ସବୁ ପଞ୍ଚାୟତରେ ମିସନ୍‌ ଶକ୍ତି ଭବନ

୩୦ ମିନିଟ୍‌ରେ ୩୨ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର

ଭୁବନେଶ୍ବର : ‘ମିସନ୍ ଶକ୍ତି’ ପାଇଁ ରାଜ୍ୟ ସରକାର ବୁଧବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୫ ବର୍ଷ ପାଇଁ ମିସନ୍‌ ଶକ୍ତି ଯୋଜନାରେ ୪,୯୭୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ପ୍ରତ୍ୟେକ ପଞ୍ଚାୟତ ଓ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ମିସନ୍ ଶକ୍ତି ଭବନ ନିର୍ମାଣ କରାଯିବ। ଏହା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ବିଭିନ୍ନ ସାମଗ୍ରୀ ବିକିବାକୁ ୫୦୦ଟି ମିସନ୍ ଶକ୍ତି ବଜାର ସ୍ଥାପନ ହେବ। ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସହ ମୋଟ୍‌ ୩୨ଟି ପ୍ରସ୍ତାବକୁ ବୁଧବାର ଦିନ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରିଛି।

ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିଥିଲା। ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ମନ୍ତ୍ରୀମାନେ ଏହି ବୈଠକରେ ସାମିଲ୍‌ ହୋଇଥିଲେ। ପ୍ରାୟ ୩୦ ମିନିଟ୍‌ ଧରି ହୋଇଥିବା ବୈଠକରେ ୩୨ଟି ପ୍ରସ୍ତାବ ପାରିତ ହୋଇଥିଲା। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ, ୫ ବର୍ଷ ଅର୍ଥାତ୍ ୨୦୨୨-୨୩ରୁ ୨୦୨୬-୨୭ ଭିତରେ ମିସନ୍ ଶକ୍ତି ଯୋଜନାରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା କରାଯିବ। ଏସ୍‌ଏଚ୍‌ଜିଙ୍କୁ ୧୨ ଶହ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ବି ରହିବ। ପ୍ରାୟ ୩୫ରୁ ୪୦ ଲକ୍ଷ ମହିଳା ଏସ୍ଏଚ୍‌ଜି ସଦସ୍ୟାଙ୍କୁ ଜୀବିକା ନିର୍ବାହ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ତାଲିମ ଦିଆଯିବ। ପ୍ରତି ପଞ୍ଚାୟତରେ ମିସନ୍ ଶକ୍ତି ଭବନ ସହ ବ୍ଲକ୍‌ ଓ ଜିଲ୍ଲାସ୍ତରରେ ମଧ୍ୟ ଭବନ ନିର୍ମାଣ ହେବ। ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତାରେ ମିସନ୍ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ତଥା ମହାସଂଘଙ୍କୁ ୬୬୦୦ କୋଟିରୁ ଅଧିକ ବ୍ୟବସାୟ ଯୋଗାଇ ଦିଆଯିବ।

ରାଜ୍ୟରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆର୍‌ଡିଏ)କୁ ଉଚ୍ଛେଦ କରାଯିବା ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ଅଧିକ ସଶକ୍ତ କରିବା ପାଇଁ ତଥା ସମ୍ବିଧାନର ୭୩ତମ ସଂଶୋଧନରେ ଦିଆଯାଇଥିବା ଆଦେଶ ଅନୁଯାୟୀ ଡିଆର୍‌ଡିଏ ଉଚ୍ଛେଦ ପାଇଁ ଚତୁର୍ଥ ରାଜ୍ୟ ଅର୍ଥ କମିସନ୍‌ ସୁପାରିସ୍ କରିଥିଲେ। ଏହି ସୁପାରିସ୍‌କୁ ସରକାର ଗ୍ରହଣ କରି ଡିଆର୍‌ଡିଏକୁ ଉଚ୍ଛେଦ କରି ଏହାକୁ ଜିଲ୍ଲା ପରିଷଦ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଜିଲ୍ଲା ପରିଷଦରେ ମିଶିବ ଡିଆର୍‌ଡିଏ
ଏସ୍‌ଏଚ୍‌ଜି ଉତ୍ପାଦ ବିକିବାକୁ ୫୦୦ ମିସନ୍ ଶକ୍ତି ବଜାର
ସମ୍ବଲପୁରରେ ଦ୍ବିତୀୟ ସୈନିକ ସ୍କୁଲ୍‌ ପାଇଁ ମାଗଣା ଜାଗା
ରାଉରକେଲାରେ ଟେକ୍ନୋଲୋଜି ସେଣ୍ଟର୍‌ ପାଇଁ ୧୪ ଏକର ଜାଗା

Times Now

ରାଜ୍ୟରେ ଦ୍ବିତୀୟ ସୈନିକ ସ୍କୁଲ୍‌ ପ୍ରତିଷ୍ଠା ପାଇଁ ବାଟ ଫିଟିଛି। ଏହି ସ୍କୁଲ୍‌ ପ୍ରତିଷ୍ଠା ପାଇଁ ସମ୍ବଲପୁର ଜିଲ୍ଲାର ସମ୍ବଲପୁର ତହସିଲ୍‌ ବସନ୍ତପୁର ମୌଜାରେ ୧୦୦ ଏକର ୫ ଡିସିମିଲ୍‌ ସରକାରୀ ଜମିକୁ ସରକାର ବିନା ମୂଲ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଲିଜ୍ ସୂତ୍ରରେ ଦେବେ। ଏହି ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ଅନୁମୋଦନ ଦେଇଛି। ତେବେ ସମ୍ବଲପୁର ସୈନିକ ସ୍କୁଲ୍‌ର ଅଧ୍ୟକ୍ଷ ବାର୍ଷିକ ଭୂ-ରାଜସ୍ବ ବାବଦକୁ ଏକର ପିଛା ଏକ ଟଙ୍କା ହିସାବରେ ଓ ସେସ୍‌ ବାବଦକୁ ଭୂ-ରାଜସ୍ବର ୭୫% ହିସାବରେ ଦେବେ।

ରାଉରକେଲା ତହସିଲ୍‌ ଅନ୍ତର୍ଗତ ରାଉରକେଲା ଟାଉନ୍ ୟୁନିଟ୍‌ ନଂ-୩୦ କଣ୍ଟାଝରରେ ଟେକ୍ନୋଲୋଜି ସେଣ୍ଟର୍‌ ସ୍ଥାପନ କରାଯିବ। ଏହି ସେଣ୍ଟର୍‌ ପାଇଁ ନୂଆଦିଲ୍ଲୀର ଏମ୍‌ଏସ୍‌ଏମ୍‌ଇ ଡେଭଲପ୍‌ମେଣ୍ଟ୍‌ କମିସନର୍‌ଙ୍କୁ ବିନା ମୂଲ୍ୟରେ ୧୪.୪୫୦ ଏକର ଜମି ଦେବାର ପ୍ରସ୍ତାବକୁ କ୍ୟାବିନେଟ୍‌ ସ୍ବୀକୃତି ଦେଇଛି। ଏହି କେନ୍ଦ୍ର ଭୁବନେଶ୍ବରର ସିଟିଟିସି ଟେକ୍ନୋଲୋଜି ସେଣ୍ଟର୍‌ର ଏକ ଅଗ୍ରୀମ କେନ୍ଦ୍ର ହେବା ସହ ସମସ୍ତ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ନିର୍ମାଣ ହେବ।

କ୍ୟାବିନେଟ୍‌ ବୈଠକରେ ୭ଟି ମେଗା ପାନୀୟ ଜଳ ପ୍ରକଳ୍ପର ଟେଣ୍ଡର୍‌କୁ ଅନୁମୋଦନ ମିଳିଛି। ୨୪ ମାସ ମଧ୍ୟରେ ଠିକାସଂସ୍ଥାଗୁଡ଼ିକ ସବୁତକ ପ୍ରକଳ୍ପ ଶେଷ କରିବାକୁ କ୍ୟାବିନେଟ୍ ସମୟସୀମା ଧାର୍ଯ୍ୟ କରିଛି। ‘ଜାତୀୟ ଜଳଶକ୍ତି ମିସନ୍’ ଯୋଜନାରେ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ୩୬୯ କୋଟି ୧୧ ଲକ୍ଷ ଟଙ୍କା ମୂଲ୍ୟରେ ଦୁଇଟି ବୃହତ୍‌ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି କାର୍ଯ୍ୟ ସମ୍ପାଦନ ପାଇଁ ଅହମଦାବାଦର କ୍ରିଷ୍ଣା କର୍ପୋରେସନ୍ ଓ ୟୁଏମ୍‌ଏସ୍‌ଏଲ୍ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପ୍ରକଳ୍ପରେ ସମ୍ବଲପୁରର ୩ଟି ବ୍ଲକ୍‌ କୁଚିଣ୍ଡା, ଯମନକିରା ଓ ରେଙ୍ଗାଲୀ ଏବଂ ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ୍‌ ଅଧୀନରେ ଥିବା ୫୦ଟି ପଞ୍ଚାୟତର ୧,୬୮,୪୧୮ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ସମ୍ବଲପୁର ଜିଲ୍ଲାର ଆଉ ଗୋଟିଏ ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପର ଟେଣ୍ଡର୍‌କୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ଅଧୀନରେ ସମ୍ବଲପୁରର ଦୁଇଟି ବ୍ଲକ୍‌ ବାମରା ଓ କୁଚିଣ୍ଡା ଅଧୀନରେ ଥିବା ୩୭ଟି ପଞ୍ଚାୟତର ଲୋକ ଉପକୃତ ହେବେ। ଲେସର୍‌ ପାୱାର୍‌ ଆଣ୍ଡ୍‌ ଇନ୍‌ଫ୍ରା ଓ ଜିସିକେସି ସଂସ୍ଥା ଯୁଗ୍ମ ଭାବେ ଏହି କାର୍ଯ୍ୟ ସମ୍ପାଦନ କରିବେ। ‘ଓମ୍ବାଡ୍‌ସି’ ଯୋଜନାରେ ମୟୂରଭଞ୍ଜ ଜିଲ୍ଲାରେ ୪ଟି ପ୍ରକଳ୍ପର ଟେଣ୍ଡର୍‌କୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ପ୍ରକଳ୍ପ ଅଧୀନରେ ଉଦଳା ବ୍ଲକ୍‌ର ୧୨, ଖୁଣ୍ଟା ବ୍ଲକ୍‌ର ୧୪, ବଡ଼ସାହି ବ୍ଲକ୍‌ର ୩୦, ଜିବି ନଗର ବ୍ଲକ୍‌ର ୬, ରରୁଆ ବ୍ଲକ୍‌ର ୯ ଓ ସୁକୃଳି ବ୍ଲକ୍‌ର ୧୦ଟି ଗ୍ରାମପଞ୍ଚାୟତର ଲୋକ ବିଶୁଦ୍ଧ ପାନୀୟ ଜଳ‌ ପାଇବେ। ହାଇଦ୍ରାବାଦର ମେଘା ଇଞ୍ଜିନିୟରିଂ ଆଣ୍ଡ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ଦୁଇଟି ପ୍ରକଳ୍ପ ଏବଂ ରାଜସ୍ଥାନର ଜୁବେରି ଇଞ୍ଜିନିୟରିଂ କନ୍‌ଷ୍ଟ୍ରକ୍ସନ୍ ଆଉ ଦୁଇଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବେ।

ସମ୍ବନ୍ଧିତ ଖବର