୨ରୁ ରାଜ୍ୟରେ ମିସନ୍ ଇନ୍ଦ୍ରଧନୁଷ ୨.୦; ୬ ଜିଲ୍ଲାରେ ଶିଶୁ ଓ ମହିଳାଙ୍କୁ ଦିଆଯିବା ଟିକା

‘ଭୁବନେଶ୍ବର : ଡିସେମ୍ବର ୨ତାରିଖରୁ ରାଜ୍ୟରେ ଆରମ୍ଭ ହେବ ପରିବର୍ଦ୍ଧିତ ମିସନ୍ ଇନ୍ଦ୍ରଧନୁଷ ୨.୦। ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବା ବେଳେ ଓଡ଼ିଶା ମଧ୍ୟ ଏଥିରେ ସାମିଲ ହୋଇଛି। ୪ଟି ପର୍ଯ୍ୟାୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ। ଢେଙ୍କାନାଳ ଜିଲ୍ଲାରେ ଏହାର ଶୁଭାରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସୂଚନା ଅନୁସାରେ, ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟର ୫ଟି ଜିଲ୍ଲାକୁ ଏହି ଟିକାକରଣରେ ସାମିଲ କରାଯାଇଥିଲା। ତେବେ କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲା ଯୋଜନାରେ ଢେଙ୍କାନାଳ ସାମିଲ ହେବା ଓ ଏହି ଜିଲ୍ଲାରେ ଟିକାକରଣ ଅନ୍ୟ ଜିଲ୍ଲା ତୁଳନାରେ କମ୍ ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରେ ଏହି ଜିଲ୍ଲାକୁ ସାମିଲ କରାଯାଇଛି। ୦-୨ବର୍ଷର ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଏହି ଟିକା ପ୍ରଦାନ କରାଯିବ। ଯେଉଁ ଶିଶୁମାନେ ଆଂଶିକ ଟିକାକରଣ କରିଛନ୍ତି ଓ ନୂଆ କରି ଜନ୍ମ ନେଇଥିବା ଶିଶୁମାନଙ୍କୁ ଟିକା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୨ତାରିଖରେ ପ୍ରଥମ ପର୍ଯ୍ୟାୟ, ଆସନ୍ତାବର୍ଷ ଜାନୁଆରି ୬ରେ ଦ୍ବିତୀୟ ପର୍ଯ୍ୟାୟ, ଫେବ୍ରୁଆରି ୩ରେ ତୃତୀୟ ଓ ମାର୍ଚ ୨ତାରିଖରେ ଚତୁର୍ଥ ପର୍ଯ୍ୟାୟ ଟିକାକରଣ କରାଯିବ। ୭ଦିନର କାର୍ଯ୍ୟ ଦିବସରେ ଏହି ଟିକା ପ୍ରଦାନ କରାଯିବ। ଅଙ୍ଗନବାଡ଼ି କେନ୍ଦ୍ର ସମେତ ସରକାରୀ କାର୍ଯ୍ୟାଳୟ ଓ ଡାକ୍ତରଖାନାରେ ଏହି ଟିକା ଦିଆଯିବ। ୧୦ହଜାର ୩୮୪ ଶିଶୁ ଓ ୨୪୩୭ ଗର୍ଭବତୀ ମହିଳାଙ୍କୁ ଟିକା ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି।

୨୦୧୫ ମସିହାରେ ପ୍ରଥମଥର ଲାଗି ମିସନ୍ ଇନ୍ଦ୍ରଧନୁଷ ଆରମ୍ଭ ହୋଇଥିଲା। ପରେ ୨୦୧୭/୧୮ରେ ପରିବର୍ଦ୍ଧିତ ମିସନ୍ ଇନ୍ଦ୍ରଧନୁଷ କାର୍ଯ୍ୟକାରୀ ହୋଇଥିଲା। ଭୁବନେଶ୍ବର ଓ ଗଞ୍ଜାମ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଥିବା ବେଳେ ସର୍ବାଧିକ ଟିକାକରଣ ପାଇଁ ଓଡ଼ିଶା ଜାତୀୟସ୍ତରରେ ପୁରସ୍କୃତ ହୋଇଥିଲା। ଚଳିତବର୍ଷ ୯୫ ପ୍ରତିଶତରୁ ଅଧିକ ଟିକାକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଟିକାକରଣ ପରେ କେନ୍ଦ୍ର ସରକରଙ୍କ ପକ୍ଷରୁ ପ୍ରକୃତରେ କେତେ ପ୍ରତିଶତ ଟିକାକରଣ ହୋଇଛି ତାହା ଜାଣିବା ପାଇଁ ଏହାର ମୂଲ୍ୟାୟନ କରାଯାଉଛି। ତେଣୁ ଏହି ମୂଲ୍ୟାୟନରେ ରାଜ୍ୟର ୬ଟି ଜିଲ୍ଲାରେ ପ୍ରକୃତରେ କେତେ ପ୍ରତିଶତ ଟିକାକରଣ ହୋଇଛି ତାହା ସ୍ପଷ୍ଟ ହୋଇପାରିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର