ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମିସନ୍‌ ଶକ୍ତି ମା’

ଭୁବନେଶ୍ବର : ଆଜି ଠାରୁ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଘର ଏବଂ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ମିସନ୍‌ ଶକ୍ତି ଗୋଷ୍ଠୀର ମା’ମାନଙ୍କୁ ୩୦ଲକ୍ଷ ଜାତୀୟ ପତାକା ସିଲାଇ କରିବାର ଗୁରୁଦାୟିତ୍ବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମିସନ୍‌ ଶକ୍ତି ମା’ମାନଙ୍କ ଉପରେ ବିଶ୍ବାସ ରଖି ଏହି ଗୁରୁଦାୟିତ୍ବ ଦେଇଥିବାରୁ ଆଜି ମିସନ୍‌ ଶକ୍ତି ମା’ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟର ୨୨ଟି ଜିଲ୍ଲାର ୫୦୦ ସ୍ବୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀର ୧୦ହଜାରରୁ ଅଧିକ ସଦସ୍ୟା ଏହି ପତାକା ସିଲାଇ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଦୈନିକ ହାରାହାରି ୩.୫ରୁ ୪ଲକ୍ଷ ପର୍ଯ୍ୟନ୍ତ ଜାତୀୟ ପତାକା ସିଲାଇ କରି ଖୁବ୍‌ କମ୍‌ ଦିନରେ ୩୦ଲକ୍ଷର ଟାର୍ଗେଟ୍ ହାସଲ କରାଯାଇଥିଲା। ଅଗଷ୍ଟ ୧୦ତାରିଖ ସୁଦ୍ଧା ଏହି ସଦସ୍ୟାମାନଙ୍କ ଦ୍ବାରା ତିଆରି ହୋଇଥିବା ପତାକାଗୁଡ଼ିକ ପ୍ରତ୍ୟେକ ଜିଲ୍ଲାରୁ ସଂଗୃହୀତ ହୋଇ ବଣ୍ଟନ ଆରମ୍ଭ କରାଯାଇଥିଲା। ପତାକା ତିଆରିର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିବାବେଳେ ଏହାକୁ ଜିଲ୍ଲା ପ୍ରଶାସନ ଦ୍ବାରା ଜନସାଧାରଣଙ୍କୁ ବିନା ଦେୟରେ ବଣ୍ଟନ କରାଯାଇଛି।

ସମ୍ବନ୍ଧିତ ଖବର