ଝାରସୁଗୁଡ଼ା: ଗ୍ରୀଷ୍ମ ପ୍ରବାହ ଉତ୍କଟ ସ୍ଥିତି ଧାରଣ କରିବା ସହିତ ପାନୀୟ ଜଳର ଘୋର ଅଭାବ ଦେଖାଦେଲାଣି। ନଦୀନାଳ ଶୁଖି ଯାଉଥିବା ବେଳେ ଜଳସ୍ତର ହ୍ରାସ ପାଇବା କାରଣରୁ ନଳକୂପରୁ ପାଣି ବାହାରୁନି। ପ୍ରତି ଘରକୁ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ପାଇଁ ରାଜ୍ୟ ସରକାର କାର୍ଯ୍ୟ ଜାରି ରଖି ସଫଳତା ପାଇଥିବା କହୁଥିବା ବେଳେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଭିନ୍ନ ରହିଛି। ୨୦୨୪ ମାର୍ଚ୍ଚ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଣ ପାଇଁ ସରକାର ଲକ୍ଷ୍ୟ ରଖିଥିଲେ। କିନ୍ତୁ ଝାରସୁଗୁଡ଼ା ଜିଲ୍ଲାରେ ୩ଟି ଯାକ ମ୍ୟୁନିସିପାଲିଟିରେ ୨୦୧୯ ମସିହାରେ ନିଆଯାଇଥିବା ଲକ୍ଷ୍ୟରୁ ୧୭ ପ୍ରତିଶତ ଲୋକଙ୍କ ନିକଟରେ ଟ୍ୟାପ୍ ଯୋଗେ ପାଣି ପହଞ୍ଚି ପାରିନଥିବା ସରକାରୀ ତଥ୍ୟ କହୁଛି। ଏ ନେଇ ପିଏଚ୍ଡି ନିର୍ବାହୀ ଅଧିକାରୀ କିଶୋର କୁମାର କାଣ୍ଡିଙ୍କୁ ପଚରାଯିବାରୁ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ବଳକା ପାଇପ୍ ଲାଇନ୍ କାମ ଶେଷ ହେବ ବୋଲି କହିଛନ୍ତି।
୨୦୨୪ ସୁଦ୍ଧା ରାଜ୍ୟର ଶତ ପ୍ରତିଶତ ଘରକୁ ପାନୀୟ ଜଳଯୋଗାଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଓଲଟା। ଝାରସୁଗୁଡ଼ା ଜିଲ୍ଲାରେ ୨୦୧୯ ଅଗଷ୍ଟ ୧୫ ତାରିଖ ସୁଦ୍ଧା ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ, ଝାରସୁଗୁଡ଼ା ମ୍ୟୁନିସିପାଲିଟିରେ ୨୨,୨୭୩ ପରିବାର, ବେଲପାହାଡ଼ ମ୍ୟୁନିସିପାଲିଟିରେ ୯୭୦୦ ପରିବାର ଓ ବ୍ରଜରାଜନଗର ମ୍ୟୁନିସିପାଲିଟିରେ ୧୪,୮୦୦ ପରିବାରକୁ ଜଳ ସଂଯୋଗୀକରଣ କରାଯିବାର ଲକ୍ଷ୍ୟ ରହିଥିଲା। ଏଥିପାଇଁ ଛଡ଼ାରମାରେ ଇନ୍ଟେକ୍ ୱେଲ୍ ମଧ୍ୟ ନିର୍ମାଣ କରାଯାଇଛି। ଏଥିରୁ ବର୍ତ୍ତମାନ ସୁଦ୍ଧା ଝାରସୁଗୁଡ଼ାର ୨୦ ହଜାର, ବେଲପାହାଡ଼ର ୬ ହଜାର ଓ ବ୍ରଜରାଜନଗରର ୧୪ ହଜାର ପରିବାରକୁ ଜଳ ସଂଯୋଗୀକରଣ ହୋଇଛି। ଏହାମଧ୍ୟରେ ବ୍ରଜରାଜନଗରରେ ଘର ସଂଖ୍ୟା ୧୮ ହଜାରକୁ ବୃଦ୍ଧି ପାଇଥିବା ବେଳେ ଝାରସୁଗୁଡ଼ା ଓ ବେଲପାହାଡ଼ ମ୍ୟୁନିସିପାଲଟିରେ ବି ଘର ସଂଖ୍ୟା ବଢ଼ିଛି। କିନ୍ତୁ ଜଳ ସଂଯୋଗୀକରଣ ହାର ସେତିକି ହିଁ ରହିଛି।
ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କଲେ ମୋଟ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ଦେଢ଼ ଗୁଣା ହେବ। ସେପଟେ, ଯେତିକି ଅଞ୍ଚଳରେ ପାନୀୟ ଜଳଯୋଗାଣ ପାଇଁ ପାଇପ୍ ସଂଯୋଗୀକରଣ ହୋଇଛି ସେଠାରେ ବି ସବୁ ଲୋକେ ଠିକ୍ରେ ପାଣି ପାଇପାରୁନଥିବା ଘଟଣାକୁ ଖୋଦ୍ ପିଏଚ୍ଡି ବିଭାଗ ସ୍ବୀକାର କରୁଛି। ଝାରସୁଗୁଡ଼ା ମ୍ୟୁନିସିପାଲିଟିରେ ପୁରୁଣା ସର୍ଭେ ରିପୋର୍ଟ ଅନୁସାରେ, ପ୍ରତି ଘରକୁ ଦୈନିକ ୧୫୫ ଲିଟର ପାଣି ହିସାବରେ ଦିନକୁ ୨୫ ଏମ୍ଏଲ୍ଡି ପାଣି ଆବଶ୍ୟକ ହେଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମ୍ୟୁନିସିପାଲିଟି ପକ୍ଷରୁ ୧୫ ଏମ୍ଏଲ୍ଡି ପାଣି ହିଁ ଯୋଗାଇ ଦିଆଯାଉଛି। ସେହିଭଳି ବ୍ରଜରାଜନଗର ମ୍ୟୁନିସିପାଲିଟିରେ ଆବଶ୍ୟକ ହେଉଥିବା ୧୮ ଏମ୍ଏଲ୍ଡି ବଦଳରେ ୧୫ ଏମ୍ଏଲ୍ଡି ପାଣି ଦିଆଯାଉଥିବା ବେଳେ ବେଲପାହାଡ଼ ମ୍ୟୁନିସିପାଲିଟି ଅଞ୍ଚଳରେ ଆବଶ୍ୟକ ୮ ଏମ୍ଏଲ୍ଡି ପାଣି ପ୍ରଦାନ କରାଯାଉଥିବା ପିଏଚ୍ଡି ନିର୍ବାହୀ ଅଧିକାରୀ ଶ୍ରୀ କାଣ୍ଡି କହିଛନ୍ତି। ଅପରପକ୍ଷେ ବ୍ରଜରାଜନଗର ଓ ବେଲପାହାଡ଼ ମ୍ୟୁନିସିପାଲିଟିରେ ଉଚ୍ଚସ୍ଥାନରେ ଥିବା ଜନବସତିକୁ ପାଣି ପହଞ୍ଚି ପାରୁନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ବି ତାର ସମାଧାନ କରାଯାଇପାରୁନି। ଗ୍ରୀଷ୍ମ ପ୍ରବାହ ପାଇଁ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି ହୋଇଛି। ଏପ୍ରିଲ ପହିଲାରୁ ପାଣି ଟାଙ୍କି ଯୋଗେ ପହଞ୍ଚି ପାରୁନଥିବା ଅଞ୍ଚଳର ଆବଶ୍ୟକତା ପୂରଣ କରାଯିବ ବୋଲି ପିଏଚ୍ଡି ବିଭାଗ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/10/lAj15gYtSKUfO0iKzitp.jpg)