ଆରମ୍ଭ ହେଲା ମିସନ ଶକ୍ତି ମେଳା, ଏସ୍‌ଏଚ୍‌ଜି ଉତ୍ପାଦ ଉପରେ ଲାଗିବ ମିସନ ଶକ୍ତି ବ୍ରାଣ୍ଡ୍‌

ଭୁବନେଶ୍ବର : ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ସଶକ୍ତ କରିବା ସହ ସେମାନଙ୍କ ଉତ୍ପାଦର ବିକ୍ରି ପାଇଁ ବଜାର ଯୋଗାଇ ଦେବା ଉଦ୍ଦେଶ୍ୟରେ ଆଜିଠୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ‘ମିସନ୍‌ ଶକ୍ତି ମେଳା’। ୨୧୩ଟି ଷ୍ଟଲ୍‌ରେ ବିଭିନ୍ନ କିସମର ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ, ହସ୍ତଶିଳ୍ପ, ମସଲା, ଅଣକୃଷି ଦ୍ରବ୍ୟ ଉପଲବ୍ଧ ହେଉଛି। ମିସନ୍‌ ଶକ୍ତି ନିର୍ଦେଶାଳୟ, ମହିଳା ଓ ଶିଶୁ ବିକାଶ, ମିସନ୍‌ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାକୁ ଆଜି ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଉଦ୍‌ଘାଟନ କରି ପ୍ରତିବର୍ଷ ଏହି ମେଳା ହେବ ବୋଲି ଘୋଷଣା କରିଛନ୍ତି।

ମିସନ୍‌ ଶକ୍ତି ନିର୍ଦେଶାଳୟର କମିସନର ତଥା ନିର୍ଦେଶକ ସୁଜାତା ଆର୍‌ କାର୍ତିକୟେନ କହିଛନ୍ତି, ଏସ୍‌ଏଚ୍‌ଜିର ଉତ୍ପାଦଗୁଡ଼ିକର ଚାହିଦା ବୃଦ୍ଧି ପାଇଁ ସେମାନଙ୍କର ଉତ୍ପାଦରେ ‘ମିସନ ଶକ୍ତି’ ବ୍ରାଣ୍ଡ୍‌ ଛାପ ଦିଆଯିବ। ଫଳରେ ଉତ୍ପାଦଗୁଡ଼ିକ ଆହୁରି ଆଦୃତ ହୋଇପାରିବ। ଏଥିସହ ଏହି ମେଳାରେ ସାମିଲ୍ ହୋଇଥିବା କିଛି ମହିଳା ବ୍ୟବସାୟୀ ଫାବ୍‌ ଇଣ୍ଡିଆ, ଆମାଜନ ଓ ଫ୍ଲିପ୍‌କାର୍ଟରେ ନିଜର ଉତ୍ପାଦଗୁଡ଼ିକୁ ବିକ୍ରି କରି ସଫଳ ହୋଇପାରିଥିବାରୁ ସେମାନଙ୍କଠାରୁ ପ୍ରେରଣା ନେବାକୁ ସେ ଅନ୍ୟ ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଦସ୍ୟାମାନଙ୍କୁ କହିଥିଲେ।

ଏହି ଅବସରରେ ‘ମିସନ ଶକ୍ତି ମେଳା’ ନାମରେ ଏକ ମୋବାଇଲ୍‌ ଆପ୍‌ ଉନ୍ମୋଚନ କରାଯାଇଥିଲା। ଫଳରେ ଯେଉଁମାନେ ଏହି ମେଳା ସମ୍ପର୍କରେ ଓ ବିକ୍ରିଲବ୍ଧ ଉତ୍ପାଦ ସମ୍ପର୍କରେ ଜାଣିବାକୁ ଚାହିବେ ଏବଂ ସେଠାକୁ ଯାଇ କିଛି କିଣିବାକୁ ଚାହିବେ, ସେଇ ଆପ୍‌ ସେମାନଙ୍କୁ ସହଯୋଗ କରିପାରିବ। ମେଳାରେ ସମଗ୍ର ରାଜ୍ୟରୁ ୩୦ଟି ଜିଲ୍ଲାରୁ ୨୬୨ଟି ଏସ୍‌ଏଚ୍‌ଜି ଗ୍ରୁପ୍‌ରୁ ପାଖାପାଖି ୫ ଶହ ମହିଳା ଅଂଶଗ୍ରହଣ କରିଛନ୍ତି। ୨ ଶହ ଉତ୍ପାଦ ପ୍ରଦର୍ଶିତ ଓ ବିକ୍ରି ହେଉଛି। ମହିଳା ସଦସ୍ୟାମାନେ କିଭଳି ବ୍ୟବସାୟ କ୍ଷେତ୍ରରେ ନିଜକୁ ସୁଦୃଢ଼ କରିପାରିବେ, ସେଥିପାଇଁ ନିଫ୍‌ଟ, ଓର୍‌ମାସ, ଆର୍‌ଏସ୍‌ଇଟିଆଇ ଭଳି ଅନୁଷ୍ଠାନ ସହ ଜ୍ଞାନର ଆଦାନ ପ୍ରଦାନ ବ୍ୟବସ୍ଥା ରହିଛି। ପରିସର ମଧ୍ୟରେ ଏକ ସେଲ୍‌ଫି-କର୍ଣ୍ଣର୍‌ ଖୋଲା ଯାଇଛି।

ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମିସନ୍ ଶକ୍ତିର ଉପଦେଷ୍ଟା ‌ଡ. ଲୋପାମୁଦ୍ରା ବକ୍ସିପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମହଳା ଓ ଶିଶୁ ବିକାଶ ଓ ମିସନ୍‌ ଶକ୍ତିର ପ୍ରମୁଖ ସଚିବ ଅନୁ ଗର୍ଗ, ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଓ ଓର୍‌ମାସର ସିଇଓ ରାଜେଶ ପ୍ରଭାକର ପାଟିଲ୍‌ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପୂର୍ବାହ୍ନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକେ ମେଳା ବୁଲି ଦେଖିପାରିବେ।

ସମ୍ବନ୍ଧିତ ଖବର