ମିସନ୍ ଇନ୍ଦ୍ରଧନୁଷ ୨.୦ : ପ୍ରଥମ ପର୍ଯ୍ୟାୟରେ ଶତ ପ୍ରତିଶତ ଟିକାଦାନ

ଭୁବନେଶ୍ବର : ରାଜ୍ୟରେ ମିସନ୍ ଇନ୍ଦ୍ରଧନୁଷ ୨.୦ ଜାରି ରହିଛି। ନିକଟରେ ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଏବେ ଦ୍ବିତୀୟ ପର୍ଯ୍ୟାୟ ଟିକାଦାନ ଆରମ୍ଭ ହୋଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ଉଭୟ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଶତ ପ୍ରତିଶତରୁ ଅଧିକ ଟିକାଦାନ କରାଯାଇଥିବା କେନ୍ଦ୍ର ସରକାରଙ୍କ ଅନୁଧ୍ୟାନରୁ ସୂଚନା ମିଳିଛି।

ରାଜ୍ୟର ୬ଟି ଜିଲ୍ଲା ଯଥା କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ ଓ ଢେଙ୍କାନାଳରେ ମିସନ୍‌ ଇନ୍ଦ୍ରଧନୁଷ ଯୋଜନାରେ ଟିକାକରଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୦ହଜାର ୫୬୦ଜଣ ଶିଶୁଙ୍କୁ ଟିକାଦାନ ପାଇଁ ଲକ୍ଷ୍ୟ ରଖା ଯାଇଥିବା ବେଳେ ୧୦ହଜାର ୬୦୩ଜଣ ଟିକା ନେଇଛନ୍ତି। ଶିଶୁଙ୍କ କ୍ଷେତ୍ରରେ ଟିକାଦାନର ହାର ୧୦୦.୪ ପ୍ରତିଶତ ରହିଛି। ସେହିପରି ଏହି ପର୍ଯ୍ୟାୟରେ ୨୪୬୧ଗର୍ଭବତୀ ମହିଳାଙ୍କୁ ଟିକାଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୨୪୬୯ଜଣଙ୍କୁ ଟିକା ପ୍ରଦାନ କରାଯାଇଛି। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଟିକାଦାନ ହାର ୧୦୦.୩ ପ୍ରତିଶତ ରହିଥିବା କେନ୍ଦ୍ର ସରକାର ଉଲ୍ଲେଖ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଟିକାଦାନ ପୂର୍ବରୁ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ବୈଠକ ବସିଥିବା ବେଳେ ସବୁ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଥିଲା।

ଟିକାକରଣ କାର୍ଯ୍ୟକୁ ଠିକ୍ ଭାବେ ପରିଚାଳନା ପାଇଁ ଏନ୍‌ସିସି, ଏନ୍‌ଏସ୍‌ଏସ୍‌, ଏନ୍‌ୱାଇକେ ଓ ରୋଟାରି ସଂଗଠନକୁ ଏଥିରେ ସାମିଲ କରାଯାଇଥିଲା। ରାଜ୍ୟସ୍ତରୀୟ ଅଧିକାରୀମାନେ ଟିକାଦାନ ହେଉଥିବା ଜିଲ୍ଲାକୁ ଗସ୍ତ କରିବା ସହ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଟିକାଦାନ ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ନିମନ୍ତ୍ରଣପତ୍ର ଦିଆଯାଇଥିଲା। ଟିକାକରଣ ପାଇଁ ନାସନାଲ ମନିଟର ଓ ଅନ୍ୟ କର୍ମକର୍ତାମାନେ ଘରକୁ ଘର ବୁଲି ମତାମତ ସଂଗ୍ରହ କରିଥିଲେ। ୧୮୦ ସ୍ଥାନରେ ୨୫୬ ସେସନ୍‌ରେ ୯୨୦ ପିଲାଙ୍କୁ ଏମାନେ ଭେଟିଥିଲେ। ୯୯ପ୍ରତିଶତ ସ୍ଥାନରେ ଆଇଇସି ବା ସଚେତନତା ସାମଗ୍ରୀ ପ୍ରଦର୍ଶିତ ହୋଇଥିବା କର୍ତୃପକ୍ଷଙ୍କ ନିଜରକୁ ଆସିଥିବା କେନ୍ଦ୍ର ସରକାରଙ୍କ ସୂଚନାରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର