ନିଖୋଜ ଶିକ୍ଷକଙ୍କ ଦରପୋଡ଼ା ଶବ ଉଦ୍ଧାର ଘଟଣା: ହତ୍ୟା ସନ୍ଦେହ, ଥାନାରେ ପ୍ରେମିକା ଅଟକ

ତୁଷୁରା : ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ବିରାମୁଣ୍ତା ପଞ୍ଚାୟତ କର୍ଲାଖମନ ଗାଁ ନିକଟ ଜଙ୍ଗଲରୁ ବୁଧବାର ଏକ ଦରପୋଡ଼ା ଶବ ପଡ଼ି ରହିଥିବା ଦେଖାଯାଇଥିଲା। ତୁଷୁରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ଶବଟି ଗତ ୧୩ ତାରିଖରୁ ନିଖୋଜ ଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଘଣ୍ଟାପଡ଼ା ଫାଣ୍ଡି ଅନ୍ତର୍ଗତ ଉଡ଼େର ଗ୍ରାମର ପ୍ରାଥମିକ ସ୍କୁଲ ଶିକ୍ଷକ ବାସୁଦେବ ଭୋଇଙ୍କର ବୋଲି ସନ୍ଦେହ କରାଯାଇଥିଲା। ଗୁରୁବାର ପରିବାର ଲୋକେ ପହଞ୍ଚି ଶବ ଚିହ୍ନଟ କରିଥିଲେ। ବାସୁଦେବଙ୍କୁ ହତ୍ୟା କରାଯାଇଥିବା ଏବଂ ଏଥିରେ ତାଙ୍କ ପ୍ରେମିକାଙ୍କ ପରିବାର ଲୋକଙ୍କ ସଂପୃକ୍ତିଥିବା ସେମାନେ ଅଭିଯୋଗ କରିଥିଲେ। ସେହିପରି ଗୁରୁବାର ସକାଳୁ ବଲାଙ୍ଗୀର ସଦର ଏସ୍‌ଡିପିଓ ତୋଫାନ ବାଗଙ୍କ ନେତୃତ୍ବରେ ତୁଷୁରା ପୁଲିସ ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ସନ୍ଧାନୀ କୁକୁର ଘଟଣାସ୍ଥଳରୁ ଉକ୍ତ ପ୍ରେମିକାଙ୍କ ଘରକୁ ଯାଇଥିଲା। ହତ୍ୟାକାଣ୍ତରେ ଅନେକ ଲୋକ ସାମିଲ ଥିବା ପୁଲିସ ସନ୍ଦେହ କରୁଛି। ଏହି ମାମଲାରେ ବାସୁଦେବଙ୍କ ପ୍ରେମିକାକୁ ତୁଷୁରା ଥାନାରେ ଅଟକ ରଖାଯାଇଛି। ତଦନ୍ତ ଚାଲିଛି, ଶୀଘ୍ର ଘଟଣାର ପର୍ଦ୍ଦାଫାସ ହେବ ବୋଲି ଏସ୍‌ଡିପିଓ ଶ୍ରୀ ବାଗ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୧୨ ତାରିଖ ଦିନ ବାସୁଦେବ ତାଙ୍କ ସଂପର୍କୀୟ ଭାଇଙ୍କ ସହ ତୁଷୁରା ଥାନା ସନ୍ଧିସରା ଗ୍ରାମକୁ ଯାଇଥିଲେ। ସେଠାରୁ ୧୩ ତାରିଖ ଦିନ ଏକ ଜରୁରୀ କାମ ଅଛି କହି ନିକଟସ୍ଥ କର୍ଲାଖମନ ଗ୍ରାମକୁ ଯାଇଥିଲେ। ସେହି ଦିନରୁ ତାଙ୍କର କୌଣସି ଖୋଜଖବର ନଥିଲା। ଶେଷରେ ବାସୁଦେବଙ୍କ ବିଧବା ମା’ କଣ୍ଟାମାଳ ଥାନାରେ ନିଖୋଜ ଥିବା ଅଭିଯୋଗ କରିଥିଲେ। ମୃତ ବାସୁଦେବ କର୍ଲାଖମନ ଗ୍ରାମର ଜଣେ ଯୁବତୀକୁ ପ୍ରେମ କରୁଥିଲେ। ସେ ପ୍ରେମିକାକୁ ଭେଟି ଆସିଥିବା ବେଳେ ପ୍ରେମିକା ଘର ଲୋକେ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସେପଟେ ବାସୁଦେବଙ୍କ ନିର୍ବନ୍ଧ ସରି ଆସନ୍ତା ମାର୍ଚ୍ଚ ୯ ତାରିଖ ଦିନ ବାହାଘର ହେବାର ଥିଲା। ଏବେ ବାସୁଦେବଙ୍କ ମୃତ୍ୟୁ ପରେ ତାଙ୍କ ମା’ ବେସାହାରା ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର