ଖୋର୍ଦ୍ଧା ଜିଲ୍ଲାରେ ବାଟ ହୁଡୁଛି ହରିଶ୍ଚନ୍ଦ୍ର ଯୋଜନା: ଗରିବ ପରିବାରକୁ ମିଳୁନି ସହାୟତା

ନିରାକାରପୁର: ୨୦୧୩ରେ ରାଜ୍ୟ ସରକାର ହରିଶ୍ଚନ୍ଦ୍ର ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଗରିବ ଲୋକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ଗ୍ରାମାଞ୍ଚଳରେ ୨ ହଜାର ଓ ସହରାଞ୍ଚଳରେ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି। ହେଲେ ଜିଲ୍ଲା ଓ ବ୍ଲକ୍‌ ପ୍ରଶାସନର ଅବହେଳା ଯୋଗୁଁ ଏହି ଯୋଜନା ନିମ୍ନସ୍ତରରେ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଦିନେ ନୁହେଁ କି ମାସେ ନୁହେଁ, ବର୍ଷ ବର୍ଷ ଧରି ଏହି ଯୋଜନାର ସହାୟତା ମିଳୁ ନ ଥିବା ଯୋଗୁଁ ଆର୍ଥିକ ଅନଟନ ଦେଇ ଗତି କରୁଥିବା ଗରିବ ପରିବାରକୁ ଅନ୍ତିମ ସତ୍କାର କରିବାରେ ସମସ୍ୟା ସୃଷ୍ଟି ହେଉଛି। ବର୍ତ୍ତମାନ ସୁଦ୍ଧା ଟାଙ୍ଗୀ ବ୍ଲକ୍‌ର ୨୬ଟି ପଞ୍ଚାୟତ ଅଞ୍ଚଳରେ ପ୍ରାୟ ୧ ହଜାରରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଆର୍ଥିକ ସହାୟତା ପାଇ ନ ଥିବା ଯୋଗୁଁ ଏହା ଗରିବଙ୍କ ପ୍ରତି ପ୍ରଶାସନିକ ଉଦାସିନତାର ପ୍ରମାଣ ବୋଲି ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁଯାୟୀ ରାମେଶ୍ବର ପଞ୍ଚାୟତରେ ୫୦ରୁ ଅଧିକ, ଓଳସିଂହରେ ୨୮ରୁ ଅଧିକ ଏବଂ ଛଣଗିରିରେ ୩୦ରୁ ଅଧିକ ପରିବାର ଏହି ଯୋଜନାରେ ଆବେଦନ କରି ସହାୟତା ଅପେକ୍ଷାରେ ଅଛନ୍ତି। ଏ ନେଇ ରାମେଶ୍ବର ସରପଞ୍ଚ ପ୍ରମୋଦ କୁମାର ତ୍ରିପାଠୀଙ୍କୁ ପଚାରିବାରେ ଦୀର୍ଘ ବର୍ଷେ ହେବ ୫୦ରୁ ଅଧିକ ହିତାଧିକାରୀଙ୍କୁ ସହାୟତା ଦିଆଯାଇ ପାରି ନ ଥିବା କହିଛନ୍ତି। ସେହିପରି ଅନ୍‌ଲାଇନ୍‌ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷେ ହେଲା ୨୮ ଜଣଙ୍କର ଯୋଜନା ଅର୍ଥ ମିଳିବାରେ ବିଳମ୍ବ ହେଉଥିବା ଓଳସିଂହ ସରପଞ୍ଚ ପ୍ରେମାନନ୍ଦ ପରିଡ଼ା ସୂଚନା ଦେଇଛନ୍ତି। ଅନୁରୂପ ଭାବେ ‘ମୋ ପଞ୍ଚାୟତ’ରେ ୩୦ରୁ ଅଧିକ ହିତାଧିକାରୀ ବିଭିନ୍ନ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କର ସହାୟତା ନ ମିଳିବା ବିଡ଼ମ୍ବନାର ବିଷୟ ବୋଲି ଛଣଗିରି ସରପଞ୍ଚ ଲକ୍ଷ୍ମୀଧର ବେହେରା ମତ ଦେଇଛନ୍ତି। ଏ ନେଇ ଖୋର୍ଦ୍ଧା ଉପ ଜିଲ୍ଲାପାଳ ସାନ୍ତନୁ ମହାନ୍ତିଙ୍କୁ ପଚାରିବାରେ ଏଭଳି ଖବର ମୋ ନିକଟରେ ନାହିଁ। ତେବେ ବିଡିଓଙ୍କ ସହ ଏ ବାବଦରେ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର