ନିଖୋଜ ଯୁବକଙ୍କ ଶବ ପାଣିରୁ ମିଳିଲା, ହତ୍ୟା ସନ୍ଦେହ, ସ୍କୁଟି ଜବତ

ପାତ୍ରପୁର : ଜରଡ଼ା ଥାନା ସୁରଙ୍ଗି-ପୋଲରାଜପୁର ନିକଟ ମୁକୁନ୍ଦଦେବ ସାଗରରୁ ଆଜି ଜଣେ ନିଖୋଜ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି, କେ. ନୂଆଗାଁ ଥାନା ରାମଚନ୍ଦ୍ରପୁର ଗ୍ରାମର ବାବୁଲା ନାୟକଙ୍କ ପୁଅ ସନ୍ତୋଷ ନାୟକ (୨୫)। ପାଣି ଭିତରୁ ସନ୍ତୋଷଙ୍କ ଶବ ମିଳିଥିବାବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ତ ବୋଲି ଚର୍ଚ୍ଚା ଜୋର‌୍‌ ଧରିଛି। ଏହାସହ ଘଟଣାସ୍ଥଳରୁ ସନ୍ତୋଷଙ୍କ ସ୍କୁଟି ବି ଜବତ ହୋଇଛି।

ମିଳିଥିବା ସୂଚନାନୁସାରେ, ସନ୍ତୋଷ ହାଇଦ୍ରାବାଦରୁ ଫେରିଥିଲେ। ଗତ ଗୁରୁବାର ଦିନ କୌଣସି କାମରେ ସେ ପୋଲରାଜପୁର ଗ୍ରାମ ତାଙ୍କ ସାଙ୍ଗ ପାଖକୁ ଯାଇ ଆଇ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାଙ୍କୁ କେ.ନୂଆଗାଁ ଥାନାରେ ଏତଲା ଦେବା ପରେ ନିଖୋଜ ମାମଲା ରୁଜୁ ହୋଇଥିଲା।

ତେବେ ଆଜି ଦିନ ୧୧ଟାରେ ସୁରଙ୍ଗି-ପୋଲରାଜପୁର ନିକଟ ମୁକୁନ୍ଦଦେବ ସାଗରରୁ ସନ୍ତୋଷଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଜରଡ଼ା ଥାନା ପୁଲିସ ଘଟଣାସ୍ଥଳକୁ ଆସି ଶବକୁ ଚିହ୍ନଟ କରିଥିଲା। ସ୍କୁଟିରୁ ଭାରସାମ୍ୟ ହରାଇ ବୁଡ଼ି ଯାଇ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ପାତ୍ରପୁର ଦମକଳବାହିନୀ ପହଞ୍ଚି ଶବ ଓ ସ୍କୁଟିକୁ ପାଣି ଭିତରୁ ଉଦ୍ଧାର କରିଥିଲା। ଜରଡ଼ା ପୁଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର