ନର୍ସିଂ ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ

ଅଭିଯୁକ୍ତ ନିର୍ଦେଶକ ପ୍ରଶାନ୍ତ ସାହୁ ଗିରଫ

ଦେବଗଡ଼ : ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡିଆ ସାହିରେ ଥିବା ଏକ ଘରୋଇ ନର୍ସିଂ ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଉକ୍ତ ସ୍କୁଲର ନିର୍ଦେଶକ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ତାଙ୍କ ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଅଭିଯୁକ୍ତ ନିର୍ଦେଶକ ପ୍ରଶାନ୍ତ ସାହୁକୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ ରିଆମାଳ ଥାନା ଅନ୍ତର୍ଗତ ଟିଙ୍କବିର ଗ୍ରାମର ପ୍ରଶାନ୍ତ (୪୦) ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡିଆ ସାହିରେ ଏମ୍‌ସ କଲେଜ ଅଫ ସାଇନ୍‌ସ ନାମରେ ଏକ ନର୍ସିଂ କଲେଜ ଆରମ୍ଭ କରିଥିଲେ। ଏହି କଲେଜରେ ଶିକ୍ଷୟିତ୍ରୀ ଭାବେ ଜଣେ ମହିଳା ନିଯୁକ୍ତି ପାଇଥିଲେ। ଉକ୍ତ ସ୍କୁଲ ପାଇଁ ଏକ ଇନୋଭା ଗାଡ଼ି କିଣିବା ପାଇଁ ଶ୍ରୀ ସାହୁ ଉକ୍ତ ଶିକ୍ଷୟିତ୍ରୀଙ୍କଠାରୁ ୨ ଲକ୍ଷ ଟଙ୍କା ଧାର ଆକାରରେ ନେବା ସହ ୨ ମାସ ମଧ୍ୟରେ ଫେରସ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପରେ ପ୍ରଶାନ୍ତ ଦ୍ୱିତୀୟ ବିବାହ ପାଇଁ ମଧ୍ୟ ଶିକ୍ଷୟିତ୍ରୀଙ୍କଠାରୁ ଗତ ମାର୍ଚ୍ଚ ୧୦ ତାରିଖରେ ସ୍କୁଲ ଛାତ୍ରୀଙ୍କ ଜମା ଥିବା ଟଙ୍କାରୁ ୭୦ ହଜାର ଟଙ୍କା ନେଇଥିଲେ। ପରେ ସେ ଆଉ ଧରାଛୁଆଁ ଦେଇ ନଥିଲେ। ଗତ ମାର୍ଚ୍ଚ ୧୬ ତାରିଖ ଦିନ ନର୍ସିଂ ସ୍କୁଲକୁ ଯାଇଥିଲେ। ସେଠାରେ ଶିକ୍ଷୟିତ୍ରୀ ଜଣଙ୍କ ପ୍ରଶାନ୍ତଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ସେ ଶିକ୍ଷୟିତ୍ରୀଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏପରିକି ପ୍ରଶାନ୍ତ ଶିକ୍ଷୟିତ୍ରୀ ଜଣଙ୍କ ରହୁଥିବା କୋଠରି କବାଟକୁ ଧକ୍କା ଦେଇ ଭିତରକୁ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲେ। ତାଙ୍କ ଗାଲ, ବେକ ଓ ଓଠରେ ଗଭୀର ଆଘାତ ହୋଇଛି।

ଘଟଣାସ୍ଥଳରେ ଶିକ୍ଷୟିତ୍ରୀ ଜଣଙ୍କ ଅଚେତ ହୋଇ ପଡ଼ିଥିଲେ। ସେ ମରିଯାଇଥିବା ଭାବି ପ୍ରଶାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ଶିକ୍ଷୟିତ୍ରୀ ଜଣଙ୍କ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିବା ପରେ ମଙ୍ଗଳବାର ସନ୍ଧ୍ୟାରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ବୁଧବାର ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରିଥିବା ଦେବଗଡ଼ ଆଇଆଇସି ସୁରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ପ୍ରଶାନ୍ତ ପୂର୍ବରୁ ବିବାହ ହୋଇଥିବା ଏବଂ ତାଙ୍କ ପତ୍ନୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର