ଦେଓଗାଁ: ବଲାଙ୍ଗୀରଜିଲ୍ଲା ଦେଓଗାଁ ବ୍ଲକ୍ସ୍ଥିତ ପର୍ଯ୍ୟଟନସ୍ଥଳୀ ଚାନ୍ଦିଲି ପାହାଡ଼ ଘଞ୍ଚ ଜଙ୍ଗଲ ଭିତରେ ରହିଛି। ଏହାର ବିକାଶ ପାଇଁ ସେଠାରେ କାମ ଚାଲିଛି। ହେଲେ ଶ୍ରମିକ ମିଳୁନାହାନ୍ତି। ଫଳରେ ଗ୍ରାମବାସୀ ୪ଟି ଗଧ ଭଡ଼ାରେ ଆଣି କାମ କରାଉଛନ୍ତି। ୭ ଶହ ଫୁଟ ଉପରକୁ ବାଲି, ସିମେଣ୍ଟ, ଚିପ୍ସ ବୋହୁଛନ୍ତି ଗଧ। ଆଖପାଖ ଗାଁର ଶ୍ରମିକମାନେ ଦାଦନ ଯାଇଥିବାରୁ ପ୍ରାୟ ଘରେ ତାଲା ଝୁଲୁଛି। ଯିଏ କାମ କରିବାକୁ ଆସୁଛି, ଉଚ୍ଚ ପାହାଡ଼ ଦେଖି କାମ କରିବାକୁ ମଙ୍ଗୁନାହାନ୍ତି। ଫଳରେ ଗ୍ରାମବାସୀ ଗଧଗୁଡ଼ିକୁ କାମରେ ନିୟୋଜିତ କରିଛନ୍ତି। ଗୋଟିଏ ଥର ବାଲି କିମ୍ବା ଚିପ୍ସ ଚଢ଼ାଇଲେ ୩୦ ଜଣ ଶ୍ରମିକଙ୍କ ପିଛା ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା।
ଯାହାକୁ ନେଇ ଚିନ୍ତାରେ ରହିଥିଲେ ଗ୍ରାମବାସୀ। ଏବେ ଗାଁ ଲୋକ ଚାନ୍ଦା କରି ପ୍ରାୟ ୪୦ ହଜାର ଟଙ୍କାରେ ୪ଟି ଗଧ ଭଡ଼ାରେ ଆଣି ନିର୍ମାଣ ସାମଗ୍ରୀ ପରିବହନ କରୁଛନ୍ତି। ୨୭୦ ପାହାଚ ଥିବା ରାସ୍ତା ଦେଇ ୭-୮ ଥର ବାଲି, ସିମେଣ୍ଟ ଗଧମାନେ ଅନାୟାସରେ ବୋହି ନେଉଛନ୍ତି। ଏକା ସାଙ୍ଗରେ ୮ ବସ୍ତା ସାମଗ୍ରୀ ନେଇ ୭ ଶହ ଫୁଟ ଉପରକୁ ଯାଉଛନ୍ତି। ପୁରୁଣା କାଳରେ ମନ୍ଦିର ନିର୍ମାଣ ବେଳେ ହାତୀ, ଘୋଡ଼ା, ଗଧ ନିୟୋଜିତ ହେଉଥିଲେ। ଏଭଳି ଦୃଶ୍ୟ ଦେଖିବା ଲାଗି ଲୋକଙ୍କର ଭିଡ଼ ବି ଲାଗି ରହିଛି। ଶ୍ରମିକ ମିଳୁନଥିବାରୁ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନେଇଛୁ ବୋଲି ପିଙ୍କୁ ଷଡ଼ଙ୍ଗୀ କହିଛନ୍ତି। ଗଧମାନଙ୍କ ଖାଇବା, ପିଇବା ଏବଂ ଯତ୍ନ ପାଇଁ ସୁବ୍ୟବସ୍ଥା କରାଯାଇଥିବା ସୁଜିତ ପରିହା କହିଛନ୍ତି।