ଛେଳିପାଇଁ ପତ୍ର ଆଣିବା ବେଳେ ଅଘଟଣ: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ, ଗଛରେ ଲାଖି ରହିଛି ମୃତଦେହ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଜଗନ୍ନାଥପୁର ଗ୍ରାମ ନିକଟସ୍ଥ ବେଦାନ୍ତ ମେଡିକାଲ୍‌ ସମ୍ମୁଖରେ ଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳଭଦ୍ରପୁର ଗାଁର ଚକ୍ର ଚଣ୍ଡୀ (୫୦ ବର୍ଷ)ଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଲାଞ୍ଜିଗଡ଼ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରି ଘଟଣାର ତଦନ୍ତ ଜାରି ରଖିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଗଛରୁ ମୃତଦେହ ଉଦ୍ଧାର ହୋଇନି। ଅପରପକ୍ଷେ ବିଦ୍ୟୁତ୍ ବିଭାଗର ଲଗାତାର ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ ଚକ୍ର ବୁଧବାର ଅପରାହ୍ଣରେ ନିଜ ସାଇକଲ୍‌ରେ ଲାଞ୍ଜିଗଡ଼ ଆସି ଘରକୁ ଫେରୁଥିଲେ। ସନ୍ଧ୍ୟା ୬ଟା ସମୟରେ ଜଗନ୍ନାଥପୁର ଗ୍ରାମ ନିକଟସ୍ଥ ବେଦାନ୍ତ ମେଡିକାଲ ସମ୍ମୁଖରେ ଥିବା ଏକ ଡିମିରି ଗଛକୁ ଡାଳ କାଟିବାକୁ ଚଢ଼ିଥିଲେ। ଗଛ ଡାଳ ମଧ୍ୟ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କ ମୃତ୍ୟୁ ହୋଇଛି। ଆସନ୍ତା ୧୫ ତାରିଖରେ ନିଜ ବଡ଼ଭାଇଙ୍କ ପୁଅର ବାହାଘର ଥିବାରୁ ସେ ଭୋଜି ପାଇଁ ଛେଳି କିଣି ଘରେ ରଖିଥିଲେ। ଛେଳିକୁ ଡାଳ ଦେବା ପାଇଁ ଚକ୍ର ଗଛ ଚଢ଼ିଥାଇପାରନ୍ତି ବୋଲି ଲୋକେ ସନ୍ଦେହ କରୁଛନ୍ତି। ଗତ ମାସକ ତଳେ ବଳଭଦ୍ରପୁର ଗାଁର ପଦ୍ମନାଭ ଗଉଡ଼ ମଧ୍ୟ ସେହି ଗଛ ମଧ୍ୟ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର