ଭାପୁର : ନିଖୋଜ ଯୁବକଙ୍କ ଗଳିତ ଶବ ଉଦ୍ଧାର

ଭାପୁର : ନଦୀରେ ବୁଡ଼ି ନିଖୋଜ ହୋଇଥିବା ଯୁବକଙ୍କ ଗଳିତ ଶବକୁ ଦମକଳ ବାହିନୀ ଆଜି ୫ ଦିନ ପରେ ଉଦ୍ଧାର କରିଛି। ଯୁବକଙ୍କ ମୃତ‌ଦେହ କରଡ଼ାବଣି ଓ ବୋଦସା ଗ୍ରାମ ମଧ୍ୟସ୍ଥିତ କୁସୁମୀ ନଦୀ ପଠାର କାଶତଣ୍ଡୀ ବୁଦା ନିକଟରୁ ପାଇଛି। ପ୍ରକାଶ ଥାଉକି, ଖଣ୍ତପଡ଼ା ଏନ୍ଏସି ଅନ୍ତର୍ଗତ ୪ ନମ୍ବର ୱାର୍ଡ ମାଳିସାହିର ମଧୁସୂଦନ ମହାପାତ୍ରଙ୍କ ସାନ ପୁଅ ସୁଶାନ୍ତ କୁମାର ମହାପାତ୍ର ଗତ ୨୬ ତାରିଖ ଦିନ ସକାଳ ୯ଟାରେ ଘର ନିକଟସ୍ଥ କୁସୁମୀ ନଦୀପଠାକୁ ଗାଧୋଇବାକୁ ଯାଇଥିଲେ। ଘରକୁ ଫେରିବାର ବିଳମ୍ବ ହେବାରୁ ପରିବାର ଲୋକେ ନଦୀପଠାକୁ ଯାଇ ଅନେକ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କ ସନ୍ଧାନ ନ ମିଳିବାରୁ ପରିବାର ଲୋକେ ଗୋଡ଼ ଖସିଯାଇ ବନ୍ୟା ପାଣି ସୂଅରେ ଭାସି ଯାଇଥିବା ନେଇ ଆଶଙ୍କା କରି ଦମକଳ ବାହିନୀକୁ ଖବର ଦେଇଥିଲେ। ଭାପୁର ଓ ଖଣ୍ଡପଡ଼ାର ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳଠାରୁ ୫ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଖୋଜାଖୋଜି କରିଥିଲେ। କିନ୍ତୁ ସୁଶାନ୍ତଙ୍କ କୌଣସି ସନ୍ଧାନ ନ ମିଳିବାରୁ ଦମକଳବାହିନୀ ନିରାଶ ହୋଇ ଫେରି ଯାଇଥିଲେ। ଘଟଣା ଘଟିବାକୁ ୪ ଦିନ ପୂରି ଯାଇଥିବାରୁ ପରିବାର ଲୋକ ଆଶଙ୍କା ମଧ୍ୟରେ କାଳ କାଟୁଥିଲେ। ଘଟଣା ସଂପର୍କରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କୁ ଜଣାଇବା ପରେ ଶ୍ରୀ ଶର୍ମା ଓଡ୍ରାଫ୍‌ ଟିମ୍‌ ଓ ଦମକଳ ବାହିନୀଙ୍କୁ ତ୍ବରିତ ଅନୁସନ୍ଧାନରେ ନିୟୋଜିତ କରିଥିଲେ। ଓଡ୍ରାଫ୍‌ ଟିମ୍‌, ଦମକଳ ବାହିନୀ ଓ ଖଣ୍ଡପଡ଼ା ପୁଲିସ ଆଜି ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରିଥିଲେ। ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାୟକ ଶ୍ରୀ ପଟ୍ଟନାୟକ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ଶ୍ରୀ ଶର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର