ଭୁବନେଶ୍ବର : ଶିଶୁମାନଙ୍କୁ ବିଭିନ୍ନ ‌ମାରାତ୍ମକ ରୋଗ ଦାଉରୁ ରକ୍ଷା ପାଇଁ ସରକାର ବ୍ୟାପକ ଟୀକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି। ମସ୍ତିଷ୍କ ଜ୍ବର ନିରାକରଣ ପାଇଁ ନଭେମ୍ବର ୧୧ ତାରିଖରୁ ଟୀକାକରଣ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ଇଣ୍ଟେନ୍‌ସିଫାଏଡ୍‌ ମିସନ୍‌ ଇନ୍ଦ୍ରଧନୁଷ ୨.୦ କାର୍ଯ୍ୟକ୍ରମରେ ରାଜ୍ୟର ୬ଟି ଜିଲ୍ଲାରେ ୧୧ଟି ବିଭିନ୍ନ ରୋଗ ପାଇଁ ଟୀକାକରଣ ଡିସେମ୍ବର ୨ ତାରିଖରୁ ଆରମ୍ଭ ହେବ। ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସମୂହ ଟୀକାକରଣ କାର୍ଯ୍ୟକୁ ସଫଳତାର ସହ ତ୍ବାରାନ୍ବିତ କରିବେ।

Advertisment

ଅନ୍ୟ ରାଜ୍ୟଠାରୁ ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି ବହୁଳ ଅଞ୍ଚଳରେ ଟୀକାକରଣ କାର୍ଯ୍ୟକ୍ରମ ଆଗରେ ରହିଛି। ଟୀକାକରଣ କାର୍ଯ୍ୟକ୍ରମର ଧାର୍ଯ୍ୟ ଲକ୍ଷ ୯୦ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ୮୭ ପ୍ରତିଶତ ସଫଳତା ମିଳିଛି। ଏଥିପାଇଁ ବ୍ୟାପକ ସଚେତନତା ସହ ସମ୍ପୃକ୍ତ ବିଭାଗ ଓ କର୍ମଚାରୀମାନଙ୍କୁ ନେଇ ଏକ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ କରାଯିବ। ଯେଉଁଠି ଆଶାକର୍ମୀ ନାହାନ୍ତି ସେଠାରେ ଅଙ୍ଗନବାଡ଼ି କର୍ମୀଙ୍କୁ ଏଥିରେ ନିୟୋଜିତ କରାଯିବ। ସରକାରୀ ସ୍କୁଲ୍‌ ସମେତ ଘରୋଇ ଓ ମିସନ୍‌ ସ୍କୁଲ୍‌କୁ ବି ଏଥିରେ ସାମିଲ୍‌ କରାଯିବ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଟୀକାକରଣ ଅଭିଯାନ ଓ ମିସନ୍‌ ଇନ୍ଦ୍ରଧନୁଷ ୨.୦କୁ ବ୍ୟାପକ କରିବା ଦିଗରେ ରାଜ୍ୟ ଟାସ୍କ ଫୋର୍ସର ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ମେହେର୍ଦା କହିଛନ୍ତି, ସରକାର ସ୍ବାସ୍ଥ୍ୟସେବାକୁ ସବୁବେଳେ ଅଗ୍ରାଧିକାର ଦେଇଆସୁଥିବା ବେଳେ ଟୀକାକରଣ କାର୍ଯ୍ୟକୁ ସଫଳ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଅବସରରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶକ ଶାଳିନୀ ପଣ୍ଡିତ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଓଡ଼ିଶା ଆଞ୍ଚଳିକ ଟିମ୍‌ ମୁଖ୍ୟ ଡାକ୍ତର ନିହାର ରଂଜନ ରାୟ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।