କଟକ ବଡ଼ ଡାକ୍ତରଖାନାରୁ ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଧ ଭୁବନେଶ୍ବରର ଏକ ହୋଟେଲରେ ଠାବ

ଭୁବନେଶ୍ୱର: ଗତକାଲି କଟକ ବଡ଼ ଡାକ୍ତରଖାନାରୁ ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଧଙ୍କୁ ଆଜି ଭୁବନେଶ୍ୱରରେ ଠାବ କରାଯାଇଛି । ଭୁବନେଶ୍ୱରର ହୋଟେଲ ଟ୍ରାଇଡେଣ୍ଟ୍ ହୋଟେଲରେ ଥିଲେ ଏହି ବିଦେଶୀ ନାଗରିକ । ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ବେଳେ ଯୁବକଙ୍କୁ କରୋନା ସଂକ୍ରମଣ ସନ୍ଦେହରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ବିଳମ୍ବିତ ରାତିରେ ସେ ଏସସିବିର ଆଇସୋଲେସନ୍ ୱାର୍ଡରୁ ଚମ୍ପଟ୍ ମାରିଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କରୋନା ସ୍ପେଶାଲ ଆଇସୋଲେସନ ୱାର୍ଡରୁ ସନ୍ଦିଗ୍ଧ ରୋଗୀ କିପରି ଫେରାର୍ ହୋଇଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ତେବେ ଆର୍ୟଲାଣ୍ଡର ଏହି ବିଦେଶୀ ମହିଳା  ଚମ୍ପଟ ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି ।
ଏପଟେ, ଓଡ଼ିଶାରେ କରୋନା ଭୂତାଣୁ ପାଇଁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ଏହି କ୍ରମରେ ପୁରୀରେ ଜାରି ହୋଇଛି ଆଲର୍ଟ । ପୁରୀକୁ ପ୍ରତିଦିନ ଶହ ଶହ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ କରୋନା ପାଇଁ ପୁରୀରେ ଆଲର୍ଟ ଜାରି କରାଯାଇଛି । ସବୁ ହୋଟେଲକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । କାରଣ ପ୍ରତି ମାସରେ ପୁରୀକୁ ୫ ଶହରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି । ଏବେ ବିଶ୍ୱରେ ୮୫ରୁ ଅଧିକ ଦେଶରେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ଉପରେ କଡ଼ା ନଜର ରଖାଯାଇଛି । ପୁରୀକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ଯାଞ୍ଚ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ।
ହୋଟେଲରେ ରହୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ କରୋନା ଭୂତାଣୁ ଲକ୍ଷଣ ଦେଖା ଦେଲେ ତୁରନ୍ତ ନିୟନ୍ତ୍ରଣ କକ୍ଷକୁ ଜଣାଇବାକୁ କୁହାଯାଇଛି । ସନ୍ଦେହ ହେଲେ ସେମାନଙ୍କୁ ତୁରନ୍ତ ଆଣି କରୋନା ୱାର୍ଡରେ ଭର୍ତ୍ତି କରାଯିବ ବୋଲି କୁହାଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ପାରା ମେଡିକାଲ ଷ୍ଟାଫଙ୍କୁ ନେଇ ଏକ ରାପିଡ୍ ଆକ୍ସନ ଫୋର୍ସ ଗଠିତ ହୋଇଛି । ସେପଟେ ପୁରୀ ଡାକ୍ତରଖାନାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । ପୁରୀରେ ଘରୋଇ ଭାବେ ଚିକିତ୍ସା ସେବା ଯୋଗାଉଥିବା ଡାକ୍ତର ଓ ଡାକ୍ତରଖାନା କରୋନା ରୋଗୀ ସମ୍ପର୍କରେ ସୂଚନା ପାଇଲେ ତୁରନ୍ତ ରାପିଡ୍ ଆକ୍ସନ ଫୋର୍ସକୁ ଜଣାଇବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର