ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଉର୍ମାଗଡ଼ ଜଳପ୍ରପାତରୁ ଆଜି ଏକ ନରକଙ୍କାଳ ଉଦ୍ଧାର ହୋଇଛି। ପାଣି କମ୍ ଥିବାରୁ କଙ୍କାଳଟିକୁ ଠାବ କରାଯାଇଥିଲା। ପରେ ପୁଲିସ ପହଞ୍ଚି ଏହାକୁ ଉଦ୍ଧାର କରିଛି। ତେବେ ଏହି କଙ୍କାଳଟି ଗତ ଅକ୍ଟୋବର ମାସ ୮ରୁ ନିଖୋଜ ହୋଇଥିବା ଜଣେ ଛାତ୍ରଙ୍କ ବୋଲି ସନ୍ଦେହ କରାଯାଉଥିଲେ ହେଁ, ଏନେଇ ପୁଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି। ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିବା କଟ୍ରିଙ୍ଗିଆ ପଞ୍ଚାୟତ ନାକଡ଼ିସରୁ ଗ୍ରାମର ଲିଙ୍ଗା ବେହେରାଙ୍କ ପୁଅ ରାଖଲ ବେହେରା (୧୫) ଗତ ଅକ୍ଟୋବର ୮ ତାରିଖ ଅପରାହ୍ନ‌ରେ ସାଙ୍ଗମାନଙ୍କ ସହ ଏହି ଜଳପ୍ରପାତକୁ ବୁଲିବା ପାଇଁ ଆସିଥିଲେ। ଅସାବଧାନତା ଯୋଗୁ ଗୋଡ଼ ଖସିଯିବାରୁ ସେ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ସାଙ୍ଗମାନେ ବହୁ ଖୋଜାଖୋଜି କରି ବିଫଳ ହେବା ପରେ ପରିବାରବର୍ଗଙ୍କୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ସହାୟତାରେ ସନ୍ଧାନ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ, ପାଣି ଅଧିକ ଥିବାରୁ ରାଖଲଙ୍କ ପତ୍ତା ମିଳି ନଥିଲା। କେବଳ ସେତିକି ନୁହେଁ, ପଥର କିମ୍ବା ଖାଲରେ ରାଖଲ ଲାଖି ରହିଯାଇଥିବା ଅନୁମାନ କରି ନଦୀର ଏକ କିଲୋମିଟର ଦୂରରେ ମାଟି ଓ ବାଲି ବସ୍ତା ପକାଇ ପାଣିର ସ୍ରୋତକୁ କମାଯାଇଥିଲେ ହେଁ, କୌଣସି ସୁଫଳ ମିଳି ନଥିଲା। ଆଜି ଦୀର୍ଘ ଦୁଇମାସ ପରେ ଜଳପ୍ରପାତରୁ କଙ୍କାଳ ଠାବ ହୋଇଥିବାରୁ ତାହା ରାଖଲଙ୍କ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।