ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମିସନ ଶକ୍ତି ସ୍କୁଟର’ ଯୋଜନାର ଆରମ୍ଭ କରିଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ କହିଲେ ଯେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଆଜି ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ। ମା’ମାନଙ୍କ ସଶକ୍ତୀକରଣ କ୍ଷେତ୍ରରେ ଆଜି ଆମେ ଆଉ ଏକ ପାଦ ଆଗକୁ ଆସିଲୁ। ମିସନ ଶକ୍ତି ମା’ମାନଙ୍କୁ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛୁ। ସେମାନଙ୍କର ଏହି ଋଣ ବାବଦକୁ ୫୨୮ କୋଟି ଟଙ୍କାର ସୁଧ ରାଜ୍ୟ ସରକାର ଦେବେ। ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀର ମା’ମାନେ ସ୍କୁଟର ପାଇବେ। ଆଜି ଏହି ଯୋଜନାର ଶୁଭାରମ୍ଭରେ ୧୫ ହଜାର ମା’ଙ୍କୁ ସ୍କୁଟର ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଗତି ହିଁ ଶକ୍ତି। ଗତି ହିଁ ସଶକ୍ତୀକରଣ। ଆମର ସ୍କୁଟର ଯୋଜନା ମା’ମାନଙ୍କ ଯାତାୟତକୁ ସୁବିଧା କରିବ। ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ଆଣିବ। ମା’ମାନେ ବହୁତ ଭଲ କାମ କରୁଛନ୍ତି। ମୋର ପୂରା ବିଶ୍ୱାସ ମା’ମାନେ ଏବେ ଆହୁରି ଭଲ କାମ କରିବେ। ୭୦ ଲକ୍ଷ ମା’ମାନଙ୍କ ନିଜର ଅନୁଷ୍ଠାନ ମିସନ ଶକ୍ତି ଆହୁରି ମଜବୁତ ହେବ। ମା’ମାନଙ୍କ ଗତିଶୀଳତା ଓଡ଼ିଶାର ପ୍ରଗତିକୁ ନୂଆ ବେଗ ଦେବ। ମିସନ ଶକ୍ତି ମା’ମାନଙ୍କୁ ସରକାରୀ କାମ ଦେବାରେ ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ। ମା’ମାନଙ୍କ ଉପରେ ମୋର ପୂରା ବିଶ୍ୱାସ ଅଛି। ମା’ମାନେ ହିଁ ଆଣିଛନ୍ତି ଓଡିଶା ପାଇଁ ନୂଆ ଗତି, ଶକ୍ତି ଓ ପ୍ରଗତି।

Advertisment

ଋଣରେ ଦିଆଯିବ, ସୁଧ ଖର୍ଚ୍ଚ ସରକାର ବହନ କରିବେ
ପ୍ରଥମ ପର୍ଯ୍ୟାୟରେ ସ୍କୁଟର ପାଇଲେ ୧୫ ହଜାର ମା’
ମା’ମାନେ ଆଣିଛନ୍ତି ଓଡ଼ିଶା ପାଇଁ ନୂଆ ଗତି, ଶକ୍ତି ଓ ପ୍ରଗତି: ମୁଖ୍ୟମନ୍ତ୍ରୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବ୍ଲକ ଓ ଜିଲ୍ଲା ସ୍ତରୀୟ ମିସନ ଶକ୍ତି ଫେଡେରେସନ୍‌କୁ ସରକାରୀ କାର୍ଯ୍ୟ ପାଇଁ ଯାନସୁବିଧା ଯୋଗାଇଦେବା ବାବଦରେ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ଉଦ୍ୟୋଗୀଭାବେ ପରିଣତ କରିବା ଆମର ଲକ୍ଷ୍ୟ। ଏଥିପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫୦ କୋଟି ଟଙ୍କାର ସୁଧ ସହାୟତା ସିଧା ସଳଖ ଦିଆଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାର ମା’ ମଙ୍ଗଳା ଏସ୍.ଏଚ୍.ଜି ଓ କଟକ ଜିଲ୍ଲାର ଜୟ ଶ୍ରୀରାମ ଏସ୍.ଏଚ୍.ଜିକୁ ସୁଧ ବାବଦ ଚେକ୍‌ ହସ୍ତାନ୍ତର କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତଥି ଭାବେ ମିସନ ଶକ୍ତି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ ଏହି ଯୋଜନା ମାଧ୍ୟମରେ ୨ ଲକ୍ଷ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌, ବିଜ୍‌‌ନେସ୍‌ କରେସ୍ପଣ୍ଡେଣ୍ଟ୍‌ ଏଜେଣ୍ଟ ଓ ଏକ୍‌ଜିକ୍ୟୁଟିଭ୍‌ କମିଟି ସଦସ୍ୟା ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ।

ବିଭାଗୀୟ ଶାସନ ସଚିବ ସୁଜାତା ଆର୍ କାର୍ତ୍ତିକେୟନ୍ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପର ଉଦ୍‌ଘାଟନ ହେଲା। ଏହି ସ୍କୁଟର ହେଉଛି ମିସନ ଶକ୍ତି ମା’ମାନଙ୍କ ପରିଚୟ ଓ ଦକ୍ଷତାର ପ୍ରତୀକ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ପି. କେ. ଜେନା , ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ, ମିସନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ଓ ଗୀତାଞ୍ଜଳି ବସ୍ତିଆ ଉପସ୍ଥିତ ଥିଲେ। ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସଂଘର ସଦସ୍ୟାମାନେ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଭାଗୀୟ ନିର୍ଦ୍ଦେଶକ ଏନ୍. ତିରୁମାଲା ନାୟକ ଧନ୍ୟବାଦ ଦେଇଥିଲେ।