ନିଖୋଜ ଯୁବକଙ୍କ ଅର୍ଦ୍ଧକଙ୍କାଳ ଶବ ଉଦ୍ଧାର

ବରପାଲି : ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ପଞ୍ଚାୟତ ଗ୍ରୀଣ୍ଡୋଲା ଗ୍ରାମରୁ ନିଖୋଜ ଥିବା ଦୀପକ ହୋତା (୩୨ ବର୍ଷ)ଙ୍କ ଅର୍ଦ୍ଧକଙ୍କାଳ ଶବ ଶୁକ୍ରବାର ଗାଁ’ର ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି।

ପ୍ରାପ୍ତ ସୂଚନାନୁସାରେ ସମ୍ବଲପୁର ଜିଲ୍ଲା ମାନେଶ୍ବର ଭୋଇପାଲି ଗ୍ରାମର ରାମକୃଷ୍ଣ ହୋତାଙ୍କ ପୁଅ ଦୀପକ ୧୪ ବର୍ଷ ହେଲା ଗ୍ରିଣ୍ଡୋଲା ଗ୍ରାମର ନାରାୟଣ ପଣ୍ଡାଙ୍କ ଝିଅକୁ ବିବାହ କରି ଘରଜ୍ବାଇଁ ଭାବେ ରହୁଥିଲେ। ସେ ରୋଷେଇୟା ଭାବରେ କାମ କରି ପରିବାର ପୋଷଣ କରୁଥିଲେ। କିଛି ଦିନ ପୂର୍ବରୁ ପତ୍ନୀ ନିଜ ବଡ଼ ଭଉଣୀ ଗ୍ରାମକୁ ଯାଇଥିବା ବେଳେ ପ୍ରାୟ ୬ ଦିନ ତଳେ ଦୀପକ ମଧ୍ୟ ଘରେ କାହାକୁ କିଛି ନ ଜଣାଇ କେଉଁଆଡ଼େ ଚାଲି ଯାଇଥିଲେ। ସେ ଘେରକୁ ନ ଫେରିବାରୁ କେଉଁଆଡ଼େ ରୋଷେଇ କରିବାକୁ ଯାଇଥିବା ନେଇ ପରିବାର ଲୋକେ ଭାବୁଥିଲେ। ମାତ୍ର ଶୁକ୍ରବାର ଗାଁ’ର ସୁଦାମ ମହାକୁଡ଼ ନାମକ ଜଣେ ବ୍ୟକ୍ତି ଉକ୍ତ ଗାଁ’ର ଅଶୋକ ପତିଙ୍କ ଜମି ହିଡ଼ରେ ଏକ ଗଳିତ ଓ ପ୍ରାୟ ଅର୍ଦ୍ଧ କଙ୍କାଳ ପାଲଟିଥିବା ଏକ ଶବ ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ।

ଖବର ପାଇ ସେଠାରେ ନାରାୟଣ ଶ୍ବଶୁର ଶ୍ରୀ ପଣ୍ଡା ପହଞ୍ଚି ତାହା ତାଙ୍କ ଜ୍ବାଇଁ ଦୀପକଙ୍କ ଶବ ବୋଲି ଚିହ୍ନଟ କରିବା ସହ ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ଆଇଆଇସି ରୋଜାଳିନ ପଟେଲ ଓ ପୁଲିସ୍‌ କର୍ମଚାରୀମାନେ ପହଞ୍ଚି ତଦନ୍ତ କରିବା ସହ ସାଇଣ୍ଟିଫିକ ଦଳକୁ ଖବର ଦେଇଥିଲେ। ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ତେବେ ତାଙ୍କ ଜ୍ବାଇଁଙ୍କୁ କେହି ହତ୍ୟା କରିଥିବା ନେଇ ଶ୍ରୀ ପଣ୍ଡା ଥାନାରେ ଲିଖିତ ଏତଲା ଦେଇଥିବା ବେଳେ ସେ ଅନୁସାରେ ତଦନ୍ତ ଚାଲିଥିବା ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର