ହଲିଉଡ୍‌ ମୁଭି ‘ଏଭେଞ୍ଜର୍ସ ଏଣ୍ଡ ଗେମ୍‌’ ସହ ଓଡ଼ିଶାର ଟିଟିଲାଗଡ଼ର ଝିଅ ମିତାଙ୍କ ସଂଯୋଗ ବିଷୟରେ ଜାଣନ୍ତି କି!

ଟିଟିଲାଗଡ଼: ସାରା ବିଶ୍ୱରେ ଏବେ ଚହଳ ପକାଇଥିବା ହଲିଉଡ୍‌ ମୁଭି ‘ଏଭେଞ୍ଜର୍ସ ଏଣ୍ଡ ଗେମ୍‌’ ଦିନକୁ ଦିନ ଆହୁରି ଲୋକପ୍ରିୟତା ହାସଲ କରୁଛି। ହେଲେ ଏହି ଫିଲ୍ମ ସହ ରହିଛି ଟିଟିଲାଗଡ଼ ମାଟିର ସଂଯୋଗ, ହୁଏତ ଅନେକ ଓଡ଼ିଆ ଏ ସମ୍ପର୍କରେ ଜାଣିନାହାଁନ୍ତି। ହେଲେ ଜନ୍ମମାଟି ଟିଟିଲାଗଡ଼ରେ ଏବେ ସିନେପ୍ରେମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ମିତା କହନ୍ତି, ‘‘ପୁନାକୁ ପ୍ରଥମ ଇଣ୍ଟରଭ୍ୟୁ ଦେବାକୁ ଯିବା ବେଳେ ଟ୍ରେନ୍‌ରେ ବିନା ରିଜର୍ଭେସନ୍‌ରେ ଯାଇଥିଲେ। ପୁନାରେ ପହଞ୍ଚିବା ଓ ସେଠାରେ ଇଣ୍ଟରଭ୍ୟୁ ଦେଇ ନିଯୁକ୍ତିି ପାଇବା ତାଙ୍କ ଜୀବନର ଏକ ଅଭୁଲା ସ୍ମୃତି। ଠିକ୍‌ ସେମିତି ହଲିଉଡ୍‌ ମୁଭି ‘ଏଭେଞ୍ଜର୍ସ ଏଣ୍ଡ ଗେମ୍‌’ ପାଇଁ ଭିଜୁଆଲ ଇଫେକ୍ଟ ପ୍ରସ୍ତୁତ କରିବାର ସୁଯୋଗ ପାଇବା ତାଙ୍କ ପାଇଁ ଏକ ମିରାକଲ୍‌ ଇନ୍‌ସିଡେଣ୍ଟ।’’

ବାଙ୍କେଲ ଗାଁ ହାଇସ୍କୁଲରେ ମାଟ୍ରିକ୍‌ ପରେ ଟିଟିଲାଗଡ଼ସ୍ଥିତ ଡିଏଭି କଲେଜରେ ବିଜ୍ଞାନ ବିଭାଗରେ ଯୁକ୍ତ ଦୁଇ ପଢ଼ିଥିଲେ। ଏହାପରେ ଭୁବନେଶ୍ୱରରେ ତିନି ବର୍ଷ ଧରି ଆନିମେସନ କୋର୍ସ କରିଥିଲେ। ଆରମ୍ଭ ହେଲା ତାଙ୍କର ବୃତ୍ତିଗତ ଜୀବନ। ପ୍ରଥମେ ପୁନାର ଏକ କମ୍ପାନିରେ ଚାକିରି ପାଇ ପୃଥକ୍‌ ପୃଥକ୍‌ ସିନେମା ପାଇଁ ଭିଜୁଆଲ ଇଫେକ୍ଟ ତଥା ଆନିମେସନ୍‌ କାମ କରୁଥିଲେ। ଏହାପରେ ହାଇଦ୍ରାବାଦର ଡିଜିଟାଲ ଡୋମେନ୍‌ ନାମକ ଏକ କମ୍ପାନିରେ ସେ ନିଯୁକ୍ତ ହେଲେ। ଏହି କମ୍ପାନି ହଲିଉଡ୍‌ର ବିଗ୍‌ ବଜେଟ୍‌ ମୁଭି ପାଇଁ ଭିଜୁଆଲ ଇଫେକ୍ଟ ଦେଉଥିଲା। କେମିତି ବିଗ୍‌ ମୁଭି ପାଇଁ ଇଫେକ୍ଟ ପ୍ରସ୍ତୁତ କରିବେ ଏନେଇ ମିତାଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହେଲା। ‘ଏ ମନ ଚାହୁଥାଇ ଯାହା, କାଳେ ପ୍ରାପତ ହୁଏ ତାହା।’ ମିତାଙ୍କୁ ମିଳିଗଲା ସୁଯୋଗ। ହଲିଉଡ୍‌ ଫିଲ୍ମ ‘ଏଭେଞ୍ଜର୍ସ ଆଣ୍ଡ ଗେମ’ର ଭିଜୁଆଲ ଇଫେକ୍ଟ ଦେବାକୁ ମିତାଙ୍କୁ ଅଫର ଆସିଲା। ଅବଶ୍ୟ ଏତେବଡ଼ ଅଫର୍‌ ପାଇବା ପ୍ରଥମେ ମିତାଙ୍କୁ ବିଶ୍ୱାସ ହେଇ ନ ଥିଲା। ସତକୁସତ ମିତାଙ୍କ ହାତରେ ପ୍ରସ୍ତୁତ ହେଲା ଏହି ଚଳଚ୍ଚିତ୍ର ପାଇଁ ଭିଜୁଆଲ ଇଫେକ୍ଟ।
ଜଣେ ସାଧାରଣ ମନ୍ଦିର ପୂଜକଙ୍କ ଝିଅ ମିତା ହଲିଉଡ୍‌ ହାୟର ଟେକ୍ନୋଲୋଜି ବ୍ୟବହାର ହୋଇଥିବା ‘ଏଭେଞ୍ଜର୍ସ ଏଣ୍ଡ ଗେମ୍‌’ ମୁଭି ପାଇଁ ଡିଜିଟାଲ ଇଫେକ୍ଟ କାମ କରିଥିବାରୁ ଏହା କେବଳ ଟିଟିଲାଗଡ଼ କାହିଁକି ଓଡ଼ିଶା ପାଇଁ ମଧ୍ୟ ଗୌରବ ଆଣିଛି। ହେଲେ ମିତାଙ୍କ ପାରିବାରିକ କାହାଣୀ ଶୁଣିଲେ ଆପଣ ବିସ୍ମିତ ହେବେ। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ମୁରିବାହାଲ ବ୍ଲକ ବାଙ୍କେଲ ପଞ୍ଚାୟତ ମୁଖ୍ୟାଳୟରେ ଥିବା ଜଗନ୍ନାଥ ମନ୍ଦିରରେ ଜଣେ ପୂଜକ ଭାବେ କାର୍ଯ୍ୟ କରନ୍ତି ମିତାଙ୍କ ବାପା ନିରଞ୍ଜନ ଦାଶ। ସ୍ତ୍ରୀ, ଦୁଇପୁଅ ଓ ଝିଅ ମିତାକୁ ନେଇ ତାଙ୍କ ସଂସାର। ଝିଅ ମିତା ଠାରେ ଏଭଳି ପ୍ରତିଭା ଅଛି ତାଙ୍କ ବାପା ମାଆ ମଧ୍ୟ ଜାଣି ନ ଥିଲେ। ଏହି ଖବର ମିତାଙ୍କ ପରିବାର ଓ ପରିଚିତ ମହଲରେ ପ୍ରଚାର ହେବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି।

ଆଗାମୀ ଦିନରେ ଆନିମେସନ୍‌ ଆର୍ଟିଷ୍ଟ ମିତା ଦାଶ ଜଣେ ଭିଇଏସ୍‌ ବା ଭିଜୁଆଲ ଇଫେକ୍ଟ ସୁପର୍‌ଭାଇଜର୍‌ ହେବାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର