୭ରୁ ରାଜ୍ୟରେ ମିସନ୍ ଇନ୍ଦ୍ରଧନୁଷ ୪.୦, ୧୨ ଜିଲ୍ଲାରେ ୧୬୮ଟି ବ୍ଲକ୍‌ରେ ହେବ ଟିକାକରଣ

୦-୨ବର୍ଷର ୧୦,୯୯୭ ପିଲା, ୨୬୩୧ ଗର୍ଭବତୀ ମହିଳାଙ୍କୁ ଟିକାକରଣ ଲକ୍ଷ୍ୟ
ଟିକାକରଣର ତୃତୀୟ ପକ୍ଷ ଦ୍ବାରା ଅଡିଟ୍‌

ଭୁବନେଶ୍ୱର : ଆସନ୍ତା ୭ତାରିଖରୁ ରାଜ୍ୟରେ ଆରମ୍ଭ ହେବ ମିସନ୍ ଇନ୍ଦ୍ରଧନୁଷ ୪.୦। ଅଧାରୁ ଟିକା କିମ୍ବା ଆଦୌ ଟିକା ନେଇ ନ ଥିବା ୦-୨ବର୍ଷର ପିଲା ଓ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରିବା ହେଉଛି ଏହା ଅଭିଯାନର ଲକ୍ଷ୍ୟ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ୧୨ଟି ଜିଲ୍ଲାକୁ ଏହି ଟିକାକରଣ ଅଭିଯାନ ପାଇଁ ଚିହ୍ନଟ କରିଛନ୍ତି। ଚଳିତମାସରୁ ମେ’ମାସ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟ ଓ ପ୍ରତ୍ୟେକ ପର୍ଯ୍ୟାୟରେ ୭ଦିନ ପର୍ଯ୍ୟନ୍ତ ଟିକାକରଣ କରାଯିବ।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌)-୫ରେ ଓଡ଼ିଶାରେ ଟିକାକରଣ ହାର ୯୦.୫ ପ୍ରତିଶତ ରହିଛି। କିନ୍ତୁ ଯାଜପୁର, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଖୋର୍ଧା, ଗଞ୍ଜାମ, ଢେଙ୍କାନାଳ, କଟକ ଜିଲ୍ଲାରେ ଟିକାକରଣ ହାର ରାଜ୍ୟର ହାରଠାରୁ କମ୍ ରହିଛି। ଏସବୁ ଜିଲ୍ଲା ସମେତ ସୁନ୍ଦରଗଡ଼ ଜିଲ୍ଲା ଓ ୫ଟି ମହାନଗର ନିଗମକୁ ଏହି ଅଭିଯାନରେ ସାମିଲ କରାଯାଇଛି। ୧୨ଟି ଜିଲ୍ଲାର ୧୬୮ଟି ଗୋଷ୍ଠୀରେ ୦-୨ବର୍ଷର ୧୦,୯୯୭ ପିଲା, ୨୬୩୧ ଗର୍ଭବତୀ ମହିଳାଙ୍କୁ ୪୬୨୫ ଟିକାକରଣ ଅଧିବେଶନ ଜରିଆରେ ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟ ମାର୍ଚ ୭, ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ ୪, ତୃତୀୟ ପର୍ଯ୍ୟାୟ ମେ’ ୨ ତାରିଖଠାରୁ ଆରମ୍ଭ ହେବ। ଟିକାକରଣର ସମୟ ସୀମା, ଆର୍ଥିକ, ଆଇସିବିସିସି ତଥା ବିସ୍ତୃତ କାର୍ଯ୍ୟକ୍ରମର ସଂପୂର୍ଣ୍ଣ ଗାଇଡଲାଇନ୍ ପ୍ରଦାନ କରାଯାଇଛି। ଅଭିଯାନର ସଫଳତା ପାଇଁ ରାଜ୍ୟସ୍ତରୀୟ ନୋଡାଲ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ଜିଲ୍ଲାକୁ ଯାଇ ମିସନ୍ ଇନ୍ଦ୍ରଧନୁଷ ୪.୦ ଅଭିଯାନକୁ ଅନୁଧ୍ୟନ କରିବେ। ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ସଭା ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରତି କାର୍ଯ୍ୟର ତଦାରଖ କରାଯାଉଛି।

Business Standard

ଅଭିଯାନରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଅନୁସୂଚିତ ଜନଜାତି, ଶ୍ରମ, ସୂଚନା ଓ ଲୋକସଂପର୍କ ବିଭାଗର ମିଳିତ ସହଯୋଗରେ ଅଭିଯାନ କାର୍ଯ୍ୟକାରୀ କରାଯିବ। ତେବେ ରାଜ୍ୟରେ ୩ଟି ପର୍ଯ୍ୟାୟରେ କେତେ ପ୍ରତିଶତ ଟିକାକରଣ ହେଉଛି ତାହାର ତୃତୀୟ ପକ୍ଷ ଦ୍ବାରା ଅଡିଟ୍‌ କରାଯିବ। କେନ୍ଦ୍ର ସରକାରଙ୍କ ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ଏହାର ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ।

ଡା.ପାଣିଗ୍ରାହୀ କହିଛନ୍ତି ଯେ ପୂର୍ବରୁ ୩ଟି ମିସନ୍ ଇନ୍ଦ୍ରଧନୁଷ ଅଭିଯାନରେ ଜାତୀୟ ହାରଠାରୁ ଓଡ଼ିଶାରେ ଟିକାକରଣ ଅଧିକ ରହିଥିଲା। ମାତ୍ର କିଛି ଜିଲ୍ଲାରେ ଟିକାକରଣ ହାର ଅନ୍ୟ ଜିଲ୍ଲା ତୁଳନାରେ କମ୍ ଦେଖିବାକୁ ମିଳିଛି। ଦେଶାନ୍ତର, ଇଟା ଭାଟି ଭଳି କ୍ଷେତ୍ର, ଘରେ ଜନ୍ମ ନେଉଥିବା ଶିଶୁ, ଅପହଞ୍ଚ ଅଞ୍ଚଳ, ସହରାଞ୍ଚଳର ବସ୍ତି, ଆଦିବାସୀ ଅଞ୍ଚଳ ସମେତ ଯେଉଁ ଅଞ୍ଚଳରେ ମିଳିମିଳା ଓ ଅନ୍ୟ ଭିପିଡି ଅଞ୍ଚଳଗୁଡ଼ିକୁ ଗୁରୁତ୍ବ ଦିଆଯିବ। କୋଭିଡର ଏକାଧିକ ଲହରରେ ଅନେକ ଡାକ୍ତରଖାନାରେ ନିୟମିତ ଟିକାକରଣରେ ସାମିଲ ହୋଇପାରି ନ ଥିଲେ। ଏହି ବ୍ୟକ୍ତିମାନଙ୍କୁ ଟିକାକରଣରେ ପ୍ରାଥମିକତା ଦିଆଯିବ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ୟୁନିସେଫ୍‌, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଜେଏସ୍‌ଆଇ, ୟୁଏନ୍‌ଡିପି ସହଯୋଗର ହାତ ବଢ଼ାଇଥିବା ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର