ଭୁବନେଶ୍ୱର: କରୋନା ଭାଇରସ୍‌ ବା କୋଭିଡ୍‌-୧୯କୁ ନେଇ ସମଗ୍ର ରାଜ୍ୟ ଏବେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି। ଏପରିସ୍ଥିତିକୁ ଆୟତ୍ତ ଓ ନିୟନ୍ତ୍ରଣ କରିବାରେ ଉଭୟ ରାଜ୍ୟ ସରକାର ଓ ରାଜ୍ୟବାସୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ ରାଜ୍ୟବାସୀ ଏ ସତ୍ୟକୁ ହୃଦୟଙ୍ଗମ କରି ସଚେତନ ଓ ଶୃଙ୍ଖଳିତ ରହିବା ନିତାନ୍ତ ଆବଶ୍ୟକ।

Advertisment

ଏହି ପରିପ୍ରେକ୍ଷୀରେ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ଅଭୟ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆର ଅପବ୍ୟବହାର ନ କରିବାକୁ ସଚେତନ କରାଇଛନ୍ତି। ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଜି ଅଭୟ କହିଛନ୍ତି ଯେ ସାଂପ୍ରତିକ ପରିସ୍ଥିତିରେ ଯେଉଁମାନେ ହ୍ଵାଟସ୍‌ଆପ୍‌, ଟୁଇଟର ଓ ଫେସ୍‌ବୁକ ପରି ସାମାଜିକ ଗଣମାଧ୍ୟମରେ ଗୁଜବର ପ୍ରଚାର ପ୍ରସାର କରିବେ ବା ଆସୁଥିବା ବାର୍ତ୍ତାର ସତ୍ୟତା ଅନୁସନ୍ଧାନ ନକରି ସେଗୁଡ଼ିକୁ ଫରଓ୍ଵାର୍ଡ କରିବେ ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଆତଙ୍କ ସୃଷ୍ଟିକାରୀ ମିଥ୍ୟା ଖବର, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଘୃଣା ଓ ତିକ୍ତତା ସୃଷ୍ଟିକାରୀ ବାର୍ତ୍ତା ବା ମିଥ୍ୟା ଖବର ବିନା ଅନୁସନ୍ଧାନରେ ପ୍ରଚାର ପ୍ରସାର ନ କରିବାକୁ ସେ ଅନୁରୋଧ କରିଛନ୍ତି।

publive-image VectorStock

ଯଦି କେହି ଏହାର ଅମାନ୍ୟ କରନ୍ତି ତେବେ ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ୍‌ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ସେମାନଙ୍କୁ ଗିରଫ କରିବାକୁ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଡିଜି ଅଭୟ।

ଏହି ପରିପ୍ରେକ୍ଷୀରେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ରାଜ୍ୟ ସରକାରଙ୍କର କୋଭିଡ୍‌-୧୯ର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଏପରି କାର୍ଯ୍ୟରେ ଲିିପ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ଚେତାଇ ଦେଇ କହିଛନ୍ତି ଯେ ସମୁଦ୍ର ବେଳାଭୂମିରେ ଚାଲିଲେ ବାଲିରେ ରହି ଯାଇଥିବା ଆମର ପଦଚିହ୍ନକୁ ପରବର୍ତ୍ତୀ ସମୟରେ ସମୁଦ୍ରରୁ ଆସୁଥିବା ଢ଼େଉ ଲିଭାଇ ଦେଇଥାଏ। ମାତ୍ର ଡିଜିଟାଲ ଦୁନିଆ ବା ସାମାଜିକ ଗଣମାଧ୍ୟମରେ ଆମର ପ୍ରତ୍ୟେକଟି କାର୍ଯ୍ୟକଳାପ କାଳ କାଳ ପାଇଁ ଲିପିବଦ୍ଧ ହୋଇ ରହିଯାଏ। ଏପରିକି ଡିଲିଟ୍‌ କଲେ ମଧ୍ୟ ଏହାର ଛାପ ରହିଥିବ ଓ ଏପରି କରିଥିବା ବ୍ୟକ୍ତିବିଶେଷମାନଙ୍କୁ ଖୋଜିବା ରାଜ୍ୟ ସରକାର ବା ପୁଲିସ୍‌ ପାଇଁ ଆଦୌ କଠିନ ହେବ ନାହିଁ ବୋଲି ଶ୍ରୀ ବାଗଚୀ ସତର୍କ କରାଇ ଦେଇଚନ୍ତି।