ବିଗୁଡ଼ୁଛି ଶୈକ୍ଷିକ ପରିବେଶ: ନିଖୋଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପ୍ରଧାନଶିକ୍ଷକଙ୍କୁ ମାଡ଼ ଅଭିଯୋଗ

ଡାବୁଗାଁ/ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁସ୍ଥିତ ମଙ୍ଗଳ ବିଭାଗ ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ବୁଧବାର ଦିନ ଗୋଟିଏ କାଜୁବାଡ଼ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ପରିବାର ଲୋକ ଓ ଗ୍ରାମବାସୀ ହତ୍ୟା ଅଭିଯୋଗ ଆଣି ଡାବୁଗାଁ-ମୈଦଲପୁର ରାଜପଥ ଅବରୋଧ କରିଛନ୍ତି। ଏଥିସହ ବିଦ୍ୟାଳୟରେ ଧସେଇ ପଶି ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି।

ମାନିଗାଁ ସ୍ଥିତ ମଙ୍ଗଳ ବିଭାଗ ସରକାରୀ ଉଚ୍ଚବିଦ୍ୟାଳୟର ହଷ୍ଟେଲରେ ରହି ଦଶମ ଶ୍ରେଣୀ ପଢୁଥିବା ଶଙ୍କର ହରିଜନ (୧୫ବର୍ଷ) ଗତ ୭ ତାରିଖ ଦିନ ନିଖୋଜ ହୋଇଯାଇଥିଲେ।। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ନିଖୋଜ ଛାତ୍ରର ବାପା ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ କେସ୍ ନଂ-୧୭୦/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ, ନିଖୋଜ ଛାତ୍ରର ଝୁଲନ୍ତା ଶବ ଆଜି ମାନିଗାଁ ଆଶ୍ରମ ବିଦ୍ୟାଳୟ ପଛପଟେ ଥିବା ନଦୀ ନିକଟସ୍ଥ କାଜୁ ଗଛରୁ ଉଦ୍ଧାର କରାଯାଇଛି ।

ପୁଅର ମୃତ୍ୟୁ ଖବର ଶୁଣିବା ପରେ ପରିବାର ଲୋକ ଓ ଗ୍ରାମବାସୀ ମାନିଗାଁ ଉଚ୍ଚବିଦ୍ୟାଳୟ ଫାଟକ ସମ୍ମୁଖରେ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ। ଡାବୁଗାଁ-ମୈଦଲପୁର ରାସ୍ତା ପୂର୍ବାହ୍ନ ୧୧ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଅବରୋଧ ରହିଥିଲା। ଫଳରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ଅପରାହ୍ନରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଓ ଏସ୍‌ଡିପିଓ ଶୁଭେନ୍ଦୁ ଶବର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଅନ୍ୟପକ୍ଷରେ, ବିଦ୍ୟାଳୟର ଫାଟକରେ ତାଲା ପଡ଼ିଥିଲେ ମଧ୍ୟ ଫାଟକ ଡେଇଁ ଉତ୍ତ୍ୟକ୍ତ ଜନତା ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର