ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜିଠାରୁ ମହିଳା ଓ ଶିଶୁ ବିକାଶ ବିଭାଗ ଠାରୁ ଅଲଗା ହୋଇ ମିସନ ଶକ୍ତି ନୂଆ ବିଭାଗ ଭାବେ କାର୍ଯ୍ୟକ୍ଷମ ହୋଇଛି। ଏ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଭାଗ ଲୋକସେବା ଭବନରେ କାର୍ଯ୍ୟ କରିବ। ଏହାର ଆନୁସଙ୍ଗିକ ବିଭାଗଗୁଡ଼ିକ ପୂର୍ବପରି ପୋଖରୀପୁଟ ସ୍ଥିତ ମିସନ ଶକ୍ତି ଭବନ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ପରିସରରେ ଓଡ଼ିଶା ଜୀବିକା ମିସନ କୋଠାରେ କାର୍ଯ୍ୟ କରିବ। ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁ ଏହି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ। ସେହିପରି ବିଭାଗର କମିସନର ତଥା ଶାସନ ସଚିବ ଭାବେ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ୍‌ କାର୍ଯ୍ୟ କରିବେ।

Advertisment

ବିଜ୍ଞପ୍ତି ପ୍ରକାଶ ପାଇବା ମିସନ ଶକ୍ତି କାର୍ଯ୍ୟକ୍ରମ, ଦୀନଦୟାଲ ଅନ୍ତୋଦୟ ଯୋଜନା ଅନ୍ତର୍ଗତ ଓଡ଼ିଶା ଜୀବିକା ମିସନ କାର୍ଯ୍ୟକ୍ରମ, ଜାତୀୟ ଗ୍ରାମୀଣ ଜୀବିକା ମିସନ, ଜାତୀୟ ଗ୍ରାମୀଣ ଅର୍ଥନୈତିକ ପରିବର୍ତ୍ତନ ପ୍ରକଳ୍ପ, ଜାତୀୟ ସହରାଞ୍ଚଳ ଜୀବିକା ମିସନ ଜରିଆରେ କାର୍ଯ୍ୟକାରୀ ହେଉଥିବା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ସମସ୍ତ କାର୍ଯ୍ୟକ୍ରମ ଏହି ବିଭାଗ ଅଧୀନକୁ ଆସିବ। ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏବେ ଏହି ବିଭାଗ ପାଇଁ କାର୍ଯ୍ୟ କରିବେ। ଆବଶ୍ୟକ କର୍ମଚାରୀ ନିଯୁକ୍ତି ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆସନ୍ତା ଆର୍ଥିକ ବର୍ଷ ତଥା ୨୦୨୨-୨୩ ବର୍ଷରୁ ରାଜ୍ୟ ବଜେଟ୍‌ରେ ସ୍ବତନ୍ତ୍ର ଭାବେ ଏହି ବିଭାଗ ପାଇଁ ଆର୍ଥିକ ବ୍ୟୟ ଅଟକଳ କରାଯିବ। ଚଳିତ ବର୍ଷ ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ମିସନ ଶକ୍ତି ପାଇଁ ଅନୁମୋଦିତ ହୋଇଥିବା ବଜେଟ୍‌ ଅର୍ଥ ଖର୍ଚ୍ଚ କରାଯାଇପାରିବ। ଏ ନେଇ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ପ୍ରକାଶଥାଉକି, ଏହି ବିଭାଗକୁ ସ୍ବତନ୍ତ୍ର ବିଭାଗ ଭାବେ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ କରାଯାଇଥିଲା। ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅନୁଯାୟୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ଓ ତତ୍ପରତା ଯୋଗୁ ଏହି ବିଭାଗ ସ୍ବତନ୍ତ୍ର ବିଭାଗ ଭାବେ କାର୍ଯ୍ୟକ୍ଷମ ହୋଇପାରିଛି। ଏହାଦ୍ବାରା ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଆଭିମୁଖ୍ୟ ଆହୁରି ତ୍ବାରାନ୍ବିତ ହୋଇପାରିବ ବୋଲି ଆଶା କରାଯାଇଛି।