କୋରେଇ : କୋରେଇ ବ୍ଲକରେ ବୁଧବାର ଭିଜିଲାନ୍ସ ବିଭାଗର ୩ ଜଣିଆ ଟିମ୍ ବିଭିନ୍ନ ଦୁର୍ନୀତି ଅଭିଯୋଗ ଉପରେ ତନାଘନା କରିଛନ୍ତି। ବ୍ଲକର ପଛିକୋଟ ପଞ୍ଚାୟତରେ ଏକ ମିସନ ଶକ୍ତି ଗୃହ ନିର୍ମାଣରେ ଦୁର୍ନୀତି ହୋଇଥିଲା। ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ପରେ ଜିଲ୍ଲା ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି। ଭିଜିଲାନ୍ସ ଟିମ୍ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବରିଷ୍ଠ କିରାଣି ସୁନୀଲ କୁମାର ରାଉତଙ୍କ ସହିତ ଆଲୋଚନା କରିଥିଲେ। ପରେ ଏହି ଟିମ୍ ଫାଇଲ୍ ଯାଞ୍ଚ କରିବା ସହିତ ପଛିକୋଟ ପଞ୍ଚାୟତ ଯାଇ ତଦନ୍ତ କରିଛି।
ପଛିକୋଟ ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରେ ଆମ ଗାଁ ଆମ ବିକାଶ ଯୋଜନାରେ ଏକ ଗୃହ ନିର୍ମାଣ କରାଯାଇଥିଲା। ଏହି ଗୃହର ତଳଭାଗରେ ଟାଇଲ୍ ପଡ଼ିବା ସହିତ କାନ୍ଥ କରା ନଯାଇ ଛାତ ପକାଇ ମଣ୍ତପ କରାଯାଇଥିଲା। ବହୁଦିନ ଏହି ଘର ଏଭଳି ଅବସ୍ଥାରେ ରହିବା ପରେ ଏବେ ଏହାକୁ ମିସନ ଶକ୍ତି ଘର କରାଯାଇଥିବା ଦର୍ଶାଇ ନୂତନ ଭାବେ ସୂଚନା ଫଳକ ଲଗାଇ ଅର୍ଥ ମଞ୍ଜୁର କରାଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ପଞ୍ଚାୟତବାସୀ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ।
ବ୍ଲକ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଲୋକେ ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ଡିଏସପି ସୁଶୀଲ ଏକ୍କାଙ୍କ ନେତୃତ୍ବରେ ତିନିଜଣିଆ ଟିମ୍ ବ୍ଲକ କାର୍ଯ୍ୟାଳୟ ପହଞ୍ଚି ବରିଷ୍ଠ କିରାଣି, କନିଷ୍ଠ କିରାଣି ଉତ୍ତମ କୁମାର ରଣାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରି ସମ୍ପୃକ୍ତ ଗୃହର ଫାଇଲ୍ ଯାଞ୍ଚ କରିଥିଲେ। ପରେ ଏହି ଟିମ୍ ପଛିକୋଟ ପଞ୍ଚାୟତରେ ସେହି ଗୃହର ତଦାରଖ କରିଥିଲେ। ସେଠାରେ ପ୍ରାୟ ଦୁଇଘଣ୍ଟାରୁ ଅଧିକ ସମୟ ରହି ତଦନ୍ତ କରିଥିବା ସୂଚନା ମିଳୁଛି।