ଦଶପଲ୍ଲା : ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ୍‌ ପରୀକ୍ଷା। ସ୍କୁଲ୍‌ ୟୁନିଫର୍ମ ପ୍ୟାଣ୍ଟ୍‌ ପିନ୍ଧି ନଥିବାରୁ ଜଣେ ଛାତ୍ରଙ୍କୁ ପରୀକ୍ଷାକେନ୍ଦ୍ରକୁ ବାରଣ କରାଯିବାରୁ ସେ କେଉଁଆଡ଼କୁ ଚାଲିଯାଇଥିଲେ। ଖୋଜାଖୋଜି ପରେ ପୁଲିସ ସେହି ଛାତ୍ରଙ୍କୁ ଠାବ କରିଥିବା ଜଣାପଡ଼ିଛି।

Advertisment

ଏହି ଛାତ୍ର ଜଣକ ହେଲେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନସ୍ଥ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ପ୍ରମୋଦ ନାଏକଙ୍କ ପୁଅ ପ୍ରଦୀପ। ରାଧାମୋହନ ଜିଉ ନୋଡାଲ ଉଚ୍ଚବିଦ୍ୟାଳୟର ଛାତ୍ର ପ୍ରଦୀପ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟ ପରୀକ୍ଷାକେନ୍ଦ୍ରକୁ ଶୁକ୍ରବାର ଦିନ ପରୀକ୍ଷାଦେବାକୁ ଆସିଥିଲେ। ସେ ଧଳା ସାର୍ଟ ପିନ୍ଧିଥିବା ବେଳେ ୟୁନିଫର୍ମ ପ୍ୟାଣ୍ଟ୍‌ ନଥିବା ହେତୁ ଏକ କଳା ରଙ୍ଗର ଜିନ୍ ପ୍ୟାଣ୍ଟ ପିନ୍ଧିଥିଲେ। ଫଳ‌ରେ, ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ ସମୟରେ ଗେଟ୍ ସମ୍ମୁଖରେ ଥିବା ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାପାତ୍ର ତାଙ୍କୁ ବାରଣ କରିଥିଲେ। ସାଙ୍ଗରେ ଯାଇଥିବା ଉକ୍ତ ବିଦ୍ୟାଳୟର ଶିକ୍ଷକ ପୂର୍ଣ୍ଣଚନ୍ଦ୍ର କହଁର ତାଙ୍କୁ ଅନୁମତି ଦେବାପାଇଁ କହିଥିଲେ ମଧ୍ୟ ଶିକ୍ଷୟିତ୍ରୀ ଶୁଣିନଥିଲେ। ଏହାପରେ, ହଠାତ୍‌ ଛାତ୍ର ଜଣକ ସେଠାରୁ କେଉଁଆଡ଼କୁ ଚାଲି ଯାଇଥିଲେ।

ଏ ସମ୍ପର୍କରେ ଖବର ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା। ବହୁ ଖୋଜାଖୋଜି ପରେ ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ଏକ ରାସ୍ତାପାର୍ଶ୍ବରେ ପ୍ରଦୀପଙ୍କୁ ପୁଲିସ ଠାବ କରିଥିଲେ। ସେ ଅତ୍ୟନ୍ତ ମାନସିକ ଭାରସାମ୍ୟ ହରାଇ ବସିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ସଂପୃକ୍ତ ଶିକ୍ଷୟିତ୍ରୀ ଏହି ଅଭିଯୋଗକୁ ଖଣ୍ତନ କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଉକ୍ତ ବିଦ୍ୟାଳୟଟି ନୋଡାଲ ସେଣ୍ଟର୍‌ ହୋଇଥିବା ବେଳେ ଉକ୍ତ କେନ୍ଦ୍ର ମଧ୍ୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ବ୍ଲକ୍‌ ଶିକ୍ଷା ଅଧିକାରୀ ରାଜ କିଶୋର ମହାରଣା ମଧ୍ୟ ଉପସ୍ଥିତ ଥିଲେ। ତଥାପି, ଏହି ଘଟଣା ପ୍ରତି କୌଣସି ଗୁରୁତ୍ବ ଦେଇନଥିଲେ ବୋଲି ଅଭିଯୋଗ ହୋଇଛି।