ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ମଙ୍ଗଳବାର ନିଖୋଜ ଦୁଇ ଦଶମ ଶ୍ରେଣୀ ଛାତ୍ର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରୁ ବୁଧବାର ଠାବ ହୋଇଛନ୍ତି। ଠାବ କରାଯାଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ର ହେଲେ ପୃଥ୍ୱୀରାଜ ପ୍ରଧାନ ଓ ସୋନୁ କୁମାର। ସେମାନେ ଭୁବନେଶ୍ବର ଚନ୍ଦକା ଅଞ୍ଚଳର ମର୍ଣ୍ଣିଂ ଗ୍ଲୋରି ଇଂରାଜି ମାଧ୍ୟମିକ ସ୍କୁଲ୍‌ର ଛାତ୍ର।

Advertisment

ଟିଟିଲାଗଡ଼ରୁ ଠାବ ହେଲା ପରେ ପୃଥ୍ବୀରାଜ ଓ ସୋନୁ କହିଛନ୍ତି ଉଭୟଙ୍କୁ ଅଚେତ କରି ଭୁବନେଶ୍ୱରରୁ ନିଆଯାଉଥିଲା। ସେମାନେ କିନ୍ତୁ କୌଶଳ କ୍ରମେ ଦୁର୍ବୃତ୍ତଙ୍କ ନିକଟରୁ ଖସି ଆସି ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକଙ୍କ ଠାରୁ ସୂଚନା ମିଳିବା ପରେ ଚନ୍ଦକା ପୁଲିସ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ସବୁଦିନ ପରି ମଙ୍ଗଳବାର ଦିନ ପୃଥ୍ୱୀରାଜ ଓ ସୋନୁ ସ୍କୁଲ୍ ଯାଇ ଆଉ ଘରକୁ ଫେରି ନଥିଲେ। ଦୁଇ ନାବାଳକ ଛାତ୍ର। ସ୍କୁଲ୍‌ ଛୁଟି ହେବାର ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ମଙ୍ଗଳବାର ସନ୍ଧ୍ୟା ପରଠାରୁ ଆଜି ସକାଳ ପର୍ଯ୍ୟନ୍ତ ଖୋଜିଖୋଜି ନୟାନ୍ତ ହୋଇଯାଇଥିଲେ। ପରିବାର ଲୋକଙ୍କ ପକ୍ଷରୁ ସ୍ଥାନୀୟ ଚନ୍ଦକା ଥାନାରେ ଅଭିଯୋଗ ଆଣିବା ପରେ ପୁଲିସ ନିଖୋଜ ୨ ଛାତ୍ରଙ୍କୁ ଖୋଜିବା ଆରମ୍ଭ କରିଥିଲା।

ଅନ୍ୟପଟରେ ମର୍ଣ୍ଣିଂ ଗ୍ଲୋରି ଇଂରାଜି ମାଧ୍ୟମିକ ସ୍କୁଲ୍‌ର ଇଂରାଜୀ ଶିକ୍ଷୟତ୍ରୀ ଗଜିନ ଉଯାନ କହିଛନ୍ତି, ମଙ୍ଗଳବାର ପରୀକ୍ଷା ପାଇଁ ଏହି ପିଲାଙ୍କ ସ୍କୁଲ ଛୁଟି ଥିଲା। ତେଣୁ ଅତିରିକ୍ତ ପାଠପଢ଼ା ପାଇଁ ମୁଁ ପିଲାଙ୍କୁ ଡାକିଥିଲି। ମୋ ସହ ମୁସକାନ୍ କୁମାରୀ, ସୋନୁ କୁମାର, ପୃଥ୍ବୀରାଜ ସ୍କୁଲ ଗେଟ୍ ୩ଜଣ ଭିତରେ ପସିଲେ। ପରେ ମୁଁ ଶ୍ରେଣୀ ଗୃହର ଚାବି ଖୋଲିବାକୁ ଆଗକୁ ଗଲି। ୨ମିନଟ ଭିତରେ ଦେଖିଲା ବେଳକୁ ସୋନୁ କୁମାର, ପୃଥ୍ବୀରାଜ ସ୍କୁଲ ଭିତରେ ଦୁଇଜଣ ନାହାନ୍ତି। ସେତେ ବେଳେ ସମୟ ୭.୪୫ ହୋଇଥିଲା। ମୁସକାନ୍ କୁମାରୀକୁ ପଚାରି ବାରୁ ଦୁହେଁ ବିସ୍କୁଟ କିଣିବାକୁ ଦୋକାନକୁ ଯାଇଛିନ୍ତି ବୋଲି କହିଲା। ଆହୁରି କିଛି ପିଲା ଆସିଲେ ମୁଁ ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କଲି। ୧୫ ରୁ ୨୦ ମିନିଟ ପରେ ବି ସେମାନେ ଆସିଲେନି। ତେଣୁ ମୁଁ ଆମ ସ୍କୁଲର ମୁଖ୍ୟ ସାର୍‌ଙ୍କୁ ଜଣାଇଥିଲି । ୯.୩୦ ରେ ମୋର କ୍ଲାସ୍ ସରିଲା ସେତେବେଳେକୁ ବି ଦୁଇଜଣ ସ୍କୁଲକୁ ଆସି ନଥାନ୍ତି। ତେଣୁ ଆମ ସ୍କୁଲର କିଛି କର୍ମଚାରୀ ଆଖପାଖ ଖୋଜା ଖୋଜି କଲେ ୩ ଟା ପର୍ଯ୍ୟନ୍ତ ଖୋଜା ଖୋଜି ପରେ ଦୁଇଜଣ ପିଲା ନ ମିଳିବାରୁ ସ୍କୁଲ ପକ୍ଷରୁ ଚନ୍ଦକା ଥାନାରେ ଅଭିଯୋଗ କରାଗଲା।