ଯୁକ୍ତ୨ ମାର୍କସିଟରେ ଗୁରୁତର ତ୍ରୁଟି : ୬୦୦ରୁ ମିଳିଛି ୯୬୭

କାଶୀନଗର : ଯୁକ୍ତ୨ ପରୀକ୍ଷା ଫଳ ମାର୍କସିଟରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି। ଧନ୍ଦାମୂଳକ ଶିକ୍ଷାରେ ୬୦୦ ମାର୍କର ପରୀକ୍ଷା ହେଉଛି। କିନ୍ତୁ ଜଣେ ଛାତ୍ର ପାଇଛନ୍ତି ୯୬୭ ମାର୍କ। ଯାହାକି ଆବଶ୍ୟକତା ଠାରୁ ଢେର ଅଧିକ। କେବଳ ସେତିକି ନୁହେଁ ୬ଟି ଥିଓରି ଓ ୩ଟି ପ୍ରାକ୍ଟିକାଲ୍‌ ପରୀକ୍ଷାରେ ସେ ଅନୁପସ୍ଥିତ ରହି ମଧ୍ୟ ଏତେ ସଂଖ୍ୟକ ମାର୍କ ପାଇ ପାରିଛନ୍ତି। ତାଙ୍କ ପରୀକ୍ଷାଫଳରେ କିନ୍ତୁ ଫେଲ୍‌ ଦର୍ଶାଯାଇଛି। ଆଉ ଜଣେ ଛାତ୍ର ବିଭିନ୍ନ ବିଷୟରେ ୩୦ରୁ କମ୍‌ ମାର୍କ ଆଣିଥିଲେ ମଧ୍ୟ ଫେଲ୍‌ ବଦଳରେ ଦ୍ୱିତୀୟ ଶ୍ରେଣୀରେ ପାସ୍‌ କରିଥିବା ମାର୍କ ସିଟ୍‌ରେ ଦେଖିବାକୁ ମିଳିଛି।

ପରୀକ୍ଷା ଫଳ ଅନୁଯାୟୀ କାଶୀନଗରସ୍ଥିତ ସରକାରୀ ଧନ୍ଦାମୂଳକ ଜୁନିୟର କଲେଜର ଛାତ୍ର ବିକେ କୁମାର(ରୋଲ୍‌ ନଂ- ୯୦୪ ଇବି ୦୧୬) ସମୁଦାୟ ୬୦୦ ମାର୍କ ମଧ୍ୟରୁ ୯୬୭ ନମ୍ବର ପାଇଛନ୍ତି। ୬ଟି ଥିଓରି ପରୀକ୍ଷା ଓ ୩ଟି ପ୍ରାକ୍ଟିକାଲ୍‌ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି। ଥିଓରୀରେ କେବଳ ଇଂରାଜୀ ବିଷୟରେ ସେ ପରୀକ୍ଷା ଦେଇ ଏହି ବିଷୟରେ ମାତ୍ର ୩ ମାର୍କ ରଖିଛନ୍ତି।

ଡାଏରି (ପଶୁ ପାଳନ) ପ୍ରାକ୍ଟିକାଲ୍‌ର ପ୍ରଥମ ଓ ଦ୍ୱିତୀୟ ପେପର୍‌ରେ ଯଥାକ୍ରମେ ୪୦ ଓ ୩୬ ନମ୍ବର ପାଇଛନ୍ତି। ଅର୍ଥାତ୍‌ ସେ ମାତ୍ର ୭୯ ନମ୍ବର ରଖିଛନ୍ତି। ହେଲେ ମାର୍କସିଟ୍‌ରେ ୯୬୭ ନମ୍ବର ଦର୍ଶାଯାଇଛି।

ଏହି କଲେଜର ଛାତ୍ର ବିନୋଦ କୁମାର ପଟ୍ଟନାୟକ(ରୋଲ୍‌ ନଂ-୯୦୪ ଇବି ୦୨୩) ଇଂରାଜୀ ଓ ଓଡିଆରେ ଯଥାକ୍ରମେ ୨୦ ଓ ୨୩ ନମ୍ବର ରଖିଥିବା ବେଳେ ତାଙ୍କ ସମୁଦାୟ ମାର୍କ ରହିଛି ୩୩୦ ନମ୍ବର। ତାଙ୍କୁ ଫେଲ୍‌ ବଦଳରେ ଦ୍ୱିତୀୟ ଶ୍ରେଣୀରେ ପାସ୍‌ କରି ଦିଆଯାଇଛି। ପରିଷଦ କର୍ତ୍ତୃପକ୍ଷଙ୍କ ଏଭଳି ତ୍ରୁଟି ପରୀକ୍ଷା ଫଳ ଛାତ୍ରଛାତ୍ରୀଙ୍କ ଜୀବନ ସହ ଏକ ଖେଳ ନୁହେଁ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଏଭଳି ତରବରିଆ ଓ ଖାମଖିଆଲି ଭାବକୁ ସାଧାରଣରେ ନିନ୍ଦା କରାଯାଇଛି।

ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି ଯେ ଯେଉଁ ପିଲାମାନଙ୍କ ଏଭଳି ହୋଇଛି ସେମାନେ ଫେଲ୍‌ ହୋଇଛନ୍ତି। କମ୍ପ୍ୟୁଟରରେ ମିଶାଣରେ ତ୍ରୁଟି ପାଇଁ ଏଭଳି ହୋଇଛି। ପରୀକ୍ଷା ଫଳ ପ୍ରକାଶ ପାଇବା ପୂର୍ବରୁ ତ୍ରୁଟିରେ ସଂଶୋଧନ କରାଯାଇଛି। ସମ୍ପୃକ୍ତ କଲେଜକୁ ଛାତ୍ରଛାତ୍ରୀଙ୍କ ସଠିକ୍‌ ମାର୍କସିଟ୍‌ ପଠାଇ ଦିଆଯିବ।

ସମ୍ବନ୍ଧିତ ଖବର