ନୟାଗଡ଼ : ଗତ ୧୨ ତାରିଖରୁ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିବା ଦଶମ ଶ୍ରେଣୀ ଛାତ୍ରଙ୍କ ଗଳିତ ଶବ ଆଜି ଉଦ୍ଧାର ହୋଇଛି। ଶବ ଉଦ୍ଧାର କରିବାକୁ ଯାଇ ପୁଲିସ୍ ନାକେଦମ୍ ହୋଇଛି। ନୟାଗଡ଼ ଟାଉନ ଥାନା ମୁଥାଗାଡ଼ିଆ ପଞ୍ଚାୟତ ଅଧୀନ କରଡ଼ାବଣି ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୃତ ଛାତ୍ର ହେଲେ, ନୟାଗଡ଼ ଥାନା ଅନ୍ତର୍ଗତ କରଡ଼ାବଣି ଗ୍ରାମର ବଛି ନାହାକଙ୍କ ପୁଅ ସୋମନାଥ ନାହାକ ଓରଫ୍ କାହ୍ନା (୧୫)। ଗତ ୧୨ତାରିଖଠାରୁ କାହ୍ନା ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ନିରାଶ ହୋଇଥିଲେ। ଶେଷରେ, ବାଧ୍ୟ ହୋଇ ନୟାଗଡ଼ ଥାନାରେ ଅଭିଯୋଗ କରିଥିଲେ।
ପରିବାରର ଅଭିଯୋଗ ଅନୁସାରେ, ପୁଲିସ୍ ଘଟଣାକୁ ଅତ୍ୟନ୍ତ ହାଲ୍କା ଭାବେ ନେଇଥିଲା। ଗତ ୧୪ ତାରିଖ ଦିନ ଟାଉନ ଥାନା ପୁଲିସର ନିଷ୍କ୍ରିୟତା ବିରୋଧରେ ନୟାଗଡ଼ ଏସ୍ପିଙ୍କ କାର୍ଯ୍ୟାଳୟରେ କରଡ଼ାବଣି ସାହିବାସୀ, କାହ୍ନାଙ୍କ ପରିବାରବର୍ଗ ଯାଇ ଅଭିଯୋଗ କରିଥିଲେ। ତଥାପି ପୁଲିସ୍ କାହ୍ନାର କୌଣସି ସନ୍ଧାନ ପାଇ ପାରିନଥିଲା। ହେଲେ ଘଟଣାର ୯ ଦିନ ପରେ ଆଜି କରଡ଼ାବଣି ସାହିର ଡିଆଁପଡ଼ା ବନ୍ଧନାଳ ଭିତରେ ଥିବା ଏକ ଗଛ ଡାଳରେ କାହ୍ନାଙ୍କୁ ହତ୍ୟା କରି ଗାମୁଛା ସାହାଯ୍ୟରେ କେହି ଟାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। କାହ୍ନାର ଆଖି, ବେକ ଆଦିରେ ତାକୁ କୌଣସି ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଛି।
ଅନ୍ୟପକ୍ଷରେ, ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। କରଡାବଣି ଗ୍ରାମବାସୀ ଘଟଣାସ୍ଥଳକୁ ଯାଇଥିବା ପୁଲିସ କର୍ମଚାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ସହଜରେ କାହ୍ନାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପୁଲିସକୁ ଦେବାକୁ ରାଜି ହୋଇନଥିଲେ। ସକାଳ ପ୍ରାୟ ୮ ଟାରୁ ଅପରାହ୍ଣ ସାଢେ ଦୁଇଟା ପର୍ଯ୍ୟନ୍ତ ପୁଲିସ୍ ନାକେଦମ ହୋଇଥିଲା।
ପରେ, ପୁଲିସ୍ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। କିନ୍ତୁ କାହ୍ନାଙ୍କ ଶବ ଅତ୍ୟଧିକ ପଚି ଯାଇଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଷ୍ଟମର୍ଟମ ସମ୍ଭବ ହୋଇପାରିନଥିଲା। ନୟାଗଡ଼ ଏଡିଏମ୍ଓ କାହ୍ନାର ଶବକୁ ପୋଷ୍ଟମର୍ଟମ ପାଇଁ ଏଫ୍ଏମ୍ଟି କଟକକୁ ପଠାଇ ଦେଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଶବ ବ୍ୟବଚ୍ଛେଦ ପରେ ତା’ର ମୃତ୍ୟୁ ସମ୍ପର୍କରେ କିଛି ସୂଚନା ମିଳିପାରିବ ଓ ପୁଲିସ ସେହି ଦିଗରେ ତଦନ୍ତ କରିବ ବୋଲି ଟାଉନ ଥାନା ଆଇଆଇସି ରଶ୍ମୀରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।।
ଏହି ଘଟଣାରେ ଅଭିଯୁକ୍ତ ଧରାପଡ଼ି ନଥିବାବେଳେ ପରିବାର ଲୋକ ପୁଲିସ୍ର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି।