ମିସନ ଶକ୍ତି- ୟୁଏନ୍‌ଏଫ୍‌ପିଏ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ: ୬୦ ଲକ୍ଷ ମହିଳାଙ୍କୁ ଡିଜିଟାଲ ଶିକ୍ଷା

ଭୁବନେଶ୍ବର : ମିସନ୍‌ ଶକ୍ତି ଓ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ଭାରତ (ୟୁଏନ୍‌ଏଫ୍‌ପିଏ) ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏଥି ଅନ୍ତର୍ଗତରେ ଏସଏଚ୍‌ଜିର ୬ ଲକ୍ଷ ମହିଳାଙ୍କୁ ବିଭିନ୍ନ ଡିଜିଟାଲ ଏବଂ ଆର୍ଥିକ କୌଶଳ ଯଥା ଅନ୍‌ଲାଇନ ଜନସେବା, ବ୍ୟାଙ୍କିଙ୍ଗ୍‌ ସେବା ଏବଂ ସୋସିଆଲ ମିଡିଆ ଆଦିର ବ୍ୟବହାରରେ ଦକ୍ଷ କରିବ। ଏଥି ଅନ୍ତର୍ଗତରେ ୨ଲକ୍ଷ ୫୦ହଜାରରୁ ଅଧିକ ମହିଳାଙ୍କୁ ପ୍ରଜନନ ତଥା ସେମାନଙ୍କ ସମାଜିକ ଅଧିକାର ବିଷୟରେ ସୂଚିତ କରିବା ସହ ସେମାନଙ୍କୁ ସାମ୍ପ୍ରଦାୟିକ ହିଂସା, ଭେଦଭାବ ଏବଂ ବାଲ୍ୟବିବାହ, ଯୌତୁକ ପରି ସାମାଜିକ କୁ-ପ୍ରଥାର ମୁକାବିଲା କରିବା ଦିଗରେ ସହାୟତା ଦେବ। ମିସନ୍‌ ଶକ୍ତି ପ୍ଲାଟଫର୍ମକୁ ବ୍ୟବହାର କରି ଏହି ପ୍ରକଳ୍ପ ସମାଜର ବିଶେଷଭାବେ ବଞ୍ଚିତ ତଥା ସାମାଜିକ ଓ ଅର୍ଥନୈତିକ ଭାବେ ଦୁର୍ବଳସ୍ତରର ମହିଳାଙ୍କ ସଶକ୍ତୀକରଣ ଦିଗରେ ବିଶେଷ ସହାୟକ ହେବ। ଏହି ଯୋଜନା ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେବା ଦ୍ୱାରା ଆଦିବାସୀ ତଥା ଅନୁସୂଚିତ ଜାତି ତଥା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗରିବ ପରିବାରର ମହିଳାମାନେ ଲାଭବାନ ହେବେ।

ମିସନ୍‌ ଶକ୍ତି ପକ୍ଷରୁ ଜାରି ସୂଚନା ଅନୁସାରେ, ତିନିବର୍ଷିଆ ଏହି ପ୍ରକଳ୍ପ ମାଧ୍ୟମରେ ମହିଳାମାନଙ୍କର ପ୍ରଗତିକୁ ତ୍ୱରାନ୍ୱିତ କରିବା ତଥା ଲିଙ୍ଗଗତ, ଆର୍ଥିକ ଓ ସାମାଜିକ ଅସମାନତାକୁ ଦୂର କରିବା ଦିଗରେ ଏହି ପଦକ୍ଷେପ ନିଆଯାଇଛି। ଏଥି ଅନ୍ତର୍ଗତରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶ ସହିତ ଡିଜିଟାଲ ଏବଂ ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହିତ କରାଯିବ। ମହିଳାମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ନୂତନ ମାର୍ଗ ଖୋଜିବାରେ ସହାୟତା ହେବା ସହ ଅନ୍‌ଲାଇନରେ ଉପଲବ୍ଧ ବିଭିନ୍ନ ସେବା ଏବଂ କଲ୍ୟାଣକାରୀ ଯୋଜନା ବିଷୟରେ ଅଧିକ ତଥ୍ୟ ଓ ସୂଚନା ଦେବ। ଏହି ଚୁକ୍ତି ସ୍ୱାକ୍ଷର ଅବସରରେ ମିସନ୍‌ ଶକ୍ତି ବିଭାଗର କମିସନର ତଥା ଶାସନ ସଚିବ ସୁଜାତା ଆର୍‌. କାର୍ତ୍ତିକେୟନ କହିଛନ୍ତି, “ଆମର ଅଭିଜ୍ଞତାରୁ ଜଣାଯାଏ ଯେ ମହିଳାମାନଙ୍କର ସାମାଜିକ ଏବଂ ଆର୍ଥିକ ସଶକ୍ତୀକରଣରେ ବିନିଯୋଗ ସାମୂହିକ ସାମାଜିକ ପ୍ରଗତି ସ୍ଥାନୀୟ ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶକୁ ବିପୁଳ ଲାଭ ମିଳିଥାଏ। ମିସନ୍‌ ଶକ୍ତି ଏବଂ ୟୁଏନ୍‌ଏଫ୍‌ପିଏ ମଧ୍ୟରେ ଏହି ସମୟାନୁବର୍ତ୍ତୀ ଓ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ‘ସଶକ୍ତ ମହିଳା, ସଶକ୍ତ ଓଡ଼ିଶା’ ଲକ୍ଷ୍ୟ ଅଭିମୁଖୀ ଯାତ୍ରା ନିମନ୍ତେ ବିଶେଷ ସହାୟକ ହେବ।

ସମ୍ବନ୍ଧିତ ଖବର