କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍)ର ବିଜ୍ଞାନ ପ୍ରଶ୍ନପତ୍ରରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି। ବିଜ୍ଞାନ ପ୍ରଶ୍ନପତ୍ର ‘ସେଟ୍-ସି’ର ଦୀର୍ଘ ଉତ୍ତରମୂଳକ (ସବ୍ଜେକ୍ଟିଭ୍) ବିଭାଗର ଏକ ୪ ମାର୍କ ବିଶିଷ୍ଟ ପ୍ରଶ୍ନ ପ୍ରଶ୍ନପତ୍ରରେ ଛପାଯାଇ ନଥିବା ଜଣାପଡ଼ିଛି। ଅର୍ଥାତ୍ ବିଜ୍ଞାନର ‘ସେଟ୍-ସି’ର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନପତ୍ରଟି ୫୦ ନମ୍ବର ବଦଳରେ ୪୬ ନମ୍ବରର ରହିଥିଲା। ଏହାକୁ ନେଇ ବହୁ ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ପଡ଼ିବା ସହ ପରୀକ୍ଷା ହଲ୍ରେ କାର୍ଯ୍ୟରତ ଇନ୍ଭିଜିଲେଟରଙ୍କ ଜରିଆରେ କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟଙ୍କୁ ଜଣାଇଥିଲେ। ପରେ ଏହି ପ୍ରସଙ୍ଗ ବୋର୍ଡ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବୋର୍ଡ କର୍ତ୍ତୃପକ୍ଷ ଏଭଳି ବିଭ୍ରାଟକୁ ସ୍ବୀକାର କରିବା ସହିତ ପରୀକ୍ଷାର୍ଥୀଙ୍କ ସ୍ବାର୍ଥ ଦୃଷ୍ଟିରୁ ପରୀକ୍ଷା ପରିଚାଳନା କମିଟି ମାଧ୍ୟମରେ ଏହାର ସମାଧାନ କରିବାକୁ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ବିଜ୍ଞାନରେ କପି କରି ୧୧ଜଣ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍ ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଆଜି ବିଜ୍ଞାନ ପରୀକ୍ଷା ଚାଲିଥିବା ବେଳେ କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ କଷିକିଆରି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ କପି ଯୋଗାଉଥିବା ୭ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ପରୀକ୍ଷା କମିଟି ସୁପାରିସରେ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ମିଳିବ: ବୋର୍ଡ
କପି କରି ଧରାହେଲେ ୧୧
କପି ଯୋଗାଉଥିବା ଅଭିଯୋଗରେ ୭ ଗିରଫ
ଶନିବାର ମାଟ୍ରିକ୍ ପରୀକ୍ଷାର ଚତୁର୍ଥ ଦିବସରେ ଆଜି ସାଧାରଣ ବିଜ୍ଞାନ ପରୀକ୍ଷା ଥିଲା। ପରୀକ୍ଷା ଠିକ୍ ସମୟରେ ଆରମ୍ଭ ହୋଇ ଠିକ୍ ସମୟରେ ଶେଷ ହୋଇଥିଲା। କାଁ ଭାଁ ଘଟଣାକୁ ଛାଡ଼ିଦେଲେ ସାରା ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ସ୍ବଚ୍ଛ ଓ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଛି। ମାଟ୍ରିକ୍ର ସାଧାରଣ ବିଜ୍ଞାନରେ ଦୀର୍ଘ ଉତ୍ତରମୂଳକ ବିଭାଗରେ ମୋଟ ୫୦ ନମ୍ବର ରହିଥିବା ବେଳେ ଏଥିରେ ୨୫ ନମ୍ବର ଫିଜିକାଲ ସାଇନ୍ସ ଓ ୨୫ ନମ୍ବର ଲାଇଫ୍ ସାଇନ୍ସ ରହିବା କଥା। କିନ୍ତୁ ଫିଜିକାଲ୍ ସାଇନ୍ସର ପ୍ରଶ୍ନ ନଂ-୩ର ‘କ’ ବିଟ୍ରେ ୪ ମାର୍କ ବିଶିଷ୍ଟ ପ୍ରଶ୍ନ ପଡ଼ିଥିଲା ଓ ଏଥିରେ ବିକଳ୍ପ ପ୍ରଶ୍ନ (କିମ୍ବା) ବି ରହିଥିଲା। କିନ୍ତୁ ସେହି ପ୍ରଶ୍ନ ନଂ-୩ର ‘ଖ’ବିଟ୍ର କୌଣସି ପ୍ରଶ୍ନ ନ ଥିଲା। ଅର୍ଥାତ୍ ପ୍ରଶ୍ନପତ୍ରରେ ୪ ମାର୍କ ବିଶିଷ୍ଟ ଗୋଟିଏ ପ୍ରଶ୍ନ ନଥିଲା।
ଫଳରେ ବିଜ୍ଞାନ ପରୀକ୍ଷାରେ ସେଟ୍-ସି’ ପାଇଥିବା ପରୀକ୍ଷାର୍ଥୀମାନେ ଦ୍ବନ୍ଦ୍ବରେ ପଡ଼ି ଅଭିଯୋଗ କରିଥିଲେ। ଏ ସଂପର୍କରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ, ସାଧାରଣ ବିଜ୍ଞାନର କିଛି ‘ସେଟ୍-ସି’ରେ ୪ ନମ୍ବର ବିଶିଷ୍ଟ ଗୋଟିଏ ପ୍ରଶ୍ନ ଛପାଯାଇ ନାହିଁ। ଏ ପ୍ରସଙ୍ଗ ପରୀକ୍ଷା ପରିଚାଳନା କମିଟି ଯାଞ୍ଚ କରିବ ଓ କମିଟିର ସୁପାରିସ ଅନୁସାରେ ପରୀକ୍ଷାର୍ଥୀଙ୍କୁ ନମ୍ବର ମିଳିବ। କୌଣସି ପରୀକ୍ଷାର୍ଥୀ ଯେପରି ଅସୁବିଧାରେ ନପଡ଼ନ୍ତି ତାହାକୁ ଦୃଷ୍ଟିରେ ରଖି ବୋର୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ସଭାପତି ଶ୍ରୀ ତରାଇ ସୂଚନା ଦେଇଛନ୍ତି।