ ହେବା ପରେ ଶବର କପଡ଼ାଲତା ଓ ଗୋଟିଏ ଗୋଡ଼ରେ ୬ ଗୋଟି ଆଙ୍ଗୁଳି ଥିବା ଦେଖି ଶବଟି ରାତୁଙ୍କ ବୋଲି ଚିହ୍ନଟ କରାଯାଇଥିଲା। ଗୋବିନ୍ଦପୁର ଥାନା ଏସ୍ଆଇ ବାସୁଦେବ ସେଠ ଓ ଏଏସ୍ଆଇ ମନୋଜ ନାୟକ ଘଟଣାସ୍ଥଳ ପହଞ୍ଚି ଗଳିତ ଶବ ଉଦ୍ଧାର କରିଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରି ବ୍ୟବଛେଦ ପାଇଁ ଗୋବିନ୍ଦପୁର ଡାକ୍ତରଖାନା ପଠାଇଥିଲେ। ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଗୋବିନ୍ଦପୁର ପୁଲିସ ପ୍ରାଥମିକ ତଦନ୍ତ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଯାଞ୍ଚ କରୁଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଏକ ହତ୍ୟାକାଣ୍ଡ ଘଟଣା ବୋଲି ଅନୁମାନ କରାଯାଉଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି।