ଭୁବନେଶ୍ବର : ଟିକାକରଣରେ ପଛୁଆ ରହିଥିବା ରାଜ୍ୟର ୧୨ଟି ଜିଲ୍ଲାରେ ମିସନ୍ ଇନ୍ଦ୍ରଧନୁଷ ୪.୦ ଟିକାକରଣ ଶେଷ ହୋଇଛି। ୩ଟି ପର୍ଯ୍ୟାୟରେ ଏହି ଟିକାକରଣ ହୋଇଥିବା ବେଳେ ଏଥିରେ ମୁଖ୍ୟତଃ ୨ବର୍ଷରୁ କମ୍ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ଶତ ପ୍ରତିଶତ ଟିକାକରଣ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ ପାଇଛି। ତେବେ ରାଜ୍ୟରେ ପ୍ରକୃତରେ କେତେ ପ୍ରତିଶତ ଟିକାକରଣ ହୋଇଛି ତାହା ତୃତୀୟ ପକ୍ଷ ମୂଲ୍ୟାଙ୍କନର ବିଶେଷ ଗୁରୁତ୍ବ ରହିଛି। ସ୍ବାସ୍ଥ୍ୟ ବିଭାଗ ଏହି ରିପୋର୍ଟକୁ ଅପେକ୍ଷା କରିଛନ୍ତି।
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍ଏଫ୍ଏଚ୍ଏସ୍-୫ ରିପୋର୍ଟ ଅନୁସାରେ ରାଜ୍ୟରେ ପୂର୍ଣ୍ଣ ଟିକାକରଣ ହାର ୯୦.୫ ପ୍ରତିଶତ ରହିଛି। ଜାତୀୟ ସ୍ତରରେ ଏହା ୭୬.୪ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୧୪ ପଏଣ୍ଟ ଅଧିକ। ଅନ୍ୟ ରାଜ୍ୟଙ୍କ ତୁଳନାରେ ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ଜାତୀୟ ସ୍ତରରେ ଆଗରେ ରହିଛି। ପୂର୍ଣ୍ଣ ଟିକାକରଣରେ ମୁଖ୍ୟତଃ ୧୨ ପ୍ରକାରର ରୋଗର ନିବାରଣ ପାଇଁ ପ୍ରତିଷେଧକ ଟିକା ଦିଆଯାଏ। ପୂର୍ଣ୍ଣ ଟିକାକରଣରେ ପୋଲିଓ, ଜଣ୍ଡିସ୍, ଯକ୍ଷ୍ମା, ଡିପ୍ଥେରିଆ, ଲହରା କାଶ, ଧନୁଷ୍ଟଙ୍କାର, ମସ୍ତିଷ୍କ ଜ୍ବର, ନିମୋନିଆ, ମିଳିମିଳା, ରୁବେଲା, ହଇଜା, ଜାପାନୀ ଜ୍ବର ଆଦି ରୋଗର ନିବାରଣ ପାଇଁ ଏକାଧିକ ସଂଖ୍ୟକ ଡୋଜ୍ ଦିଆଯାଇଥାଏ। ରାଜ୍ୟର ୨୦ଟି ଜିଲ୍ଲରେ ପୂର୍ଣ୍ଣ ଟିକାକରଣ ହାର ୯୦ ପ୍ରତିଶତରୁ ଅଧିକ ଥିବା ବେଳେ ୧୦ଟି ଜିଲ୍ଲାରେ ଏହାର କମ୍ ରହିଛି। ଏହା ପଛରେ ଦେଶାନ୍ତର, ଅପହଞ୍ଚ ଅଞ୍ଚଳ ଓ କୋଭିଡ୍ ପାଇଁ ଟିକାକରଣ କମ୍ ରହିଥିବା କୁହାଯାଉଛି। ତେଣୁ ରାଜ୍ୟର ୧୨ଟି ଜିଲ୍ଲାର ୬୮ଟି ବ୍ଲକ୍ରେ ମିସନ୍ ଇନ୍ଦ୍ରଧନୁଷ ୪.୦ କାର୍ଯ୍ୟକାରୀ ହୋଇଥିଲା। ମାର୍ଚ ୭ରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୪ରୁ ଦ୍ବିତୀୟ ପର୍ଯ୍ୟାୟ ଓ ମେ’୨ରୁ ତୃତୀୟ ପର୍ଯ୍ୟାୟ ଟିକା ଦିଆଯାଇଥିଲା। କଟକ, ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ଖୋର୍ଧା, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଟିକାକରଣରେ ସାମିଲ ହୋଇଥିଲା।
ମିଳିଥିବା ରିପୋର୍ଟ ଅନୁସାରେ, ରାଜ୍ୟରେ ୧୦,୦୨୧ ଟିକାକରଣ ଅଧିବେଶନ ଲକ୍ଷ୍ୟ ରହିଥିବା ବେଳେ ୧୦,୧୫୩ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୦-୨ବର୍ଷର ୨୧,୯୩୧ ଶିଶୁଙ୍କୁ ଟିକା ଦିଆଯିବାକୁ ଲକ୍ଷ ଧାର୍ଯ୍ୟ ହୋଇଥିଲା ବେଳେ ୨୨,୧୨୭ ଶିଶୁଙ୍କୁ ଟିକା ଦିଆଯାଇଛି। ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୧୦୦.୯ ପ୍ରତିଶତ। ସେହିପରି ୫୧୯୩ ଗର୍ଭବତୀ ମହିଳାଙ୍କୁ ଟିକା ଦେବା ପାଇଁ ଟାର୍ଗେଟ୍ ଥିବା ବେଳେ ୫୧୬୬ ଜଣ ଟିକା ନେଇପାରିଛନ୍ତି। ଯାହାର ହାର ହେଉଛି ୯୯.୫ ପ୍ରତିଶତ। ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ମିସନ ଇନ୍ଦ୍ରଧନୁଷ ୪.୦ ଟିକାକରଣରେ ଶତ ପ୍ରତିଶତ ଟିକାକରଣ ହେଉଛି। ରାଜ୍ୟରେ ଟିକାକରଣ ଚାଲିଥିବା ସମୟରେ ତୃତୀୟ ପକ୍ଷ ଦ୍ବାରା ଏହାର ଅଡିଟ୍ କରାଯାଇଥିଲା। ଅଡିଟ୍ ଟିମ୍ ରାଜ୍ୟର ଟିକାକରଣରେ ସନ୍ତୁଷ୍ଟ ଥିବା ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେଇଥିଲେ। ତେବେ ତୃତୀୟ ପକ୍ଷ ମୂଲ୍ୟାଙ୍କନ ରିପୋର୍ଟ ଆସି ନ ଥିବା ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଉଲ୍ଲେଖ ଯେ ପଞ୍ଚାୟତିରାଜ ଓ ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଅନୁସୂଚିତ ଜନଜାତି, ଶ୍ରମ, ସୂଚନା ଓ ଲୋକସଂପର୍କ ବିଭାଗର ମିଳିତ ସହଯୋଗରେ ଟିକାକରଣ ଅଭିଯାନ କାର୍ଯ୍ୟକାରୀ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/vac.png)