ଭୁବନେଶ୍ବର: ପୋଖରୀପୁଟ ସ୍ଥିତ ମିସନ ଶକ୍ତି ଭବନ ପରିସରରେ ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ମିସନ ଶକ୍ତି ବିଭାଗର କଲ୍ ସେଣ୍ଟର ଓ ଅଡିଟୋରିୟମର ଉଦଘାଟନ କରିଛନ୍ତି। ୭.୫୯କୋଟି ବ୍ୟୟରେ ନିର୍ମିତ ୪ଶହ ଆସନ ବିଶିଷ୍ଟ ଏହି ଅଡିଟୋରିୟମ ଇଡ୍‌କୋ ଦ୍ବାରା ନିର୍ମାଣ କରାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହ ବିଭିନ୍ନ ବୈଠକ, କର୍ମଶାଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରସ୍କାର ବିତରଣ, ଏସ୍‌ଏଚ୍‌ଜି ଉତ୍ପାଦର ଲୋକାର୍ପଣ ଆଦି ସମାରୋହ ପାଇଁ ଏହା ଏକ ବୃହତ ଭିତ୍ତିଭୂମି ଯୋଗାଇବ।

Advertisment

ଏହାସହ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମିସନ ଶକ୍ତି ଭବନ ପରିସରରେ ‘ମିସନ ଶକ୍ତି କଲ୍ ସେଣ୍ଟର’ର ଶୁଭାରମ୍ଭ ମଧ୍ୟ କରିଥିଲେ। ଏହି କଲ୍ ସେଣ୍ଟରଟି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ମିସନ ଶକ୍ତି ବିଭାଗ ଅଧୀନରେ ପରିଚାଳିତ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ନୂତନ ପଦକ୍ଷେପ ଇତ୍ୟାଦି ସମ୍ବନ୍ଧରେ ତଥ୍ୟ ଯୋଗାଇବ। ଏହାର ଟୋଲ୍ ଫ୍ରି ନମ୍ବର ୧୫୫୨୭୬ ଜାରି ହୋଇଛି।

ସକାଳ ୧୦ଟାରୁ ସଂଧ୍ୟା ୫.୩୦ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଦିବସରେ ଏହା କାର୍ଯ୍ୟକ୍ଷମ ରହିବ। ମିସନ ଶକ୍ତି ବିଭାଗ ୧୦୦ ଦିନ ଭିତରେ ସଦସ୍ୟାଙ୍କୁ ୧୭୫ କୋଟି ଟଙ୍କାର ସୁଧ ଫେରସ୍ତ, ୫୩୦ କୋଟି ଟଙ୍କାର ସରକାରୀ ବ୍ୟବସାୟ, ୨.୨ ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ୭୫୦ ଉତ୍ପାଦକ ଗୋଷ୍ଠୀ ସୃଷ୍ଟି, ୧୦୦ଟି ମିସନ ଶକ୍ତି ରିଟେଲ ମାର୍ଟ ପ୍ରତିଷ୍ଠା କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୨୩୪୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇପାରିଛି। ସଫଳତାର ଲକ୍ଷ୍ୟ ପୂରଣ କରିଥିବାରୁ ଶ୍ରୀମତୀ ପରିଡ଼ା ବିଭାଗର ପ୍ରୟାସ ଓ ସଂକଳ୍ପକୁ  ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂହ, ମିସନ ଶକ୍ତି ବିଭାଗର ସଚିବ ଶାଳିନୀ ପଣ୍ଡିତ, ଓଡ଼ିଶା ଜୀବିକା ମିସନର ରାଜ୍ୟ ମିସନ ନିର୍ଦ୍ଦେଶକ ଭିନୀତ ଭରଦ୍ୱାଜ, ଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକଙ୍କ ସମେତ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।