‘ବରଫି’ ପାଇଁ ଇକୋ ପର୍ଯ୍ୟବେକ୍ଷକ ଦେଲେ ରିପୋର୍ଟ: ପେଣ୍ଟିଙ୍ଗସ୍‌, ଲେଖା, କାର୍ଟୁନ୍‌ ଓ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ପର୍ଯ୍ୟବେକ୍ଷକ

ରିପୋର୍ଟ ନେଇ ପ୍ରଶାସନ ଆରମ୍ଭ କଲା ତର୍ଜମା

କଟକ: ମିସନ ‘ବରଫିରେ ଇକୋ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତି ପାଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ। ପ୍ରଥମ ଦିନ ଉକ୍ତ ଅଞ୍ଚଳ ବୁଲିବା ପରେ ପର୍ଯ୍ୟବେକ୍ଷକମାନେ ଦେଇଛନ୍ତି ଜିଲ୍ଲାପାଳଙ୍କୁ ରିପୋର୍ଟ। ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପାଖରେ ୭୦ଟି ରିପୋର୍ଟ ପହଞ୍ଚିସାରିଲାଣି। ସେହି ରିପୋର୍ଟ ଭିତରେ ରହିଛି; ଯୋଜନାର ରୂପରେଖ ନେଇ ପେଣ୍ଟିଙ୍ଗସ୍‌, ଛୋଟ ଲେଖା, ବିଭିନ୍ନ କାର୍ଟୁନ, ବିଭିନ୍ନ ପ୍ରକଳ୍ପ ରିପୋର୍ଟ, ଏପରିକି ପ୍ରକଳ୍ପ ମଧ୍ୟ ପ୍ରସ୍ତୁତ କରିଛନ୍ତି ପିଲାମାନେ। ଆସିଥିବା ରିପୋର୍ଟକୁ ନେଇ ତର୍ଜମା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ସବୁ ରିପୋର୍ଟକୁ ନେଇ ଏକାଠି କରାଯିବା ସହ ତାକୁ ଭିତ୍ତିକରି ‘ବରଫି’ର ନୂଆ ରୂପରେଖରେ ତାକୁ ସାମିଲ କରାଯିବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି। ଅନ୍ୟପଟେ କଟକ ଜିଲ୍ଲାପ୍ରଶାସନର ଏଭଳି ମିସନ ବରଫି ଓ ସେଥିରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଇକୋ ପର୍ଯ୍ୟବେକ୍ଷକ ଭାବେ ସାମିଲ କରାଯିବା ଘଟଣାକୁ ଟୁଇଟ୍‌ କରି ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ, ମହାନଦୀ ପଠା ପାରିପାର୍ଶ୍ବିକ ୪୨୦ ଏକରରୁ ଅଧିକ ଅଞ୍ଚଳକୁ ମିସନ ‘ବରଫି’ ଯୋଜନାରେ ନୂଆ ରୂପରେଖ ଦିଆଯାଉଛି। ଏହି ସବୁ ଜମିକୁ ସମତଳ କରାଯାଇ ସେଠାରେ କ୍ରୀଡା, ଜଳକ୍ରୀଡା ତଥା ବିଭିନ୍ନ ପ୍ରକାର ଉନ୍ନୟନ ପ୍ରକଳ୍ପ ଓ ନୂଆ ରୂପରେଖ ଓ ସବୁଜ ବଳୟ ସୃଷ୍ଟି କରାଯିବ। ଏହି ସ୍ଥାନକୁ ଏଭଳି ଢଙ୍ଗରେ ସଜାଇବା ପାଇଁ ପ୍ରଶାସନ ଯୋଜନା କରିଛି ଯାହା କଟକର ସବୁଠାରୁ ମନୋରମ ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ଏଥିସହ କଟକକୁ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ। ତେବେ ଏହି ଯୋଜନା ପାଇଁ ପ୍ରଥମ ପର୍ଯ୍ୟାୟରେ ସିଡିଏ ଡିଏଭିର ୫୪ ଜଣ ଛାତ୍ରଛାତ୍ରୀଙ୍କୁ ଇକୋ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଆଗାମୀ ଦିନରେ ଆବଶ୍ୟକ ପଡିଲେ ଏହାର ସଂଖ୍ୟା ବୃଦ୍ଧି କରାଯିବ। ଅନ୍ୟପଟେ ପର୍ଯ୍ୟବେକ୍ଷକମାନେ ନିଜସ୍ବ ଦୃଷ୍ଟି ଭଙ୍ଗୀରେ ଦେଇଥିବା ସକାରାତ୍ମକ ଓ ନକରାତ୍ମକ ରିପୋର୍ଟକୁ ପ୍ରଶାସନ ଗୁରୁତ୍ବର ସହ ସମୀକ୍ଷା କରିବ ଓ ତାହାକୁ ପ୍ରକଳ୍ପରେ ସାମିଲ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର